ଅବସର ନେବେ କି ରୋହିତ ଶର୍ମା: BCCI ଦେଲା ବଡ଼ ବୟାନ
ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଲର୍ଡସ ଦିନିକିଆ ପରେ ଅନ୍ତର୍ଜୀତୀୟ କ୍ରିକେଟରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ରୋହିତ ଶର୍ମା ଲର୍ଡସରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ତେଣୁ ରୋହିତ ଖେଳିବା ଜାରି ରଖିବେ। ତେବେ ଏଟି ପ୍ରଶ୍ନ ଉଠୁଛି, ରୋହିତଙ୍କ ଉପରେ ଏତେ ଚାପ କାହିଁକି ଦିଆଯାଉଛି? ଲର୍ଡସରେ ସୀମିତ ଓଭର କ୍ରିକେଟରେ ରୋହିତ ଶର୍ମାଙ୍କ ରେକର୍ଡ ପ୍ରଭାବଶାଳୀ ହୋଇନାହିଁ। ସେଠାରେ ଖେଳାଯାଇଥିବା ଦୁଇଟି ଦିନିକିଆରେ, ସେ ମୋଟ ୧୫ ରନ କରିଥିଲେ।
କଥାରେ ଅଛି,ନିଆଁ ବିନା ଧୂଆଁ ନାହିଁ। ବିସିସିଆଇ ରୋହିତଙ୍କ ଅବସର ରିପୋର୍ଟକୁ ଅସ୍ବୀକାର କରୁଥିବା ବେଳେ, ବୋର୍ଡ ସହିତ ଜଡିତ ବ୍ୟକ୍ତିମାନେ ଗଣମାଧ୍ୟମକୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଏହା ପୂର୍ବରୁ ଫର୍ମରେ ଥିବା ରୋହିତଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି। ଯଦି ସେ ଲର୍ଡସରେ ପ୍ରଦର୍ଶନ କରିବାରେ ବିଫଳ ହୁଅନ୍ତି, ତେବେ ଚୟନକର୍ତ୍ତାମାନଙ୍କୁ ତାଙ୍କୁ ବାଦ ଦେବାର ଆବଶ୍ୟକତା ମଧ୍ୟ ନ ପଡ଼ିପାରେ। ସେ ନିଜ ଇଚ୍ଛାରେ ଅବସର ନେବାକୁ ବାଛିପାରିବେ। ଯଦିଓ ରୋହିତ ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ଖେଳିବାକୁ ଆକାଂକ୍ଷା କରନ୍ତି, ପରିସ୍ଥିତି ଦ୍ରୁତ ଗତିରେ ପରିବର୍ତ୍ତନ ହୋଇପାରେ।
ରୋହିତ ୨୦୨୬ରେ ୮ଟି ଦିନିକିଆ ଖେଳିଛନ୍ତି। କେବଳ ଗୋଟିଏ ଅର୍ଦ୍ଧଶତକ (ଆଫଗାନିସ୍ତାନ ବିପକ୍ଷ) କରିପାରିଛନ୍ତି। ୬ ଥର ସେ ୩୦ ରନ ସ୍କୋରରେ ପହଞ୍ଚିପାରି ନ ଥିଲେ। ତାଙ୍କର ଶେଷ ଶତକ ଗତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଆସିଥିଲା। ଇଂଲଣ୍ଡ ବିପକ୍ଷରେ ଚାଲିଥିବା ସିରିଜର ପ୍ରଥମ ଦୁଇଟି ମ୍ୟାଚ ସମୟରେ ତାଙ୍କ ବ୍ୟାଟ ନୀରବ ରହିଥିଲା। ସେ ସଂଘର୍ଷ କରୁଥିବା ପରି ମନେ ହେଉଥିଲା ଏବଂ ଏହା ସ୍ପଷ୍ଟ ଥିଲା ଯେ, ସେ ଚାପରେ ଖେଳୁଥିଲେ। ପ୍ରଥମ ଦିନିକିଆରେ, ସେ ୧୧ ରନ କରିବା ପାଇଁ ୨୧ବଲ ନେଇଥିଲେ। ଦ୍ୱିତୀୟ ମ୍ୟାଚରେ ସେ ୪୭ ବଲରୁ ୨୬ ରନ କରିଥିଲେ। ଏହା ତାଙ୍କର ସାଧାରଣ ବ୍ୟାଟିଂ ଶୈଳୀ ସହିତ ମେଳ ଖାଉନାହିଁ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ସିରିଜ ନିର୍ଣ୍ଣାୟକ ଜୁଲାଇ ୧୯ରେ ଅନୁଷ୍ଠିତ ହେବ। ଟିମ ଇଣ୍ଡିଆ ସିରିଜର ପ୍ରଥମ ମ୍ୟାଚ ଜିତିଥିଲା। ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ ଜିତିଥିଲା। ଏହି ତୃତୀୟ ମ୍ୟାଚର ବିଜେତା ସିରିଜ କବ୍ଜା କରିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।