Mouse eradication : ମାରିଅନ୍ ଦ୍ୱୀପରେ ମୂଷାଙ୍କ ଉତ୍ପାତ, ୬ ହେଲିକପ୍ଟରରୁ ପଡ଼ିବ ୫୫୦ ଟନ୍ ବିଷ, ଖର୍ଚ୍ଚ ହେବ ୧ କୋଟି ଡଲାର
ନୂଆଦିଲ୍ଲୀ, ୧୧/୦୭ : ମୂଷା ଯେକୌଣସି ସ୍ଥାନରେ ସହଜରେ ପ୍ରବେଶ କରିପାରେ। ଏହାପରେ ଏଭଳି ସମସ୍ୟା ଉତ୍ପନ୍ନ କରେ ଯାହା ମଣିଷକୁ ବିଚଳିତ, କ୍ରୋଧିତ ଓ ଭୟଭୀତ କରିଦିଏ । କିନ୍ତୁ ଏକ ଦ୍ୱୀପ ଅଛି, ଯାହାକୁ ମୂଷା କବ୍ଜା କରିନେଇଛନ୍ତି। ମୂଷାଙ୍କ ପାଇଁ ଦ୍ୱୀପର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଗିଡ଼ିଯାଇଛି ଏବଂ ପରିବେଶ ପୂରା ଅଶାନ୍ତ ହୋଇପଡ଼ିଛି । ମୂଷାଙ୍କୁ ନିପାତ କରିବା ଲାଗି ଏହି ଦ୍ୱୀପ ଏକ ବଡ଼ ପଦକ୍ଷେପ ନେଇଛି । ସମଗ୍ର ଅଞ୍ଚଳରେ ୫୫୦ ଟନ୍ ବିଷ ପକାଇବା ପାଇଁ ଏହା ୬ ହେଲିକପ୍ଟର ଭଡ଼ାରେ ନେଇଛି ।
ମାରିଅନ୍ ଦ୍ୱୀପ ଦକ୍ଷିଣ ଆଫ୍ରିକା ଦ୍ୱାରା ପରିଚାଳିତ ଏକ ଉପଆଣ୍ଟାର୍କଟିକ୍ ଦ୍ୱୀପ । ଏଠାରେ ମୂଷାଙ୍କ ଉପଦ୍ରବ ଏତେ ମାତ୍ରାରେ ବଢ଼ିଯାଇଛି ଯେ ମୂଷା ବଂଶ ନିପାତ ବଡ଼ ଆହ୍ୱାନ ହୋଇଛି । ଏହି ମୂଷା ସାମୁଦ୍ରିକ ପକ୍ଷୀଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି । ନିକଟ ଅତୀତରେ ବୈଜ୍ଞାନିକମାନେ ଲକ୍ଷ୍ୟ କଲେ, ମୂଷା ଅଲ୍ବାଟ୍ରସ୍ ଓ ପେଙ୍ଗୁଇନ୍ ଭଳି ଜୀବଙ୍କୁ ଆକ୍ରମଣ କରୁଛନ୍ତି । ଏମାନଙ୍କ ଅଣ୍ଡା ଓ ଛୁଆ ମୂଷାଙ୍କ ଭୋଜନ ପାଲଟିଛନ୍ତି।
୧୦ ଲକ୍ଷରୁ ଅଧିକ ମୂଷାଙ୍କ କବଳରୁ ଏହି ଜୀବଙ୍କୁ ବଞ୍ଚାଇବା ବିଶେଷଜ୍ଞଙ୍କ ପାଇଁ ବଡ଼ ଚାଲେଞ୍ଜ ପାଲଟିଛି। ଏହି ବଡ଼ ଅଭିଯାନରେ ପ୍ରାୟ ୧ କୋଟି ଡଲାର ଖର୍ଚ୍ଚ ହେବ । ସମଗ୍ର ଦ୍ୱୀପରେ ବିଷ ପକାଇବା ପୂର୍ବରୁ ୨୦୨୭ରେ ଏକ ଛୋଟ ସ୍ଥାନରେ ପରୀକ୍ଷଣ ହେବ । ଦ୍ୱୀପରେ ମୂଷାଙ୍କ ସଂଖ୍ୟାରେ ଅବିଶ୍ୱସନୀୟ ବୃଦ୍ଧିର କାରଣ ଜଳବାୟୁ ପରିବର୍ତ୍ତନ । କେପ୍ଟାଉନ୍ଠୁ ପ୍ରାୟ ୧୯୦୦ କିମି ଦୂର ଦକ୍ଷିଣ ଭାରତ ମହାସାଗରରେ ଆଣ୍ଟାର୍କଟିକା ନିକଟସ୍ଥ ଏକ ଥଣ୍ଡା, ଆର୍ଦ୍ର ଓ ନିର୍ଜନ ସ୍ଥାନରେ ଏହି ଦ୍ୱୀପ ଅବସ୍ଥିତ । ନିର୍ଜନ କ୍ଷେତ୍ର ଯୋଗୁ ସାମୁଦ୍ରିକ ପକ୍ଷୀଙ୍କ ନିର୍ଭୟ ପ୍ରଜନନ ପାଇଁ ଏହା ଉତ୍କୃଷ୍ଟ ସ୍ଥାନ ଥିଲା । କିନ୍ତୁ ଉନବିଂଶ ଶତାବ୍ଦୀ ପ୍ରାରମ୍ଭରେ ଦ୍ୱୀପରେ ମୂଷାଙ୍କର ବ୍ୟାପକ ପ୍ରବେଶ ହେଲା ଏବଂ ସେମାନଙ୍କ ଶିକାର ଲାଗି ପର୍ଯ୍ୟାପ୍ତ ଜନ୍ତୁ ଏଠାରେ ନ ଥିବାରୁ ପୂରା ଦ୍ୱୀପରେ ଏମାନେ ବ୍ୟାପିଗଲେ।
ଆହୁରି ପଢନ୍ତୁ- Robotic surgery : ବିଶ୍ୱରେ ପ୍ରଥମ, ଡାକ୍ତରଙ୍କ ବଦଳରେ ସର୍ଜରି କଲା ମାନବ ରୋବୋ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।