ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

Jul 11, 2026 - 20:21
ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲାର ନେମାଳ ଥାନା ଅନ୍ତର୍ଗତ ଜାମରା ଗ୍ରାମର ବଳରାମ ସାହୁ(୩୪), ତରଡାଶାସନ ଗ୍ରାମର ମୃତ୍ୟୁଞ୍ଜୟ ମହାପାତ୍ର (୩୯), କୋଇଲିରଙ୍ଗି ଗ୍ରାମର ମାନସ ରଞ୍ଜନ ପାଣି(୩୦), କେନ୍ଦ୍ରାପଡା ଜିଲାର ସଦର ଥାନା ଅନ୍ତର୍ଗତ ଗିରିଗୋଳା ଗ୍ରାମର ପୂର୍ଣଚନ୍ଦ୍ର ମଲ୍ଲିକ(୨୫)।

ପୋଲିସ ଅଭିଯୁକ୍ତଙ୍କଠାରୁ ଏକ ମାରୁତି କାର (ଓଡି-୦୫-ସିକେ/୭୨୨୮), ୨୩୨ଟି ବିଭିନ୍ନ ଏକାଉଣ୍ଟ ଓ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌/ଡେବିଟ କାର୍ଡ, ୯ଟି ମୋବାଇଲ ଫୋନ, ୧୨,୨୬୦ଟଙ୍କା ଜବତ କରିଛି।

କେନ୍ଦୁଝର ଜିଲାର ବଡମନୋହରପୁର ଗ୍ରାମର ରମେଶ ଚନ୍ଦ୍ର ମହାନ୍ତଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୨୮୪/୨୬ ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ପୋଲିସ ସେମାନଙ୍କୁ ଗିରଫ କରିଛି। ଏନେଇ ଆଜି ଟାଉନ ଥାନାରେ ଏକ ଖବରଦାଦା ସମ୍ମିଳନୀରେ ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗୋଇ ଏବଂ ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି।

ଏହି ଗ୍ୟାଙ୍ଗ ବିଶେଷ କରି ବରିଷ୍ଠ ନାଗରିକ ଓ ସାଧାରଣ ଏଟିଏମ୍‌ଧାରୀଙ୍କୁ ଟାର୍ଗେଟ କରୁଥିଲେ। ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତ ବଳରାମ ଓରଫ ଲିଟୁ ନାମରେ ରାଜ୍ୟର ବିଭିନ୍ନ ଜିଲାରେ ୫୦ରୁ ଅଧିକ ମାମଲା ରହିଛି ା


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।