MP High Court Big Order: ସ୍ତ୍ରୀକୁ ଖୁସି କରିବା ପାଇଁ ସ୍ୱାମୀ ନିଜ ବାପା-ମା'ଙ୍କ ସହ ସମ୍ପର୍କ ତୁଟାଇବା ବେଆଇନ

Jul 09, 2026 - 19:28
MP High Court Big Order: ସ୍ତ୍ରୀକୁ ଖୁସି କରିବା ପାଇଁ ସ୍ୱାମୀ ନିଜ ବାପା-ମା'ଙ୍କ ସହ ସମ୍ପର୍କ ତୁଟାଇବା ବେଆଇନ

ବୈବାହିକ ପରିବାର ଏବଂ ସମ୍ପର୍କକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଶୁଣାଇଛନ୍ତି ଐତିହାସିକ ରାୟ । ଜଣେ ପୁଅ ନିଜ ବୃଦ୍ଧ ବାପା-ମା'ଙ୍କ ସେବା କରିବା ଭାରତୀୟ ସଂସ୍କୃତିରେ ସମ୍ପୂର୍ଣ୍ଣ ସ୍ୱାଭାବିକ । କେବଳ ସ୍ତ୍ରୀକୁ ଖୁସି କରିବା ପାଇଁ ଜଣେ ସ୍ୱାମୀ ନିଜ ବାପା-ମା'ଙ୍କ ସହ ସମ୍ପର୍କ ତୁଟାଇଦେବ, ଏପରି ଆଶା ରଖିବା ସମ୍ପୂର୍ଣ୍ଣ ବେଆଇନ । ସ୍ୱାମୀ ବାପା-ମା'ଙ୍କ ଯତ୍ନ ନେଉଥିବା ଦର୍ଶାଇ କୌଣସି ପତ୍ନୀ ଶାଶୁଘର ଛାଡ଼ି ପାରିବେ ନାହିଁ କି ଭରଣପୋଷଣ ଦାବି କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମାନ୍ୟବର କୋର୍ଟ ।

ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ଶୁଣାଣି କରି ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ୍ ଜୟ କୁମାର ପିଲ୍ଲାଇ ଗତ ଜୁଲାଇ ୮ ତାରିଖରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପୂର୍ବରୁ ଏକ ଫ୍ୟାମିଲି କୋର୍ଟ, ଶାଶୁଘର ଲୋକଙ୍କ ସହ ଭଲ ସମ୍ପର୍କ ନଥିବା ଏବଂ ସ୍ୱାମୀ ନିଜ ବାପା-ମା'ଙ୍କୁ ଅଧିକ ସମୟ ଦେଉଥିବା ଦର୍ଶାଇ ଅଲଗା ରହୁଥିବା ସ୍ତ୍ରୀ ଓ ଦୁଇ ପିଲାଙ୍କ ପାଇଁ ମାସିକ ୨୦, ୦୦୦ ଟଙ୍କାର ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସ୍ୱାମୀ ।

ହାଇକୋର୍ଟ ନିଜ ରାୟରେ କହିଛନ୍ତି, 'ଭାରତୀୟ ପରମ୍ପରାରେ ବାପା-ମା'ଙ୍କ ସେବା କରିବା ପ୍ରତିଟି ପୁଅର କର୍ତ୍ତବ୍ୟ । ଏହାକୁ ଆଧାର କରି ପତ୍ନୀ ଶାଶୁଘର ଛାଡ଼ିବା ଅନ୍ୟାୟ । ଆଇନ ଅନୁଯାୟୀ ଯଦି ପତ୍ନୀ କୌଣସି ବଳିଷ୍ଠ କାରଣ ବିନା ନିଜ ଇଚ୍ଛାରେ ସ୍ୱାମୀଙ୍କୁ ଛାଡ଼ି ଅଲଗା ରୁହନ୍ତି, ତେବେ ସେ ଭରଣପୋଷଣ ପାଇବାକୁ ହକଦାର ନୁହନ୍ତି।'

ତେବେ ପତ୍ନୀ ଜଣକ ସ୍ୱାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ଆଣିଥିବା ଯୌତୁକ ନିର୍ଯାତନା ମାମଲା ମିଥ୍ୟା ପ୍ରମାଣିତ ହୋଇଛି । ଏହା ସହ ସେ ସ୍ୱାମୀଙ୍କ ଚରିତ୍ର ସଂହାର କରିବା ଭଳି ଭିତ୍ତିହୀନ ଆରୋପ ଲଗାଇଥିଲେ, ଯାହାକୁ କୋର୍ଟ 'ମାନସିକ ନିର୍ଯାତନାର ସବୁଠାରୁ ଭୟଙ୍କର ରୂପ' ବୋଲି କହିଛନ୍ତି ।

"ବୈବାହିକ ଆଇନ ପରିସରରେ, ଶାଶୁଘର ସହ ମନାନ୍ତର ହେବା କିମ୍ବା ସ୍ୱାମୀ ନିଜ ପରିବାରର ଯତ୍ନ ନେବା, ସ୍ତ୍ରୀ ପାଇଁ ଘର ଛାଡ଼ି ଚାଲିଯିବାର ଏବଂ ପରେ ଟଙ୍କା ଦାବି କରିବାର କୌଣସି ଯଥାର୍ଥ କାରଣ ହୋଇପାରିବ ନାହିଁ ।"

ହାଇକୋର୍ଟ ଫ୍ୟାମିଲି କୋର୍ଟଙ୍କ ରାୟକୁ ବଦଳାଇ ସ୍ତ୍ରୀଙ୍କୁ ମିଳିବାକୁ ଥିବା ଭରଣପୋଷଣ ରାଶିକୁ ରଦ୍ଦ କରିଦେଇଛନ୍ତି । ତେବେ ଦୁଇ ନାବାଳକ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ଆର୍ଥିକ ସହାୟତାକୁ କୋର୍ଟ ବଳବତ୍ତର ରଖିଛନ୍ତି । ପାରିବାରିକ ମୂଲ୍ୟବୋଧକୁ ସୁରକ୍ଷା ଦେଉଥିବା ଏହି ରାୟ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।