ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

Jul 02, 2026 - 08:03
ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଫ୍ରାନ୍ସ ୩-୦ ଗୋଲରେ ସ୍ୱିଡେନ୍‌କୁ ପରାସ୍ତ କରିଛି। ଏଥିସହିତ ଏମ୍‌ବାପେ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କ ସମକକ୍ଷ ହୋଇଛନ୍ତି। ଦୁହେଁ ଏପର୍ଯ୍ୟନ୍ତ ୬ଟି ଲେଖାଏ ଗୋଲ୍‌ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱକପ୍‌ ଇତିହାସରେ ସର୍ୱାଧିକ ସଂଖ୍ୟକ ଗୋଲ କରିଥିବା ଖେଳାଳିଙ୍କ ତାଲିକାରେ ମେସି(୧୯)ଙ୍କ ପଛକୁ ଏମ୍‌ବାପେ ୧୮ ଗୋଲ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଫ୍ରାନ୍ସ ତା’ର ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ପାରାଗୁଏକୁ ଭେଟିବ।
ଜର୍ସି ଷ୍ଟାଡିୟମରେ ଅତ୍ୟଧିକ ଗରମ ପରିବେଶରେ ଖେଳାଯାଇଥିବା ମ୍ୟାଚ୍‌ର ୪୫ତମ ମିନିଟ୍‌ରେ ବକ୍ସ ମଧ୍ୟରେ ଉସ୍‌ମାନ ଡେମ୍ୱେଲଙ୍କ ସହ ଚମତ୍କାର ଖେଳ ପ୍ରଦର୍ଶନ କରି ଏମ୍‌ବାପେ ଏକ ଦର୍ଶନୀୟ ଗୋଲ ଦେଇଥିଲେ। ଦ୍ୱିତୀୟାର୍ଦ୍ଧର ୫୩ତମ ମିନିଟ୍‌ରେ ମିଡ୍‌ଫିଲ୍ଡରୁ ମାଇକେଲ ଓଲିସେଙ୍କଠାରୁ ପାଇଥିବା ପାସ୍‌କୁ ବ୍ରାଡ୍‌ଲି ବାରକୋଲା ଅତି ସହଜରେ ଗୋଲ କରି ଫ୍ରାନ୍ସର ଅଗ୍ରଣୀ ବ୍ୟବଧାନକୁ ଦ୍ୱିଗୁଣିତ କରିଦେଇଥିଲେ। ଏହାପରେ ୭୪ତମ ମିନିଟ୍‌ରେ ଏମ୍‌ବାପେ ତାଙ୍କର ବ୍ୟକ୍ତିଗତ ଦ୍ୱିତୀୟ ଗୋଲ କରିଥିଲେ। ଏଥିରେ ତାଙ୍କୁ ମାଇକେଲ ଓଲିସେ ସହାୟତା କରିଥିଲେ। ଏହି ଗୋଲ ସହ ବିଶ୍ୱକପ୍‌ ନକ୍‌ଆଉଟ୍‌ ପର୍ଯ୍ୟାୟ ଇତିହାସରେ ୨୭ ବର୍ଷୀୟ ଏମ୍‌ବାପେଙ୍କ ଗୋଲସଂଖ୍ୟା ୧୦ରେ ପହଞ୍ଚିଛି। ଏଥିସହିତ ସେ ବିଶ୍ୱକପ୍‌ ନକ୍‌ଆଉଟ୍‌ ପର୍ଯ୍ୟାୟରେ ସର୍ୱାଧିକ ସଂଖ୍ୟକ ଗୋଲ କରିଥିବା ଖେଳାଳିଙ୍କ ତାଲିକାରେ ବ୍ରାଜିଲର ଲିଜେଣ୍ଡ ଲଓନିଡାସ ଓ ରୋନାଲ୍ଡୋଙ୍କୁ ଅତିକ୍ରମ କରିଛନ୍ତି।