ଅଙ୍ଗନଦୀ ସେତୁରୁ ଉଠିଗଲା କଂକ୍ରିଟ: ଦୁର୍ଘଟଣା ଆଶଙ୍କା
ଲୋଇସିଂହା,୩।୭ (ସୁଶାନ୍ତ ବାରିକ):ବଲାଙ୍ଗୀର-ବରଗଡ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ସାଲେଭଟା ଅଙ୍ଗନଦୀ ସେତୁ ମଝି ଅଂଶ ଶୋଚନୀୟ ହୋଇ ପଡିଥିବା ସ୍ଥାନକୁ ଗତ ମଙ୍ଗଳବାର ମରାମତି କରାଯାଇଥିଲା। ହେଲେ ଦୁଇ ଦିନ ନ ପୂରୁଣୁ ସେହି ସ୍ଥାନ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିଛି। ଉପର ଠାଉରିଆ ଭାବେ ମରାମତି କାମ କରାଯାଇ ଥିବାରୁ ଯାତ୍ରୀମାନେ ପୁଣି ଦୁର୍ଘଟଣାର ଶିକାର ହେବା ଆଶଙ୍କା କରି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଓ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସୀମାନ୍ତରେ ଅଙ୍ଗନଦୀ ସେତୁ ରହିଛି। ସେତୁର ଉପରି ଭାଗର ଯୋଡାଇ ସ୍ଥାନରେ ଲାଗିଥିବା ଲୁହାଗୁଡିକ ଛାଡି ଯାଇଥିଲା। ଏହି କାରଣରୁ ସେତୁର କଂକ୍ରିଟ ଉଠିଯାଇ ସେତୁ ବିପର୍ଯ୍ୟସ୍ତ ହୋଇ ପଡିଥିଲା। ବ୍ୟସ୍ତବହୁଳ ରାଜପଥ ହୋଇଥିବାରୁ ସେତୁ ଦେଇ ହଜାର ହଜାର ଛୋଟ ବଡ ଯାନବାହନ ଚଳାଚଳ କରୁଛି। ବାଇକ୍ରେ ଯାତାୟତ କରୁଥିବା ଯାତ୍ରୀମାନେ ଏହି ସ୍ଥାନକୁ ଜାଣି ନ ପାରି ଅନେକ ସମୟରେ ଦୁର୍ଘଟଣାର ଶିକାର ହୋଇ ଆହତ ହେଉଥିଲେ। ବାରମ୍ବାର ଦୁର୍ଘଟଣା ପରେ ଗତ ମଙ୍ଗଳବାର ରାଜପଥ ବିଭାଗ ପକ୍ଷରୁ ଛାଡି ଯାଇଥିବା ଲୁହାକୁ ୱେଲଣ୍ଡିଂ କରାଯିବା ସହ ଫାଟି ଯାଇଥିବା କଂକ୍ରିଟକୁ ମରାମତି କରାଯାଇଥିଲା।
Dharitri – Odisha’s No.1 Odia Daily