କଙ୍ଗୋ ଜଙ୍ଗଲରୁ ମିଳିଲା ନୂଆ ପ୍ରଜାତିର ମାଙ୍କଡ଼, କମଳା ରଙ୍ଗର ଓଠ ସାଙ୍ଗକୁ…
କିନ୍ସାସା/ଫ୍ଲୋରିଡା, ୧୭ା୭: ଡେମୋକ୍ରାଟିକ ରିପବ୍ଲିକ ଅଫ୍ କଙ୍ଗୋ (ଡି.ଆର୍. କଙ୍ଗୋ)ର ଦୁର୍ଗମ ଜଙ୍ଗଲରେ ଗବେଷକମାନେ ସମ୍ପୂର୍ଣ୍ଣ ନୂଆ ପ୍ରଜାତିର ମାଙ୍କଡ଼ ଖୋଜିପାଇଛନ୍ତି। କଳା ରଙ୍ଗର ଚମକଦାର ଲୋମ, କଳା ମୁହଁ ଏବଂ ଗୋଲାପୀ-କମଳା ମିଶ୍ରିତ ଆକର୍ଷଣୀୟ ଓଠ ଥିବା ଏହି ସ୍ବତନ୍ତ୍ର ପ୍ରଜାତିର ମାଙ୍କଡ଼କୁ ବିଜ୍ଞାନ ଜଗତରେ ଏକ ନୂତନ ପ୍ରଜାତି ଭାବେ ଆନୁଷ୍ଠାନିକ ମାନ୍ୟତା ଦିଆଯାଇଛି। କଙ୍ଗୋର କେନ୍ଦ୍ର-ପୂର୍ବ ଭାଗରେ ଥିବା ପ୍ରସିଦ୍ଧ ‘ଲୋମାମି ଜାତୀୟ ଉଦ୍ୟାନ’ର ଘଞ୍ଚ ଏବଂ ଉଚ୍ଚ ଗଛର ଡାଳପତ୍ର ମଧ୍ୟରେ ଏହି ବିରଳ ପ୍ରଜାତି ବାସ କରୁଥିବା ଜଣାପଡ଼ିଛି। ବିଗତ ୭୫ ବର୍ଷ ମଧ୍ୟରେ ସମଗ୍ର ଆଫ୍ରିକା ମହାଦେଶରେ ଆବିଷ୍କୃତ ହୋଇଥିବା ମାଙ୍କଡ଼ ପ୍ରଜାତିଗୁଡ଼ିକ ମଧ୍ୟରେ ଏହା ହେଉଛି ପଞ୍ଚମ।
ବନ୍ୟପ୍ରାଣୀ ସଂରକ୍ଷଣ କର୍ମୀମାନେ ପ୍ରଥମେ ୨୦୦୮ରେ ଏହି ଅଦ୍ଭୁତ ଦେଖାଯାଉଥିବା ଜୀବକୁ ଦେଖିଥିବା ଦାବି କରିଥିଲେ, କିନ୍ତୁ ସେତେବେଳେ ସେମାନଙ୍କ ହାତରେ କେବଳ ଗୋଟିଏ ଅସ୍ପଷ୍ଟ ଫଟୋଚିତ୍ର ଥିଲା। ଏହାର ୧୦ ବର୍ଷ ପରେ ଅର୍ଥାତ୍ ୨୦୧୮ରେ ପୁଣି ଥରେ ଏହି ମାଙ୍କଡ଼ ଦେଖାଯିବା ପରେ ଏକ ଅନ୍ତର୍ଜାତୀୟ ଗବେଷକ ଦଳ ଏହା ଉପରେ ଗବେଷଣା ଆରମ୍ଭ କରିଥିଲେ। ଆମେରିକାର ‘ଫ୍ଲୋରିଡା ଆଟଲାଣ୍ଟିକ ୟୁନିଭର୍ସିଟି’ର ପିଏଚ୍ଡି ଗବେଷକ ଜୁନିୟର ଆମ୍ବୋକୋଙ୍କ ନେତୃତ୍ୱରେ ଏହି ସନ୍ଧାନ କରାଯାଇଥିଲା। ଗବେଷକମାନେ ମାଙ୍କଡ଼ର ସ୍ବର (ଅଡିଓ ରେକର୍ଡିଂ), ଉଚ୍ଚମାନର ଫଟୋଚିତ୍ର ଏବଂ ବିସ୍ତୃତ ଜେନେଟିକ (ବଂଶାନୁକ୍ରମିକ) ପରୀକ୍ଷା କରିବା ପରେ ଏହା ପୁରୁଣା ପ୍ରଜାତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ପ୍ରମାଣ କରିଛନ୍ତି। ଏହି ଗବେଷଣା ରିପୋର୍ଟ ପ୍ରସିଦ୍ଧ ବିଜ୍ଞାନ ପତ୍ରିକା ‘ପ୍ଲସ୍ ଓ୍ବାନ’ ରେ ପ୍ରକାଶ ପାଇଛି।
ଗବେଷକମାନେ ଏହି ନୂଆ ମାଙ୍କଡ଼ର ଲାଟିନ ନାମ ‘କୋଲୋବସ୍ କଙ୍ଗୋଏନସିସ୍’ ରଖିଛନ୍ତି। ଯଦିଓ ବିଜ୍ଞାନ ଜଗତ ପାଇଁ ଏହା ନୂଆ, ତଥାପି ସ୍ଥାନୀୟ ଜଙ୍ଗଲ ଆଖପାଖରେ ରହୁଥିବା ଆଦିବାସୀମାନେ ଏହି ମାଙ୍କଡ଼ ସହ ପୂର୍ବରୁ ପରିଚିତ ଥିଲେ ଏବଂ ସେମାନେ ଏହାକୁ ‘ଲିକ୍ୱେଲି’ ବୋଲି ଡାକୁଥିଲେ। ଏହି ମାଙ୍କଡ଼ଗୁଡ଼ିକ ଅତ୍ୟନ୍ତ ଲାଜକୁଳା ଭାବର ହୋଇଥିବାରୁ ଜଙ୍ଗଲର ବହୁତ ଉଚ୍ଚ ଗଛରେ ଲୁଚି ରହିଥାନ୍ତି। ଗବେଷକ ଆମ୍ବୋକୋ ଜଙ୍ଗଲ ନିକଟବର୍ତ୍ତୀ ୫୨ଟି ଗ୍ରାମର ଲୋକଙ୍କ ସହ ଆଲୋଚନା କରିଥିବାବେଳେ ମାତ୍ର ୮ଟି ଗ୍ରାମର ଲୋକେ ଏହି ମାଙ୍କଡ଼କୁ କେବେ ଦେଖିଥିବା ସ୍ବୀକାର କରିଛନ୍ତି।
ଏହି ନୂଆ ପ୍ରଜାତିର ମାଙ୍କଡ଼ ବିଶେଷକରି ‘କୋଲୋବସ୍’ ଶ୍ରେଣୀର। ଏହି ଶ୍ରେଣୀର ମାଙ୍କଡ଼ମାନଙ୍କର ହାତରେ ‘ବୁଢ଼ା ଆଙ୍ଗୁଠି’ ନ ଥାଏ। ଫ୍ଲୋରିଡା ଆଟଲାଣ୍ଟିକ ୟୁନିଭର୍ସିଟିର ପ୍ରଫେସର କେଟ୍ ଡେଟୱାଇଲରଙ୍କ କହିବା ଅନୁଯାୟୀ, ଏହି ଶାକାହାରୀ ମାଙ୍କଡ଼ମାନେ ଜଙ୍ଗଲର ପରିବେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନେ ଗଛର ମଞ୍ଜିଗୁଡ଼ିକର ବିସ୍ତାର ଓ ଗଜା ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ସେମାନଙ୍କ ଓଠର ଚମକଦାର ରଙ୍ଗ ଅନ୍ୟ ସାଥୀମାନଙ୍କୁ ଆକର୍ଷିତ କରିବା କିମ୍ବା ପରସ୍ପରକୁ ଚିହ୍ନିବାରେ ସାହାଯ୍ୟ କରେ। ଏହି ମାଙ୍କଡ଼ମାନଙ୍କର ଏକ ସ୍ବତନ୍ତ୍ର ଗର୍ଜନ କରିବାର ଶୈଳୀ ରହିଛି, ଯେଉଁଥିପାଇଁ ଜଙ୍ଗଲରେ ସେମାନଙ୍କୁ ନ ଦେଖିଲେ ମଧ୍ୟ ସେମାନଙ୍କ ଶବ୍ଦ ସହଜରେ ଶୁଣାଯାଇଥାଏ। ଜଙ୍ଗଲରେ ଏମାନଙ୍କ ସଂଖ୍ୟା ବହୁତ କମ୍ ରହିଥିବା ବେଳେ ମାଂସ ପାଇଁ ଏମାନଙ୍କୁ ଶିକାର କରାଯାଉଥିବାରୁ, ଏବେ ସ୍ବତନ୍ତ୍ର ପ୍ରଜାତିର ମାନ୍ୟତା ମିଳିବା ପରେ ଏମାନଙ୍କ ସଂରକ୍ଷଣ ପାଇଁ ଦେଶରେ କଡ଼ା ଆଇନଗତ ବ୍ୟବସ୍ଥା କରାଯିବ ବୋଲି ଗବେଷକମାନେ ଆଶା ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।