କୁତ୍ରିମ ସୂର୍ଯ୍ୟ ନିର୍ମାଣ ପାଇଁ ଚାଇନା ହେଉଛି ସଜବାଜ: ବିଶ୍ୱର ସର୍ବବୃହତ୍ ଚୁମ୍ବକ ପ୍ରସ୍ତୁତି ଶେଷ
ବେଜିଂ,୨୯ା୭:ଚାଇନା ଏହାର ‘କୃତ୍ରିମ ସୂର୍ଯ୍ୟ’ ନିର୍ମାଣ କାର୍ଯ୍ୟକ୍ରମ ପାଇଁ ବିଶ୍ୱର ସର୍ବବୃହତ୍ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ଚୁମ୍ବକ ତିଆରି ଓ ପରୀକ୍ଷା ଶେଷ କରିଛି। ଆଣବିକ ଫ୍ୟୁଜନ୍ ଜରିଆରେ ପ୍ରଦୂଷଣମୁକ୍ତ ଅଫୁରନ୍ତ ଶକ୍ତି ଉତ୍ପାଦନ ପାଇଁ ଏହା ମୁଖ୍ୟ ଉପାଦାନ। ୨୦୩୦ ସୁଦ୍ଧା ଫ୍ୟୁଜନ୍ ଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ଚାଇନାର ମହତ୍ତ୍ୱାକାଂକ୍ଷୀ ଯୋଜନା ଦିଗରେ ଏହା ଏକ ବଡ଼ ସଫଳତା। କାର୍ବନମୁକ୍ତ ଶକ୍ତିର ସର୍ବଶ୍ରେଷ୍ଠ ଉତ୍ସକୁ ଆୟତ୍ତ କରିବା ଦୌଡ଼ରେ ଚାଇନା ସର୍ବାଗ୍ରେ ରହିଛି। ଚାଇନାର ଏକାଡେମି ଅଫ୍ ସାଇନ୍ସ ଅଧୀନରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଜ୍ମା ଫିଜିକ୍ସ ଦ୍ୱାରା ଉକ୍ତ ସୁପରକଣ୍ଡକ୍ଟିଂ ଚୁମ୍ବକ ନିର୍ମାଣ କରାଯାଇଛି। ‘ଡି’ ଆକୃତିର ଏହି ବିଶାଳ ଚୁମ୍ବକର ଲମ୍ବ ୨୧ ମିଟର, ପ୍ରସ୍ଥ ୧୨ ମିଟର ଏବଂ ଓଜନ ୫୮୨ ଟନ୍।
କୃତ୍ରିମ ସୂର୍ଯ୍ୟ ହେଉଛି ଏକ ନ୍ୟୁକ୍ଲିୟର ଫ୍ୟୁଜନ୍ ରିଆକ୍ଟର, ଯାହା ସୂର୍ଯ୍ୟଙ୍କୁ ଶକ୍ତି ଯୋଗାଉଥିବା ସମାନ ପ୍ରକ୍ରିୟାରେ ଶକ୍ତି ଉତ୍ପାଦନ କରିବ। ଏହା ୧୦୦ ନିୟୁତ ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ତାପମାତ୍ରାରେ ହାଇଡ୍ରୋଜେନ୍ ପରମାଣୁକୁ ମିଶି ଅଙ୍ଗାରକାମ୍ଳ ସୃଷ୍ଟି ନ କରି ପ୍ରଚୁର ଶକ୍ତି ନିର୍ଗତ କରିବ। ଭବିଷ୍ୟତରେ ଏହା ଏକ ଅସୀମ ସ୍ବଚ୍ଛ ଓ ସୁରକ୍ଷିତ ବିଦ୍ୟୁତ୍ ଉତ୍ସ ହୋଇପାରିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି। ୨୦୨୭ ସୁଦ୍ଧା ଚାଇନା ଏହାର ନ୍ୟୁକ୍ଲିୟର ଫ୍ୟୁଜନ୍ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଥିବାବେଳେ ୨୦୩୦ ସୁଦ୍ଧା ପ୍ରଥମ ଫ୍ୟୁଜନ୍ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି। ଚାଇନା ଫ୍ୟୁଜନ୍ ଇଞ୍ଜିନିୟରିଂ ଡେମୋନଷ୍ଟ୍ରେଶନ ରିଆକ୍ଟର ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି, ଯାହା ବିଶ୍ୱରେ ପ୍ରଥମ ଫ୍ୟୁଜନ୍ ଡେମୋନଷ୍ଟ୍ରେଶନ ଶକ୍ତିକେନ୍ଦ୍ର ହୋଇପାରେ। ଏହି ସଫଳତା ସତ୍ତ୍ୱେ ଅନେକ ଚ୍ୟାଲେଞ୍ଜ ରହିଥିବା ଗବେଷକମାନେ ସତର୍କ କରାଇଛନ୍ତି। ସମ୍ପୂର୍ଣ୍ଣ ରିଆକ୍ଟର ନିର୍ମାଣ, ଦୀର୍ଘମିଆଦୀ ପରୀକ୍ଷା ଏବଂ ପ୍ରଯୁକ୍ତି ଯେତିକି ଶକ୍ତି ବିନିଯୋଗ କରିବ, ତାହାଠାରୁ ଅଧିକ ଶକ୍ତି ନିର୍ଭରଯୋଗ୍ୟ ଭାବେ ଉତ୍ପାଦନ କରିବ କି ନାହିଁ, ତାହାର ପରୀକ୍ଷା ବାକି ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।