MSME support ରାଜ୍ୟର ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କୁ ମିଳିବ ଗୁରୁତ୍ବ: ସାଧାରଣ ଉଦ୍ୟୋଗ ମନ୍ତ୍ରୀ
"ବାରିପଦା: ରାଜ୍ୟର ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କୁ ଗୁରୁତ୍ବ ମିଳିବ।
ସେମାନଙ୍କ ଋଣ ପ୍ରଦାନ ବ୍ୟବସ୍ଥାକୁ ସୁଗମ କରାଯିବ ଏବଂ ଉଦ୍ୟୋଗ ସ୍ଥିତି ସମ୍ପର୍କରେ ସଚେତନତା ମଧ୍ୟ କରାଯିବ ବୋଲି ଆନ୍ତର୍ଜାତୀୟ ବିଶ୍ୱ ଏମଏସଏମଇ ଦିବସ ଅବସରରେ, ବାରିପଦାସ୍ଥିତ ଐତିହାସିକ ଶ୍ରୀରାମ ଚନ୍ଦ୍ର ପାଠାଗାରଠାରେ ମୟୂରଭଞ୍ଜ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ 'ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ' ଅଧୀନରେ ଏକ ସ୍ବତନ୍ତ୍ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗୃହନିର୍ମାଣ ଓ ନଗର ଉନ୍ନୟ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
Advertisment ଗତକାଲି (ଶନିବାର) 'ଉଦ୍ୟୋଗୀ ସଚେତନତା ଏବଂ ଋଣ ସୁବିଧା' ବିଷୟବସ୍ତୁକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ଏଥିରେ ଅଞ୍ଚଳର ନୂତନ ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ବ୍ୟବସାୟୀମାନେ ଯୋଗ ଦେଇଥିଲେ।
ଏଥିରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ର ପାଇଁ ଏକ ସୁଦୃଢ଼ ଓ ଆତ୍ମନିର୍ଭରଶୀଳ ବ୍ୟବସ୍ଥା ଗଠନ କରିବା ନେଇ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
ଆର୍ଥିକ ସାକ୍ଷରତାର ପ୍ରସାର ଏବଂ ସଂସ୍ଥାଗତ ଋଣ ପ୍ରକ୍ରିୟାକୁ ସହଜ କରିବା ଦ୍ୱାରା ମୟୂରଭଞ୍ଜର ବିପୁଳ ତଥା ଅପ୍ରକାଶିତ ଉଦ୍ୟୋଗୀ ପ୍ରତିଭାକୁ ସାମ୍ନାକୁ ଅଣାଯାଇପାରିବ।
ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଋଣ ଉପଲବ୍ଧତା ଏବଂ ତୃଣମୂଳ ସ୍ତରର ନବୋନ୍ମେଷ ମଧ୍ୟରେ ଥିବା ଦୂରତାକୁ ଦୂର କରିବା ଉପରେ ଆମେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ କରୁଛୁ," ବୋଲି ଡ.
ମହାପାତ୍ର କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଋଣ ଯୋଜନା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନୀତି ଏବଂ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ବିପଦମୁକ୍ତ କରିବା ପାଇଁ ପ୍ରସ୍ତୁତ ସବସିଡି ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
ଏହି ଅଧିବେଶନରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ବରିଷ୍ଠ ଅଧିକାରୀ, ବ୍ୟାଙ୍କ ପ୍ରତିନିଧି ଏବଂ ସ୍ଥାନୀୟ ପ୍ରଶାସନିକ ସଂସ୍ଥାର ଅଧିକାରୀମାନେ ଯୋଗଦେଇ ଉପସ୍ଥିତ ବ୍ୟକ୍ତିମାନଙ୍କୁ ତୁରନ୍ତ ପଞ୍ଜୀକରଣ ଏବଂ ସହଜ ଋଣ ମଞ୍ଜୁରୀ ପ୍ରକ୍ରିୟା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।
"