ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆଜି ବାହୁଡ଼ିବେ ଦାରୁବିଗ୍ରହ
ପୁରୀ,୨୪ା୭(ଅଜିତ୍ କୁମାର ମହାନ୍ତି): ଦାରୁବିଗ୍ରହମାନେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ ରହିଛି। ସେବାୟତମାନେ ନୀତି ସମ୍ପାଦନ ଓ ଭକ୍ତମାନେ ରଥ ଟାଣିନେବା ପାଇଁ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଶୁକ୍ରବାର ଭୋର ୪ଟାରେ ମଙ୍ଗଳ ଆଳତି ହୋଇ ନୀତି ବଢ଼ିବ। ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ଶେଷ ହେବ। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା, ଅପରାହ୍ନ ୩ଟାରୁ ୪ଟା ଭିତରେ ଚାରମାଳ ଫିଟା ସହ ଘୋଡ଼ା ଲାଗିବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ ବୋଲି ସେବାୟତମାନଙ୍କ ପକ୍ଷରୁ କୁହାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ୨୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୨ ହଜାର ପୋଲିସ କର୍ମଚାରୀ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।