ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

Jul 10, 2026 - 13:08
ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା ସାମ୍ନାକୁ ଆସିବା ସହ କରୋନା ସଂକ୍ରମଣ ଯୋଗୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଆଉ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ଦୀର୍ଘ ୪ ବର୍ଷ ପରେ କରୋନା ଜନିତ ମୃତ୍ୟୁର ପ୍ରଥମ ମାମଲା ସାମ୍ନାକୁ ଆସିଛି। କଡ଼ପ୍ପା ଜିଲାରେ ଗତ ୯ ଜୁଲାଇରେ ଏହି ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଚିହ୍ନଟ ହୋଇଥିବା ୪ ଜଣ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣଙ୍କୁ ସେମାନଙ୍କ ଘରେ ଆଇସୋଲେଟ (Home Isolation) କରାଯାଇଥିବା ବେଳେ ଜଣେ ରୋଗୀଙ୍କୁ ହସ୍ପିଟାଲର ସ୍ପେଶାଲ କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଚାରିଜଣ ଯାକ ସଂକ୍ରମିତ କରୋନା ଭ୍ୟାକ୍ସିନର ଡବଲ ଡୋଜ ନେଇସାରିଥିଲେ। ଏପରିକି ସେମାନଙ୍କ ମଧ୍ୟରୁ ଜଣେ ବୁଷ୍ଟର ଡୋଜ ମଧ୍ୟ ନେଇଥିଲେ, ତଥାପି ସେମାନେ କରୋନା କବଳରୁ ରକ୍ଷା ପାଇପାରି ନାହାନ୍ତି। କଡ଼ପ୍ପା ଭାଇରୋଲୋଜି ଲାବୋରେଟୋରୀରେ ହୋଇଥିବା RT-PCR ଟେଷ୍ଟରୁ ସେମାନେ ପଜିଟିଭ ଥିବା ଜଣାପଡ଼ିଛି।

ଗତ ଜୁନ ୨୮ ତାରିଖରେ ସିଏମସି (CMC) ଭେଲୋରରେ ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କୁ ପ୍ରଥମେ ତିରୁପତିର SVIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଭେଲୋର ସ୍ଥାନାନ୍ତର କରାଯାଇଥିଲା, ଯେଉଁଠି RT-PCR ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଥିଲା। ଅନ୍ୟ ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାଙ୍କ ଛାତିର ସିଟି ସ୍କାନ (CT Scan) ରିପୋର୍ଟରୁ କରୋନା ସଂକ୍ରମଣ ବିଷୟରେ ଜଣାପଡ଼ିଥିଲା।

ଏହି ଦୁଇ ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ (Contact Tracing) କରାଯିବା ପରେ ଅନ୍ୟ ୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। କରୋନା ମାମଲା ସାମ୍ନାକୁ ଆସିବା ପରେ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ସମ୍ପୃକ୍ତ ଅଞ୍ଚଳରେ ନଜର ରଖିବା ସହ ସତର୍କତା ବଢ଼ାଇ ଦେଇଛି।

Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।