ଖେତ ବଚାଓ ଅଭିଯାନକୁ ମିଳିଲା ନୂଆ ଗତି: ଜୈବସାର ପ୍ରଚାରରେ ଅଗ୍ରଣୀ ଗଞ୍ଜାମ ଏଫପିସି
ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ): ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍) ଅଧୀନସ୍ଥ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (ସିଆରଆରଆଇ) ପକ୍ଷରୁ ଜୈବସାରର ବୈଜ୍ଞାନିକ ପ୍ରଚାର ଏବଂ ସନ୍ତୁଳିତ ସାର ବ୍ୟବହାରକୁ ଜନଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ଭଞ୍ଜନଗର
କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ଗଞ୍ଜାମ-୧ର ବୈଷୟିକ ସହଯୋଗ ଏବଂ ଘୁମୁସର କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ (ଏଫପିସି)ର ସକ୍ରିୟ ସମନ୍ବୟରେ ଜଗନ୍ନାଥପ୍ରସାଦ ବ୍ଲକର ରାଜନପାଲି ଗ୍ରାମରେ (ସି ଆର ଆର ଆଇ) ଜୈବସାର ପ୍ରୟୋଗ ଓ ସନ୍ତୁଳିତ ସାର ବ୍ୟବହାର ଉପରେ ଏକ ଉଚ୍ଚମାନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୋମବାର ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ଜାତୀୟ ‘ଖେତ ବଚାଓ ଅଭିଯାନ’କୁ ଆହୁରି ସଶକ୍ତ କରିବା ସହ ସ୍ଥାୟୀ ଓ ପରିବେଶ ଅନୁକୂଳ କୃଷି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଘୁମୁସର କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡର ସହଯୋଗରେ ରାଜ୍ୟ ଅନୁଦାନପ୍ରାପ୍ତ ‘ଜୈବ ପୋଷାକ’ ପ୍ରକଳ୍ପ ଅଧୀନରେ ଏହି ତାଲିମ ଆୟୋଜିତ ହୋଇଥିଲା। ପ୍ରକଳ୍ପଟି ଆଇସିଏ ଆର ଏବଂ ଡିଏଏଫଇ ‘ମେରା ଗାଁଓ ମେରା ଗୌରବ” କାର୍ଯ୍ୟକ୍ରମ ସହ ସଂଯୁକ୍ତ ହୋଇ ଜୈବସାରର ଉତ୍ପାଦନ, ପ୍ରଚାର ଓ ଚାଷୀଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି।
କାର୍ଯ୍ୟକ୍ରମରେ ୩୮ ଜଣ ପ୍ରଗତିଶୀଳ ଚାଷୀ, ଯେଉଁଥିରେ ୨୨ ଜଣ ମହିଳା ଏବଂ ୧୬ ଜଣ ପୁରୁଷ ଚାଷୀ ସାମିଲ ହୋଇଥିଲେ। ରାସାୟନିକ ସାର ଉପରେ ନିର୍ଭରଶୀଳତା କମାଇ ମୃତ୍ତିକାର ଜୀବନ୍ତତା ଓ ଉର୍ବରତାକୁ ପୁନରୁଦ୍ଧାର କରିବା ଏହି ତାଲିମର ମୂଳ ଲକ୍ଷ୍ୟ ଥିଲା।
କୃଷି ବୈଜ୍ଞାନିକ, ବ୍ୟାଙ୍କ ଅଧିକାରୀ ଏବଂ କୃଷି ବିଭାଗର ବରିଷ୍ଠ କର୍ମକର୍ତ୍ତାମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ସମୃଦ୍ଧ କରିଥିଲା।
ଘୁମୁସର ଏଫପିସିର ସିଇଓ ସନ୍ତୋଷ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଗବେଷଣା ସହଯୋଗୀ ଡ. ସାଇ କୃଷ୍ଣରେ ପାଲି ପ୍ରକଳ୍ପର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।
କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୧ର ମୁଖ୍ୟ ଡ. ସୁତନୁ କୁମାର ଶତପଥୀ ଓ ବୈଜ୍ଞାନିକ ଡ଼ଃ ସନ୍ତୋଷ କୁମାର ସାମନ୍ତରାୟ ସନ୍ତୁଳିତ ସାର ବ୍ୟବହାରର ଆବଶ୍ୟକତା ଏବଂ ଦୀର୍ଘକାଳୀନ ମୃତ୍ତିକା ସ୍ବାସ୍ଥ୍ୟ ସୁରକ୍ଷାରେ ଏହାର ଭୂମିକା ବିଷୟରେ ବିସ୍ତୃତ ମତ ରଖିଥିଲେ। ସିଆରଆରଆଇର ପ୍ରମୁଖ ବୈଜ୍ଞାନିକ ଡ. ପି. ପନ୍ନୀରସେଲଭମ ରାସାୟନିକ ସାର ପରିବର୍ତ୍ତେ ଜୈବସାର ବ୍ୟବହାରର ଲାଭ ବର୍ଣ୍ଣନା କରିବା ସହିତ ଏନଆରଆରଆଇ ଟେକ ଡିକମ୍ପୋଜର ବ୍ୟବହାର କରି ଧାନ ନଡ଼ାର ଦ୍ରୁତ ପଚନ ପ୍ରକ୍ରିୟାର ସଜୀବ ପ୍ରଦର୍ଶନ କରିଥିଲେ।
ନାବାର୍ଡ ଡିଡିଏମ ସଞ୍ଜିବ ମିଶ୍ର ଜୈବ କୃଷି ଏବଂ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ନାବାର୍ଡ ପକ୍ଷରୁ ଉପଲବ୍ଧ ବିଭିନ୍ନ ଆର୍ଥିକ ସହାୟତା ଓ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିଥିଲେ।
ଉଦ୍ୟାନ କୃଷି ବିଭାଗର ଅଧିକାରିଣୀ ଇତିଶ୍ରୀ ପ୍ରିୟଦର୍ଶିନୀ ଉଚ୍ଚମୂଲ୍ୟର ଉଦ୍ୟାନ ଫସଲରେ ଜୈବସାରର ବ୍ୟବହାର ଓ ଆର୍ଥିକ ଲାଭ ବିଷୟରେ ଆଲୋଚନା କରିଥିଲେ। ସେହିପରି ଜଗନ୍ନାଥପ୍ରସାଦ ବ୍ଲକର କୃଷି ଅଧିକାରିଣୀ ଦିବ୍ୟା ଚେତନା ବ୍ଲକର ବର୍ତ୍ତମାନ କୃଷି ପରିସ୍ଥିତି ସମୀକ୍ଷା କରି ଜୈବସାର ଓ ବାୟୋ-ଇନୋକୁଲାଣ୍ଟ ଆପଣାଇବା ସମୟର ଆବଶ୍ୟକତା ବୋଲି ମତ ପ୍ରକାଶ କରିଥିଲେ।
ଏହି ତାଲିମ କାର୍ଯ୍ୟକ୍ରମ କେବଳ ଚାଷୀମାନଙ୍କୁ ଜୈବସାରର ବୈଜ୍ଞାନିକ ବ୍ୟବହାର ସମ୍ପର୍କରେ ସଚେତନ କରି ନ ଥିଲା, ବରଂ ମୃତ୍ତିକା ସୁରକ୍ଷା, ସନ୍ତୁଳିତ ସାର ବ୍ୟବହାର, ରାସାୟନିକ ଖର୍ଚ୍ଚ ହ୍ରାସ ଏବଂ ସ୍ଥାୟୀ କୃଷି ପ୍ରଣାଳୀ ଗଠନ ଦିଗରେ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲା। ‘ଖେତ ବଚାଓ ଅଭିଯାନ’କୁ ସଫଳ କରିବାରେ ଗଞ୍ଜାମ ଏଫପିସିର ଏହି ପଦକ୍ଷେପ ଅନ୍ୟ ଜିଲାଗୁଡ଼ିକ ପାଇଁ ମଧ୍ୟ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି ବୋଲି ବକ୍ତାମାନେ କହିଥିଲେ।
Dharitri – Odisha’s No.1 Odia Daily