ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

Jul 02, 2026 - 17:28
ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର ପୌରପରିଷଦର ପୌରାଧ୍ୟକ୍ଷା ରଜନୀରାଣୀ ଖଟୁଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ପ୍ରତିନିଧି ଦଳରେ ୭ ନମ୍ବର ଓ୍ବାର୍ଡ କାଉନ୍‌ସିଲର କୃଷ୍ଣ ରଣା, ୬ ନମ୍ବର ଓ୍ବାର୍ଡ କାଉନସିଲର ମନିଲତା ରାମ, ୮ ନମ୍ବର ଓ୍ବାର୍ଡ କାଉନସିଲର ସୁରେନ୍ଦ୍ର କୁମାର ଦାଶ, ୧୦ ନମ୍ବର ଓ୍ବାର୍ଡ କାଉନସିଲର ସୁଜିତ କୁମାର ସାହୁ, ୩ ନମ୍ବର ଓ୍ବାର୍ଡ କାଉନସିଲର ରଶ୍ମିତା ବାରିକଙ୍କ ସମେତ ଅନ୍ୟ କାଉନିସିଲର ବୁଦ୍ଧିଜୀବୀ ଗମୁ ବେହେରା, ରମାକାନ୍ତ ଜେନା ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ପ୍ରତିବାଦକାରୀମାନଙ୍କ କହିବା ଅନୁସାରେ, ସେମାନେ ମଦ ଦୋକାନକୁ ବିରୋଧ କରୁନାହାନ୍ତି ବରଂ ଜନଗହଳିପୂର୍ଣ୍ଣ ସ୍ଥାନରୁ ଏହାକୁ ଅନ୍ୟ ଏକ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦାବି କରୁଛନ୍ତି।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ବର୍ତ୍ତମାନର ମଦ ଦୋକାନଠାରୁ ମାତ୍ର ୫୦ ମିଟର ଦୂରରେ ବ୍ରଜବନ୍ଧୁ ବିଦ୍ୟାପୀଠ ରହିଥିବା ବେଳେ ପାଖରେ ପୌରପାଳିକାର କଲ୍ୟାଣ ମଣ୍ଡପ ଏବଂ ଉତ୍ତରେଶ୍ୱର ଶୈବପୀଠକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରହିଛି। ଏହା ଫଳରେ ପ୍ରତିଦିନ ଛାତ୍ରୀଛାତ୍ର, ମହିଳା, ଭକ୍ତ ଓ ସାଧାରଣ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ କହିଛନ୍ତି।

ଏଥିସହ ମଦ୍ୟପଙ୍କ ଉପଦ୍ରବ ଓ ଅସାମାଜିକ କାର୍ଯ୍ୟକଳାପ ଯୋଗୁ ବାରମ୍ବାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏହାର କୁପ୍ରଭାବ ସ୍ଥାନୀୟ ଅଞ୍ଚଳ ଉପରେ ପଡ଼ୁଛି ବୋଲି ସେମାନେ ଦର୍ଶାଇଛନ୍ତି। ଜନସ୍ବାର୍ଥ, ମହିଳାଙ୍କ ସୁରକ୍ଷା ଓ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଶାସନ ଶୀଘ୍ର ମଦ ଦୋକାନକୁ ଅନ୍ୟ ଏକ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦାବିପତ୍ରରେ ଅନୁରୋଧ କରାଯାଇଛି।

Dharitri – Odisha’s No.1 Odia Daily