Monsoon Update: ସାରା ଦେଶକୁ ଛୁଇଁଲା ମୌସୁମୀ ବାୟୁ, ଉତ୍ତରରୁ ଦକ୍ଷିଣ ସବୁଠି ବର୍ଷା ବିତ୍ପାତ, ଅନେକ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା
ନୂଆଦିଲ୍ଲୀ,୧୦/୦୭: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଦେଶକୁ ଛୁଇଁଛି । ପାଣିପାଗ ବିଭାଗ (ଆଇଏମ୍ଡି)ର ସୂଚନା ଅନୁସାରେ ଅବଶିଷ୍ଟ ଉତ୍ତର ଆରବ ସାଗର, ରାଜସ୍ଥାନ, ପଞ୍ଜାବ ଓ ହରିୟାଣାକୁ ଗତକାଲି ମୌସୁମୀ ଅଗ୍ରସର ହୋଇଥିଲା । ଫଳରେ ଗୋଟିଏ ଦିନ ବିଳମ୍ବରେ ଆଜି (ଜୁଲାଇ ୯) ତାହା ସମଗ୍ର ଦେଶକୁ ସ୍ପର୍ଶ କରିଛି । ସାଧାରଣତଃ ମୌସୁମୀ ଜୁଲାଇ ୮ ତାରିଖ ସୁଦ୍ଧା ସମଗ୍ର ଦେଶକୁ ସ୍ପର୍ଶ କରିଥାଏ ।
ରାଜଧାନୀ ଦିଲ୍ଲୀ ସମେତ ନୋଏଡା, ମଥୁର, ମିରଟ, ବୁଲନ୍ଦସହର ଓ ଗାଜିଆବାଦରେ ପ୍ରବଳ ବର୍ଷା ହୋଇଛି । ଆଜି ହରିୟାଣା, ଦିଲ୍ଲୀ, ଚଣ୍ଡିଗଡ ଓ ପଶ୍ଚିମ ଉତ୍ତରପ୍ରଦେଶର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେପଟେ କେରଳ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରାଖଣ୍ଡ ଓ ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିବା ସହ ମାଟି ଅତଡା ଧସିଛି । ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି କେରଳ, ମହାରାଷ୍ଟ୍ର, ଗୁଜରାଟ ଓ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । ସେ ସମ୍ପୃକ୍ତ ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପଚାରି ବୁଝିଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ପରାମର୍ଶ ଦେଇଛନ୍ତି । ଏଥିସହ କେନ୍ଦ୍ର ସରକାର ସେମାନଙ୍କୁ ସବୁ ପ୍ରକାର ସହାୟତା ଯେଗାଇଦେବାକୁ ମଧ୍ୟ ଶାହ ପ୍ରତିଶ୍ରୁତି ଦେଇଛନ୍ତି ।
ଅଧିକ ପଢ଼ନ୍ତୁ :- ଦେଶକୁ ପୁଣି ଘାରିଲା କରୋନା ଭୟ: ଆନ୍ଧ୍ରରେ ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ, ୨ ଜିଲ୍ଲାରେ ୪ ସକ୍ରିୟ ମାମଲା
ଉତ୍ତରାଖଣ୍ଡର ଉତ୍ତରକାଶୀରେ ନାଲୁପାନୀ ଓ ଯମୁନୋତ୍ରୀ ଜାତୀୟ ରାଜପଥରେ ଭୂସ୍ଖଳନ ଘଟିଛି । ରାସ୍ତାରେ ବଡବଡ ପଥର ଖସିଛି । ଫଳରେ ୧ ହଜାରରୁ ଅଧିକ ତୀର୍ଥଯାତ୍ରୀ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । ଟିହରି ଅଞ୍ଚଳ ଜାତୀୟ ରାଜପଥ ୭୦୭ରେ ଭୂସ୍ଫଳନ ହେବାରୁ କେତେକ ଘର ଭୁଶୁଡି ପଡିଛି । ହରିଦ୍ୱାରରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି । ଡେରାଡୁନରେ ଲଗାଣ ବର୍ଷା ଫଳରେ ବାଲ୍ଦି ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ରାଜ୍ୟରେ ୭୧ଟି ସଡକ ବନ୍ଦ ରହିଛି । ପ୍ରବଳ ବର୍ଷା ଲାଗି ୫ଟି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି କରାଯାଇଛି । ଗାଜିଆବାଦରେ ସଡକ ଧସିବାରୁ କାର୍ ଓ ସ୍କୁଟି ତା ଭିତରେ ଦବି ଯାଇଛି । କେରଳର କୋଝିକୋଡ୍ ରେଳ ଷ୍ଟେସନରେ ଥିବା ୧୦୦ ବର୍ଷର ପୁରୁଣା ଘଣ୍ଟାଘରର କିଛି ଅଂଶ ଭୁଶୁଡି ପଡିଛି । ମହାରାଷ୍ଟ୍ରର ରାୟଗଡରେ ପ୍ରବଳ ବର୍ଷା ପରେ ୩ ହଜାର ଏଲ୍ପିଜି ସିଲିଣ୍ଡର ପାତାଳଗଙ୍ଗା ନଦୀରେ ଭାସିଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।