ଏଇ ଭାରତରେ
ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ ଜିଇବା ସମ୍ଭବ ହେବ। ଏଭଳି ଜୀବନ ଅତିବାହିତ କରୁଛନ୍ତି କେରଳର ଅବସରପ୍ରାପ୍ତ ଖେଳ ଶିକ୍ଷକ କେ.ଟି. ଫ୍ରାନ୍ସିସ୍। ସେ ଏବେ ଜଣେ ସଫଳ କୃଷକ। ୨୦୧୫ରେ ଫ୍ରାନ୍ସିସ୍ ଅବସର ନେବା ପରେ ୫ ଏକର ପୈତୃକ ଜମିରେ ଚାଷ ଆରମ୍ଭ କରିଥିଲେ। ସେ ତାଙ୍କ ଫାର୍ମରେ ନଡ଼ିଆ ଓ ଗୁଆ ଚାଷ କରିବା ସହ ହଳଦୀ, ଗୋଲମରିଚ, ଅଦା, କନ୍ଦମୂଳ ଓ ଖମ୍ବଆଳୁ ସହ ବିଭିନ୍ନ ପନିପରିବା ଚାଷ କରୁଛନ୍ତି। ଫ୍ରାନ୍ସିସ୍ ବର୍ଷକୁ ୫-୮ ଲକ୍ଷ ଟଙ୍କା ନିବେଶ କରି ପନିପରିବା ଚାଷ ଏବଂ ନର୍ସରିରୁ ମୋଟ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି। ସେ ପ୍ରାରମ୍ଭିକ ପର୍ଯ୍ୟାୟରେ ପାଖାପାଖି ୧୦୦ ବର୍ଷର ପୁରୁଣା କୁଟ୍ଟିଆଡ଼ି କିସମର ନଡ଼ିଆରୁ ଚାରା କରି କୃଷି ବିଭାଗକୁ ବିକ୍ରି କରୁଥିଲେ। ଗୁଆ ଚାରା ମଧ୍ୟ ଯୋଗାଉଥିଲେ। ପରେ ନିଜେ ଏକ ନର୍ସରି କରି ଏହି କିସମର ନଡ଼ିଆ ଚାରା ବିକ୍ରି କରୁଛନ୍ତି, ଯାହାର ନାମ ରଖିଛନ୍ତି କଇଥାକୁଲାଥ କୋକାନଟ ନର୍ସରି। ଏହି ସଫଳତା ପାଇଁ ସେ ରାଜ୍ୟ ଓ ଜିଲା ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।