ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି
ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ। ଭିଭିଏସ ଲକ୍ଷ୍ମଣ ନୂତନ ମୁଖ୍ୟ ଚୟନକର୍ତ୍ତା ହେବା ରେସ୍ରେ ଆଗୁଆ ଅଛନ୍ତି। ଏହି ନିଷ୍ପତ୍ତି ଦଳର ଭବିଷ୍ୟତ ଯୋଜନାରୁ ରୋହିତ ଶର୍ମାଙ୍କୁ ବାଦ ଦେବା ପଦକ୍ଷେପ ସହିତ ଜଡିତ ବୋଲି କୁହାଯାଉଛି। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ସମୟରେ ରୋହିତ ଶର୍ମାଙ୍କ ଅବସର ନେଇ କଳ୍ପନାଜଳ୍ପନା ଜୋର ଧରିଥିଲା।
ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଦଳ ପରିଚାଳନାକୁ ପ୍ରସ୍ତାବ ଦେଇଥିଲା ଯେ, ରୋହିତ ଶର୍ମାଙ୍କୁ ଭବିଷ୍ୟତ ଯୋଜନାରୁ ବାଦ ଦିଆଯିବ। କିନ୍ତୁ ଲର୍ଡସ ଦିନିକିଆରେ ରୋହିତ ୧୧୦ ବଲ ରୁ ୧୩୮ ରନ କରିଥିଲେ। ଏହା ଦିନିକିଆ ଇତିହାସରେ ଲର୍ଡସରେ ଜଣେ ଭାରତୀୟ ଖେଳାଳିଙ୍କ ଦ୍ୱାରା ପ୍ରଥମ ଶତକ।
ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଭାରତୀୟ ଦଳ ପରିଚାଳନା କରୁଥିବା ଅନେକ ପ୍ରମୁଖ ବ୍ୟକ୍ତି ରୋହିତ ଶର୍ମାଙ୍କୁ ୨୦୨୭ ଦିନିକିଆ ବିଶ୍ୱକପରେ ଖେଳିବାକୁ ଚାହୁଁନାହାଁନ୍ତି। BCCI ଖୁବ ଶୀଘ୍ର ଆୟରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିବାକୁ ଯାଉଛି ଏବଂ ଏହି ବୈଠକରେ ଅଜିତ ଆଗରକରଙ୍କ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନିଆଯାଇପାରେ। ଅଗରକରଙ୍କ କାର୍ଯ୍ୟକାଳ ମୂଳତଃ ଜୁନ ୨୦୨୬ରେ ଶେଷ ହୋଇଥିଲା କିନ୍ତୁ ଏହାକୁ ତିନି ମାସ ବୃଦ୍ଧି କରାଯାଇଥିଲା। ଆଶା କରାଯାଉଥିଲା ଯେ, ସେ ୨୦୨୭ ବିଶ୍ୱକପ ଶେଷ ପର୍ଯ୍ୟନ୍ତ ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିବେ, କିନ୍ତୁ ବର୍ତ୍ତମାନ ପରିସ୍ଥିତି ପରିବର୍ତ୍ତନ ହୋଇଥିବା ପରି ମନେ ହେଉଛି।
ଭିଭିଏସ ଲକ୍ଷ୍ମଣ ଟିମ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା ହୋଇପାରନ୍ତି। ଲକ୍ଷ୍ମଣଙ୍କୁ ୨୦୨୧ ଶେଷ ଭାଗରେ ବିସିସିଆଇର ସେଣ୍ଟର ଅଫ ଏକ୍ସିଲେନ୍ସ (COE) ର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ଗତ ପାଞ୍ଚ ବର୍ଷ ଧରି ଏହି ପଦବୀରେ ରହିଆସିଛନ୍ତି। ସେ ବିଭିନ୍ନ ସମୟରେ ଟିମ ଇଣ୍ଡିଆକୁ ମଧ୍ୟ କୋଚ ଦେଇଛନ୍ତି। ଲକ୍ଷ୍ମଣ ସାମ୍ପ୍ରତିକ ଜିମ୍ବାୱେ ଗସ୍ତ ସମୟରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବରେ କାର୍ଯ୍ୟ କରିଥିଲେ ଏବଂ ସେ ଏସୀୟ କ୍ରୀଡା ପାଇଁ ମଧ୍ୟ ସେହି ଭୂମିକାରେ ରହିବେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।