ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…
ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୁଲାଇ ୨୫ ମଧ୍ୟରେ ଫିଲ୍ଡ ଇନ୍କ୍ୱାରୀ ବା କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ରାକ୍ଷୀ ପୂର୍ଣ୍ଣିମାରେ ପ୍ରାୟ କୋଟିଏରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ଡିବିଟି ସକ୍ରିୟକରଣ, ଇ-କେୱାଇସି, ଫିଲ୍ଡ ଇନ୍କ୍ୱାରୀ, ଏନ୍ପିସିଆଇ ମ୍ୟାପିଂ, ପେମେଣ୍ଟ ଫାଇଲର ପ୍ରସ୍ତୁତି ଓ ବ୍ୟାଙ୍କ ସମନ୍ବୟ ଆଦି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଆଉ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂତନ ହିତାଧିକାରୀ ସୁଭଦ୍ରା କିସ୍ତି ପାଇଁ ଆବେଦନ କରିଛନ୍ତି। ସେହିପରି ୮୨ ହଜାର ୩୬ ଡିବିଟି ସକ୍ରିୟ କରଣ, ୨୮ ହଜାର ୬୨୧ ବାୟୋମେଟ୍ରିକ ଇକେୱାଇସି ଓ ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ଡ ଇନକ୍ୱାରୀ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯେଉଁ ୨୮ ହଜାର ୬୨୧ଜଣ ଆବେଦନକାରୀଙ୍କ ସୁଭଦ୍ରା ପୋର୍ଟାଲରେ ଇ-କେୱାଇସି ଦେଖାଉନାହିଁ ସେମାନେ ଜୁଲାଇ ୨୫ ସୁଦ୍ଧା ଜନ ସେବା କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ ଦେଇ ପୁଣିଥରେ ଇ-କେୱାଇସି କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯେଉଁମାନେ ପ୍ରଥମରୁ କୌଣସି କିସ୍ତି ପାଇ ନ ଥିବେ, ତେବେ ସେମାନେ ଏକକାଳୀନ ୫ଟି କିସ୍ତିର ପଇସା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।