Welcome!

Unlock your personalized experience.
Sign Up

Nepal floods: ନେପାଳ ବନ୍ୟା ବିଭୀଷିକା: ୧୫ ଶହରୁ ଅଧିକ ନିଖୋଜ, ମୃତ୍ୟୁସଂଖ୍ୟା ୩୬୦ ଛୁଇଁଲା, ୨୮୮ ଭାରତୀୟ ନିଖୋଜ

Aug 28, 2026 - 02:44
Nepal floods: ନେପାଳ ବନ୍ୟା ବିଭୀଷିକା: ୧୫ ଶହରୁ ଅଧିକ ନିଖୋଜ, ମୃତ୍ୟୁସଂଖ୍ୟା ୩୬୦ ଛୁଇଁଲା, ୨୮୮ ଭାରତୀୟ ନିଖୋଜ

କାଠମାଣ୍ଡୁ: ନେପାଳ ଓ ଚୀନ୍‌ ସୀମାବର୍ତ୍ତୀ ତିବ୍ବତ ଅଞ୍ଚଳରେ ଗତକାଲି ଭୂସ୍ଖଳନ ଓ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ଆସିଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାଜନିତ ମୃତ୍ୟୁସଂଖ୍ୟା ଆଜି ୩୬୦ରେ ପହଞ୍ଚିଛି। ନେପାଳର ରସୁଆ, ଧାଡ଼ିଙ୍ଗ ଏବଂ ନୁୱାକୋଟ ଜିଲ୍ଲାରେ ଏହି ପ୍ରାକୃତିକ ବିପର୍ଯ୍ୟୟ ସବୁଠାରୁ ଅଧିକ ତାଣ୍ଡବ ରଚିଥିବା ବେଳେ ୫ଟି ଜିଲ୍ଲାରେ ଭୀଷଣ କ୍ଷୟକ୍ଷତି ହୋଇଛି।  ଏହି ବିପର୍ଯ୍ୟୟରେ ପ୍ରାୟ ୧,୫୦୦ ଜଣ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅତିକମ୍‌ରେ ୮୦୦ ଜଣ ବିଦେଶୀ ନାଗରିକ ସାମିଲ ଥିବା ନେଇ ନେପାଳ ପୁଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନେପାଳ ପୁଲିସ ମୁଖପାତ୍ର ଅବିନାରାୟଣ କାଫ୍‌ଲେ ଗଣମାଧ୍ୟମକୁ କହିଛନ୍ତି ଯେ ଉଦ୍ଧାରକାରୀ ଦଳ ପକ୍ଷରୁ ସର୍ଚ୍ଚ ଅପରେସନ ପୁନର୍ବାର ଆରମ୍ଭ କରାଯାଇଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ସେହିପରି ତିବ୍ବତର ଜିଲୋଙ୍ଗ କାଉଣ୍ଟିରେ ୨୬୦ ବିଦେଶୀଙ୍କ ସମେତ ପ୍ରାୟ ୫୫୮ ଜଣ ନିଖୋଜ ଥିବା ବେଳେ ଜିଲୋଙ୍ଗ ବନ୍ଦର ନିକଟରେ ମାଟି ଅତଡ଼ା ଧସି ୩୦ରୁ ଅଧିକ  ନିଖୋଜ ଅଛନ୍ତି।  

Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି

ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ନେପାଳରେ ନିଖୋଜ ଥିବା ଭାରତୀୟଙ୍କ ମଧ୍ୟରୁ ୨୧ ଜଣଙ୍କକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେମାନେ ସମସ୍ତେ ତାମିଲନାଡୁର ବାସିନ୍ଦା ଏବଂ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୨୮୮ ଜଣ ଭାରତୀୟ ନାଗରିକ ସେଠାରେ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ଅବସ୍ଥାରେ ଅଛନ୍ତି। ସେମାନଙ୍କ ମଧ୍ୟରେ ତ୍ରିଶୂଳୀ ଜଳବିଦ୍ୟୁତ୍‌ ପ୍ରକଳ୍ପରେ କାର୍ଯ୍ୟରତ ୭୩ ଜଣ ଭାରତୀୟ କର୍ମଚାରୀ ସାମିଲ ଅଛନ୍ତି। ଏହା ବ୍ୟତୀତ ତିବ୍ବତ ସୀମାରେ ସୁରକ୍ଷିତ ଥିବା ପ୍ରାୟ ୨୦୦ ଭାରତୀୟ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସହାୟତା ମାଗିଛନ୍ତି।  ସେମାନଙ୍କ ମଧ୍ୟରୁ ୯୫ ଜଣ ଦାରଚେନରେ, ୪ ଜଣ ଜିଲୋଙ୍ଗ ସହରରେ, ୩୦ ଜଣ ଜୁତୁଲଫୁକରେ ଏବଂ ବାକି ୬୦ରୁ ୭୦ ଜଣ ଅନ୍ୟାନ୍ୟ ସ୍ଥାନରେ ରହିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜରୁରିକାଳୀନ ହେଲ୍‌ପ ଲାଇନ ନମ୍ବର +୯୭୭ ୯୮୫୧୩୧୬୮୦୭ ଏବଂ +୯୭୭ ୯୭୦୯୧୦୭୫୦୦ ଜାରି କରାଯାଇଛି। ବେଜିଂସ୍ଥିତ ଭାରତୀୟ ଦୂତାବାସ ମଧ୍ୟ ହ୍ବାଟ୍ସଆପ୍ ନମ୍ବର ୦୦୮୬ ୧୮୫୧୪୨୮୪୯୦୫ ଜାରି କରିଛି। ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ୧୩୪, ୧୧୪୪ ଏବଂ ଟୁରିଷ୍ଟ ପୁଲିସ ନମ୍ବର ୯୮୫୧୨୮୯୪୪୫ କାର୍ଯ୍ୟକ୍ଷମ କରାଯାଇଛି। ଅପରପକ୍ଷରେ ନେପାଳ ସୀମାକୁ ଲାଗିରହିଥିବା ବିହାର ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି।

ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ପ୍ରକାଶ କରିଛନ୍ତି ଯେ ଭାରତ ପକ୍ଷରୁ ନେପାଳକୁ ମାନବୀୟ ସହାୟତା ଯୋଗାଇବା ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି। ଦ୍ବିତୀୟ ବିମାନ ଯୋଗେ ୩୭.୫ ଟନ୍‌ର ଜରୁରି ସାମଗ୍ରୀ, ଔଷଧ ଓ ଶୁଖିଲା ଖାଦ୍ୟ ପଠାଯାଇଛି। ଗତ ରାତିରେ ବାୟୁସେନାର ସି-୧୩୦ଜେ ବିମାନ ଯୋଗେ ୧୦ ଟନ୍ ରିଲିଫ୍ ସାମଗ୍ରୀ ଯଥା ଅସ୍ଥାୟୀ ତମ୍ବୁ, କମ୍ବଳ, ସୋଲାର ଲାଇଟ୍ ପ୍ରଭୃତି ପଠାଯାଇଥିଲା। ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହ ଆଜି ସକାଳେ ସଡ଼କ ପଥରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ନୁୱାକୋଟ ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ଉଦ୍ଧାର କାର୍ଯ୍ୟ  ତଦାରଖ କରିଛନ୍ତି। ନେପାଳ ସେନା ମୁଖପାତ୍ର ରାଜାରାମ ବାସନେତ ସୂଚନା ଦେଇଛନ୍ତି ଯେ ପ୍ରାୟ ୫,୦୦୦ରୁ ଅଧିକ ସେନା ଏବଂ ପୁଲିସ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭାରତ ପକ୍ଷରୁ ମିଳିଥିବା ହେଲିକପ୍ଟର ସାହାଯ୍ୟରେ ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଖାଦ୍ୟ ଓ ତମ୍ବୁ ଏୟାରଡ୍ରପ୍ କରାଯାଉଛି।

ଓଡ଼ିଆ ଦମ୍ପତିଙ୍କ ପତ୍ତା ମିଳୁନି

Bank account: ପିଏମ୍‌ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା

ଭୁବନେଶ୍ବର: ନେପାଳରେ ଆସିଥିବା ଆକସ୍ମିକ ବନ୍ୟାରେ ଶତାଧିକ ଭାରତୀୟ ନିଖୋଜ ଅଛନ୍ତି। ଏଥିରେ ଓଡ଼ିଶାର ଦୁଇ ଜଣ ଥିବା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିଛି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁ।  ଏହି ଦମ୍ପତି ୨୦୧୮ ମସିହାରୁ ଅଷ୍ଟ୍ରେଲିଆରେ ରହୁଥିବାବେଳେ ଅଗଷ୍ଟ ୨୨ରେ ନେପାଳ ଭ୍ରମଣରେ ଯାଇଥିଲେ। ଉଭୟଙ୍କର ମୋବାଇଲ୍‌ ଫୋନ୍ ସୁଇଚ୍ ଅଫ୍ ଥିବାରୁ ସେମାନଙ୍କ ସହ ପରିବାର ଲୋକ ଯୋଗାଯୋଗ କରିପାରୁନାହାନ୍ତି। ସନ୍ଦୀପଙ୍କ ଭଉଣୀଙ୍କଠାରୁ ରାଜ୍ୟ ସରକାର ସମସ୍ତ ତଥ୍ୟ ସଂଗ୍ରହ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଦେଇଛନ୍ତି। ସେହିପରି ଟ୍ରେକିଂ ପାଇଁ ସାଙ୍ଗମାନଙ୍କ ସହ ନେପାଳ ଯାଇଥିବା ମୟୂରଭଞ୍ଜ ଜିଲ୍ଲା ବାରିପଦାର ୨୨ ବର୍ଷୀୟା ଯୁବତୀ କୁଲସୁମ୍ ନିଗାରା ଏବଂ ଭୁବନେଶ୍ବରର ଦୀପିକା ଏକ୍କାଙ୍କ ସହ ଆଜି ପରିବାର ଲୋକ ଯୋଗାଯୋଗ କରିବାରେ ସକ୍ଷମ ହୋଇଛନ୍ତି। ସେମାନେ ନେପାଳରେ ସୁରକ୍ଷିତ ଥିବା ଜଣାପଡ଼ିଛି।

୭ ଜଣ ଫୁଟ୍‌ବଲ୍‌ ଖେଳାଳି ସୁରକ୍ଷିତ ଅଛନ୍ତି: କ୍ରୀଡ଼ା ମନ୍ତ୍ରୀ

ଏହାବାଦ୍ ପୁରୀ ଜିଲ୍ଲାର ରାକେଶ କୁମାର ପଣ୍ଡା ଅନ୍ୟ ଦୁଇଜଣଙ୍କ ସହ ନେପାଳ ଯାଇଥିବାବେଳେ ସେମାନେ ମଧ୍ୟ ସୁରକ୍ଷିତ ଅଛନ୍ତି। ଗତକାଲିର ବନ୍ୟା ପରେ ସେମାନେ ଏବେ ଭାରତ ଫେରୁଛନ୍ତି। ରାକେଶ ଆଜି ‘କନକ ନ୍ୟୁଜ୍‌’କୁ କହିଛନ୍ତି ଯେ ସେମାନେ ପଶୁପତିନାଥ ମନ୍ଦିରରେ ଯାଜପୁରର ୭ ଜଣ ଯୁବତୀଙ୍କୁ ଭେଟିଥିଲେ। କିନ୍ତୁ ସେମାନଙ୍କ ବିଷୟରେ ଏବେ କୌଣସି ସୂଚନା ତାଙ୍କ ପାଖରେ ନାହିଁ। ଅପରପକ୍ଷରେ ଯାଜପୁର ଜିଲ୍ଲାରୁ କେହି ନିଖୋଜ ଥିବା ନେଇ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇନଥିବା ଜଣାପଡ଼ିଛି। ସେହିପରି ନେପାଳ ଗସ୍ତରେ ଥିବା ୭ ଜଣ ଫୁଟବଲ ଖେଳାଳି ସୁରକ୍ଷିତ ଅଛନ୍ତି। ସେମାନେ ନେପାଳର ଦୁର୍ଘଟଣାସ୍ଥଳଠାରୁ ୨୦୦ କିଲୋମିଟର ଦୂରରେ ରହିଥିବା ଓଡ଼ିଶା ଅଲିମ୍ପିକ ସଂଘ ସଂପାଦକ ଅଭିଜିତ ପାଲ ସୂଚନା ଦେଇଛନ୍ତି। ଖୋର୍ଦ୍ଧାର ୭ଜଣ ଫୁଟବଲ ଖେଳାଳି କିଛି ଦିନ ତଳେ ମ୍ୟାଚ୍‌ ଖେଳିବାକୁ ନେପାଳ ଗସ୍ତ କରିଥିଲେ। ବୁଧବାର ଘଟିଥିବା ଭୟଙ୍କର ବନ୍ୟା ବିଭୀଷିକା ପରେ ଏହି ପିଲାମାନେ ସେଠାକୁ ଯାଇଥିବା ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓଡ଼ିଶା ଅଲିମ୍ପିକ ସଂଘକୁ ଅବଗତ କରାଇଥିଲେ। ଏହା ସହ ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଖେଳାଳି ସୁରକ୍ଷିତ ଅଛନ୍ତି।
ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କେହି ବି ୦୧୧-୨୩୦୧୨୮୦୭/ ୭୪୨୮୧୩୫୦୪୪/ ୮୫୨୭୫୮୦୨୪୫, ବୈଦେଶିକ ମନ୍ତ୍ରଣାଳୟର ହେଲ୍‌ପ ଲାଇନ୍ ୯୭୭୯୮୫୧୩୧୬୮୦୭ / ୯୭୭୯୭୦୯୧୦୭୫୦୦ ନମ୍ବରରେ ଫୋନ୍‌ କରି ନେପାଳ ବନ୍ୟା ସମ୍ପର୍କରେ ସହାୟତା ପାଇପାରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)