ଅଲଗା ହେବେ ଗୌରବ ଖାନ୍ନା-ଆକାଂକ୍ଷା ଚମୋଲା, ସାମ୍ନାକୁ ଆସିଲା ଛାଡ଼ପତ୍ରର ଅସଲ କାରଣ!
ମୁମ୍ବାଇ: ଅଲଗା ହେବେ ଟେଲିଭିଜନ ଦୁନିଆର ଆଉ ଏକ ପ୍ରିୟ ଦମ୍ପତି। ଅଭିନେତ୍ରୀ ଆକାଂକ୍ଷା ଚମୋଲା ଏବଂ ଅଭିନେତା ତଥା ବିଗ୍ବସ୍ ବିଜେତା ଗୌରବ ଖାନ୍ନାଙ୍କ ସମ୍ପର୍କରେ ଆସିଛି ଫାଟ। ଦୁହେଁ ନିଜ ବୈବାହିକ ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଗତ ପ୍ରାୟ ଏକ ବର୍ଷ ହେବ ସେମାନେ ପରସ୍ପରଠାରୁ ଅଲଗା ରହୁଥିବା ନେଇ ନିଜେ ଆକାଂକ୍ଷା ଖୁଲାସା କରିଛନ୍ତି। ରିଆଲିଟି ଶୋ’ ‘ଲକ୍ଅପ୍ ସିଜନ୍ ୨’ରେ ପ୍ରବେଶ କରିବା ମାତ୍ରେ ଆକାଂକ୍ଷା ଏହି ବଡ଼ ସୂଚନା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
ଶୋ’ରେ ଆକାଂକ୍ଷା ପ୍ରକାଶ କରିଛନ୍ତି ଯେ, ସେ ଏବଂ ଗୌରବ ଛାଡ଼ପତ୍ର ନେବାକୁ ଯାଉଛନ୍ତି। ଏହି କଥାକୁ ସେମାନେ ପ୍ରଶଂସକମାନଙ୍କଠାରୁ ଲୁଚାଇ ରଖିଥିଲେ। ଗତ ଏକ ବର୍ଷ ଧରି କେବଳ ସାଙ୍ଗରେ ରହିବାର ଅଭିନୟ କରୁଥିଲେ। ଆକାଂକ୍ଷାଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ଦୁହିଁଙ୍କ ଅଲଗା ହେବାର କାରଣ ଖୋଜାଯାଉଥିବା ବେଳେ, ଗୌରବଙ୍କର ଏକ ପୁରୁଣା ବୟାନ ଏବେ ଭାଇରାଲ ହେବାରେ ଲାଗିଛି। ଏହି ବୟାନକୁ ହିଁ ଦୁହିଁଙ୍କ ଛାଡ଼ପତ୍ରର ଅସଲ କାରଣ ବୋଲି କୁହାଯାଉଛି।
ଅଭିନେତ୍ରୀ ଆକାଂକ୍ଷା ଚମୋଲା ପୂର୍ବରୁ ହିଁ ସ୍ପଷ୍ଟ କରିସାରିଥିଲେ ଯେ ସେ ମା’ ହେବାକୁ ଚାହାନ୍ତି ନାହିଁ। କିନ୍ତୁ ଅନ୍ୟପଟେ ଗୌରବ ଖାନ୍ନା ନିଜ ବୈବାହିକ ଜୀବନ ଓ ପିଲାମାନଙ୍କୁ ନେଇ ଏକ ଭିନ୍ନ ଇଚ୍ଛା ରଖିଥିଲେ। ‘ବିଗ ବସ’ ଘରେ ଥିବା ସମୟରେ ଗୌରବ ନିଜ ବିବାହ ଏବଂ ସନ୍ତାନ ବିଷୟରେ କହିଥିଲେ ଯେ ଆମର ବିବାହକୁ ୯ ବର୍ଷ ହୋଇସାରିଲାଣି, କିନ୍ତୁ କୌଣସି ସନ୍ତାନ ନାହିଁ। ମୁଁ ମୋ ସ୍ତ୍ରୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନେଇଛି। ଦିନଥିଲା ଯେତେବେଳେ ମୁଁ ସନ୍ତାନ ଚାହୁଁଥିଲି, ସେ ପ୍ରସ୍ତୁତ ନ ଥିଲେ ଏବଂ ମୁଁ ତାଙ୍କ କଥା ବୁଝିଥିଲି। ଭଲପାଇଛୁ ଯେତେବେଳେ, ସମ୍ପର୍କ ତ ନିଭାଇବାକୁ ପଡ଼ିବ।
ଗୌରବ ଆହୁରି ମଧ୍ୟ କହିଥିଲେ ଯେ, ସନ୍ତାନ ଏକ ବଡ଼ ଦାୟିତ୍ୱ। ସେ ନିଜେ ଦିନସାରା ଶୁଟିଂରେ ବ୍ୟସ୍ତ ରୁହନ୍ତି। ଯଦି ପିଲା ହେବା ପରେ ଆକାଂକ୍ଷା ମଧ୍ୟ କାମ ଆରମ୍ଭ କରିଦେବେ, ତେବେ ପିଲାର ଲାଳନପାଳନ କିଏ କରିବ? ସେ କୌଣସି ବାହାର ଲୋକ ବା ଆୟା ଭରସାରେ ନିଜ ଛୁଆକୁ ଛାଡ଼ିବାକୁ ଠିକ ମନେ କର ନ ଥିଲେ।
କହିରଖୁଛୁ, ’ବିଗ ବସ ୧୯’ର ଫ୍ୟାମିଲି ୱିକ୍ ସମୟରେ ଆକାଂକ୍ଷା ଗୌରବଙ୍କୁ ସମର୍ଥନ କରିବାକୁ ପହଞ୍ଚିଥିଲେ। ସେଠାରେ ସେ ମାଲତୀ ଚାହର ଏବଂ ପ୍ରଣୀତ ମୋରେଙ୍କ ସାମ୍ନାରେ କହିଥିଲେ ଯେ, ସେ ପିଲା ଚାହାନ୍ତି ନାହିଁ। ଏପରି ନୁହେଁ ଯେ ସେ କିଛି ପ୍ଲାନିଂ କରୁନାହାନ୍ତି, କିନ୍ତୁ ତାଙ୍କୁ କେବେ ସନ୍ତାନର ଆବଶ୍ୟକତା ଅନୁଭବ ହୋଇନାହିଁ କି ତାଙ୍କ ଭିତରେ ଏପରି କୌଣସି ଭାବନା ନାହିଁ। ନିଜର ଏହି ବୟାନ ପାଇଁ ଆକାଂକ୍ଷା ସୋସିଆଲ ମିଡିଆରେ ବେଶ ଟ୍ରୋଲ ମଧ୍ୟ ହୋଇଥିଲେ। ବିଚାରଧାରାରେ ଏହି ମତଭେଦ ହିଁ ଶେଷରେ ଏହି ଷ୍ଟାର୍ ଦମ୍ପତିଙ୍କୁ ଅଲଗା ହେବା ପଥକୁ ଟାଣି ଆଣିଛି।