Nameless railway station : ଭାରତର ଅନାମ ରେଲୱେ ଷ୍ଟେସନ, ୨ ଗାଁର କଳିରୁ ହଟିଲା ସାଇନବୋର୍ଡ
ନୂଆଦିଲ୍ଲୀ, ୨୪/୦୭ : ଭାରତର ଏକମାତ୍ର ଅନାମ ରେଲୱେ ଷ୍ଟେସନ। ଏଠି ଲାଗିନି କୌଣସି ନେମପ୍ଲେଟ୍। ଟ୍ରେନ୍ ଚାଲୁଛି, ଯାତ୍ରୀ ବି ଯିବା ଆସିବା କରୁଛନ୍ତି। ହେଲେ ରେଲୱେ ଷ୍ଟେସନର ନାମ ନାହିଁ। ଗତ କିଛି ବର୍ଷ ହେବ ଏହି ରେଲୱେ ଷ୍ଟେସନର ନାମକୁ ହଟାଇ ଦିଆଯାଇଛି। ଏହା ପଛରେ ଏକ ରୋଚକ କାରଣ ରହିଛି। ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଭାରତୀୟ ରେଲୱେ ଦୁନିଆର ଚତୁର୍ଥ ବଡ଼ ନେଟୱାର୍କ। ଏଠାରେ ପ୍ରତିଦିନ ୧୩ ହଜାରରୁ ଅଧିକ ପାସେଞ୍ଜର ଟ୍ରେନ୍ ଚାଲୁଛି। ୭ ହଜାର ୩୦୦ରୁ ଅଧିକ ରେଲୱେ ଷ୍ଟେସନକୁ ଯାତାୟାତ କରୁଛି। ପ୍ରତି ଷ୍ଟେସନରେ ଏକ ହଳଦିଆ ରଙ୍ଗର ବୋଡ୍ରେ ନାମ ଲେଖାଯାଇଛି। ଏଥିରୁ ଯାତ୍ରୀମାନେ ଷ୍ଟେସନ ବିଷୟରେ ଜାଣିପାରନ୍ତି। ହେଲେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଏଭଳି ଏକ ରେଲୱେ ଷ୍ଟେସନ ରହିଛି, ଯାହାର ବୋର୍ଡରେ କୌଣସି ନାମ ଲେଖାଯାଇ ନାହିଁ।
୨୦୦୮ ମସିହାରେ ଏହି ଅନାମ ଷ୍ଟେସନ ତିଆରି ହୋଇଥିଲା। ଏହି ଷ୍ଟେସନ ବର୍ଦ୍ଧମାନ ସହର ଠାରୁ ପ୍ରାୟ ୩୫ କିମି ଦୂର। ରୈନା ଏବଂ ରୈନାଗଡ଼ ଗାଁ ମଝିରେ ଷ୍ଟେସନଟି ନିର୍ମାଣ ହୋଇଛି। ପ୍ରଥମେ ଏହାର ନାମ ରୈନାଗଡ଼ ରଖାଯାଇଥିଲା। ଏହା ଦେଖି ରୈନା ଗାଁର ଲୋକମାନେ ଏହାର ବିରୋଧ କରିଥିଲେ। ଗ୍ରାମବାସୀଙ୍କ କହିବା କଥା ଏହି ଷ୍ଟେସନଟି ରୈନା ଗାଁର ଜମିରେ ତିଆରି ହୋଇଛି। ତେଣୁ ନାମ ରୈନା ରହିବା ଉଚିତ୍। ସେପଟେ ଆରମ୍ଭରୁ ଷ୍ଟେସନର ନାମ ରୈନାଗଡ଼ ଥିବାରୁ ଏହି ନାମ ବଜାୟ ରଖିବାକୁ ରୈନାଗଡ଼ ଲୋକ ଦାବି କରିଥିଲେ। ଯାହାଫଳରେ ଉଭୟ ଗାଁ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା।
ରେଲୱେ ପ୍ରଶାସନ ଉଭୟ ଗାଁକୁ ବୁଝାସୁଝା କରିବାରେ ବିଫଳ ହୋଇଥିଲା। ଉଭୟ ଗାଁ ପଛକୁ ହଟିବାକୁ ନାରାଜ ଥିଲେ। ଧୀରେ ଧୀରେ ଏହି ବିବାଦ ଆହୁରି ବଢିବାକୁ ଲାଗିଲା। ଶେଷରେ ମାମଲାଟି କୋର୍ଟ ଯାଏଁ ପହଞ୍ଚିଗଲା। ଷ୍ଟେସନର ନାମ କଣ ରହିବ ବୋଲି ଦୀର୍ଘ ଦିନ ଯାଏଁ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ। ଶେଷରେ ବାଧ୍ୟ ହୋଇ ରେଲୱେ ପ୍ରଶାସନ ହଳଦିଆ ବୋର୍ଡରୁ ନାମ ଲିଭାଇ ଦେଲା। ଏହାପରଠୁ ଏହି ସାଇନ୍ ବୋର୍ଡ ଆଜି ଯାଏଁ ଖାଲି ରହିଛି। ଏହି ଷ୍ଟେସନରେ ଟ୍ରେନ୍ ଅଟକୁଛି। ଯାତ୍ରୀମାନେ ବି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବା ଆସିବା କରୁଛନ୍ତି। ହେଲେ ଷ୍ଟେସନର କୌଣସି ନାମ ନାହିଁ। ତେବେ ଏଠାକାର ରେଲୱେ ରେକର୍ଡ ଏବଂ ଟିକଟରେ ରାମଗଡ଼ ବୋଲି ଉଲ୍ଲେଖ ରହିଛି। କିନ୍ତୁ ବିନା ନାଁରେ ଷ୍ଟେସନ ଚାଲିଛି।
ଆହୁରି ପଢନ୍ତୁ- ଏହି ମନ୍ଦିରରେ ଭସ୍ମ ହୁଏ ପ୍ରସାଦ, ଜାଣନ୍ତୁ କ’ଣ ରହିଛି ଧାର୍ମିକ ମାନ୍ୟତା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।