କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

Jul 03, 2026 - 16:29

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପରିବାର ଲୋକେ ତାଙ୍କୁ ଫାଶୀରେ ଝୁଲିଥିବା ଦେଖି ଉଦ୍ଧାର କରି ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶୁକ୍ରବାର ମମତାଙ୍କ ବାପଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଚାନ୍ଦିପୁର ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତି କରି ପୋଲିସ ହତ୍ୟା ମାମଲା ନଂ–୧୩୬/୨୬ ରୁଜୁ କରି ସାଇଣ୍ଟିଫିକ ଟିମ୍‌ର ସହଯୋଗରେ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ହର୍ଷପୁରା ଗ୍ରାମର ମମତାଙ୍କୁ ମନିଷ ପ୍ରାୟ ଚାରି ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। କିଛି ଦିନ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ମନିଷ ଗୁରୁତର ଆହତ ହୋଇ  ଚିକିତ୍ସାଧୀନ ଅଛନ୍ତି। ତାଙ୍କର ଏକ ଦୁଇ ବର୍ଷର ଶିଶୁ କନ୍ୟା ରହିଛି।

ସ୍ୱାମୀଙ୍କ ରୋଜଗାର ବନ୍ଦ ହୋଇଯିବାରୁ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା। ଏହି କାରଣରୁ ମମତା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ଏବଂ ପରିବାର ଚଳାଇବାକୁ ନେଇ ଭାଙ୍ଗି ପଡ଼ିଥିଲେ। ମାନସିକ ଅବସାଦରେ ସେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ତାଙ୍କ ଶାଶୂଘର ଲୋକେ କହିଛନ୍ତି।

ଅନ୍ୟପକ୍ଷରେ, ମମତାଙ୍କ ବାପଘର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଥିବାବେଳେ ପୋଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

Dharitri – Odisha’s No.1 Odia Daily

The post କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ… appeared first on Dharitri Odia News.