ଉପାନ୍ତ ଅଞ୍ଚଳରେ ନେଟ୍ଓ୍ବର୍କ ସମସ୍ୟା: ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ
ନୂଆପଡ଼ା,୪ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକର ଉପାନ୍ତ ଅଞ୍ଚଳ ଦେଓଦରା ପଞ୍ଚାୟତ ଓ ବୋଡେନ ବ୍ଲକ ନାଗପଡ଼ା ପଞ୍ଚାୟତର ଅଧିକାଂଶ ଗାଁର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ନେଟ୍ଓ୍ବର୍କ ଏଠାରେ ପ୍ରମୁଖ ସମସ୍ୟା ହୋଇଛି। ସରକାରୀ ଯୋଜନା, ଡିଜିଟାଲ ସେବା ଓ ମୌଳିକ ସୁବିଧା ଏଠାକାର ଲୋକଙ୍କ ପାଇଁ ସାତସପନ ପାଲଟିଛି। ଦେଓଦରା ପଞ୍ଚାୟତର ମାଲପଡା, ଧରାଭଟା, ଦେଓଦରା, ଜାମପଡା, କୁଞ୍ଜଳପଡା, ମଲ୍ଲିକମୁଣ୍ଡା ଓ ନାଗପଡା ପଞ୍ଚାୟତର ଝରନାମାଲ, ନାଗପଡା, ସିରଲି, ମାକରବିର୍ଲି ଆଦି ଗଁାରେ ନେଟ୍ୱର୍କ ନିତିଦିନିଆ ସମସ୍ୟା ହୋଇରହିଛି। ଆମ୍ବୁଲାନ୍ସ, ଅଗ୍ନିଶମ କିମ୍ବା ଅନ୍ୟ ଜରୁରୀ ପରିସ୍ଥିତିରେ ଉପରୋକ୍ତ ଗ୍ରାମର ଲୋକେ ଗଛ ଉପରେ ବା ଦୂରଦୂରାନ୍ତକୁ ଯାଇ ଫୋନ କଲ କରୁଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ଏଠାକାର ଛାତ୍ରୀଛାତ୍ର। ଅନ୍ଲାଇନ ପାଠପଢା, ସ୍କଲାରଶିପ ଆବେଦନ, ପରୀକ୍ଷା ଫର୍ମ ପୂରଣ ଭଳି କାର୍ଯ୍ୟ ପାଇଁ ସେମାନେ ଦୂର ଦୂରାନ୍ତକୁ ଯାଇ ହଇରାଣ ହେଉଛନ୍ତି। ସେହିପରି ପେନ୍ସନ୍, ରାଶନ କାର୍ଡ, ଆୟୁଷ୍ମାନ କାର୍ଡ, ଆଧାର କାର୍ଡ, ଭୋଟର ପରିଚୟପତ୍ର, ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର ପାଇଁ ଅନ୍ଲାଇନରେ ଆବେଦନ କରାଯାଉଥିବାରୁ ଲୋକେ ଉକ୍ତ ସେବାଗୁଡିକ ପାଇବାରୁ ବଞ୍ଚତ୍ତ ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନେଟ୍ୱର୍କ ନ ଥିବାରୁ ସରକାରଙ୍କ ଅନେକ ଯୋଜନା କାଗଜକଲମରେ ସୀମିତ ହୋଇ ରହିଯାଉଛି ା ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନ ସମୟରେ ବିଭିନ୍ନ ଦଳର ନେତା, ମନ୍ତ୍ରୀ ଆସି ମୋବାଇଲ ଟାୱାର ସ୍ଥାପନାଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ ସୁବିଧା ପାଇଁ ପ୍ରତିଶ୍ରୁତି ଦେଇ ଚାଲିଯାଆନ୍ତି ା କିନ୍ତୁ ଭୋଟ ସରିଲା ପରେ ସବୁ ଭୁଲିଯାଆନ୍ତି। ଜିଲା ପ୍ରଶାସନ ତଥା ସରକାର ଏଥିପ୍ରତି ଦୃଷ୍ଟି ଦେଇ ମୋବାଇଲ ଟାୱାର ସ୍ଥାପନା ସହ ମୋଳିକ ସୁବିଧା ପହଞ୍ଚାଇବା ପାଇଁ ଜିଲା ପରିଷଦ ସଭ୍ୟ ମୁରଲି ଭୋଇ, ଧବଲେଶ୍ୱର ପୂଜାରୀ, କେଶରାଜ ମାଝି, ଭଜ ମାଝି, ମହେନ୍ଦ୍ର ଦୀପ, ଦିଲିପ ଦୀପ, ମହାଦେବ ଦୀପ ପ୍ରମୁଖ ଦାବି କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।