ଲିଥିୟମ ଆୟନ ସେଲ୍, ଡିସ୍ପ୍ଲେ ଉପରୁ ସୀମା ଶୁଳ୍କ ଛାଡ: ଶସ୍ତା ହୋଇପାରେ ସ୍ମାର୍ଟଫୋନ୍ ଓ ଲାପ୍ଟପ, ୨୦୨୯ ମାର୍ଚ୍ଚ ଯାଏ ମିଳିବ ରିହାତି
ନୂଆଦିଲ୍ଲୀ,୧୦/୦୭: ଶସ୍ତା ହୋଇପାରେ ସ୍ମାର୍ଟଫୋନ୍ ଏବଂ ଲାପ୍ଟପ । କାରଣ କେନ୍ଦ୍ର ସରକାର ଦେଶରେ ସ୍ମାର୍ଟଫୋନ୍, ଲାପ୍ଟପ୍, ୱେରେବଲ୍ସ(ସ୍ମାର୍ଟୱାଚ୍, ଫିଟ୍ନେସ୍ ବ୍ୟାଣ୍ଡ୍) ଏବଂ ସ୍ମାର୍ଟ ଟିଭି ଭଳି ଇଲେକ୍ଟେ୍ରାନିକ୍ସ ଡିଭାଇସ୍ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସାମଗ୍ରୀ ଉପରୁ ମୂଳ ସୀମା ଶୁଳ୍କ(ବିସିଡି) ହଟାଇ ଦେଇଛନ୍ତି । ଏହାଦ୍ୱାରା ସ୍ମାର୍ଟଫୋନ୍, ଲାପ୍ଟପ ଏବଂ ସ୍ମାର୍ଟ ଟିଭି ଆଦି ଶସ୍ତା ହୋଇପାରେ । ଏବେ ଡିସ୍ପ୍ଲେ ଆସେମ୍ବ୍ଲି, ଲିଥିୟମ ଆୟନ ସେଲ୍ ଏବଂ ଇଣ୍ଡକ୍ଟର କଏଲ୍ ମଡ୍ୟୁଲ୍ ନିର୍ମାଣରେ ବ୍ୟବହାର ହେଉଥିବା ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କ ଲାଗିବ ନାହିଁ । ସରକାର ଘରୋଇ ଉତ୍ପାଦନ ବଢ଼ାଇବା ପାଇଁ ଏ ପଦକ୍ଷେପ ନେଇଛନ୍ତି ।
ଅର୍ଥ ମନ୍ତ୍ରାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ଏହି ଉପକରଣଗୁଡ଼ିକରେ ମିଳିବାକୁ ଥିବା ଛାଡ଼ ଆଗାମୀ ୩ ବର୍ଷରୁ ଅଧିକ ସମୟ ଅର୍ଥାତ୍ ୨୦୨୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୈଧ ରହିବ । ସରକାରଙ୍କ ଏ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଦେଶ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକର ଉତ୍ପାଦନକୁ ଦ୍ରୁତ କରିବା ଏବଂ କମ୍ପାନିଗୁଡ଼ିକର ଖର୍ଚ୍ଚ କମାଇବା । ଶୁଳ୍କଛାଡ଼ ଆମଦାନିର ନୂଆ ତାଲିକାରେ ଇଲେକ୍ଟ୍ରୋନିକ୍ସ ଏବଂ ବ୍ୟାଟେରି ପ୍ରସ୍ତୁତ ପାଇଁ ଆବଶ୍ୟକ ପ୍ରାୟ ସମସ୍ତ ଆବଶ୍ୟକୀୟ ଉପକରଣ ରହିଛି । ଏବେ କମ୍ପାନିଗୁଡ଼ିକୁ ପାଉଡ଼ର ଡ୍ରାୟର, ଅଟୋମେଟିକ୍ ଫିଡିଂ ଏବଂ ବ୍ଲେଣ୍ଡିଂ ସିଷ୍ଟମ୍, ସ୍ଲରୀ ଟ୍ରାନ୍ସଫର ସିଷ୍ଟମ, କ୍ୟାଥୋଡ୍ ଏବଂ ଏନୋଡ୍ ଏକ୍ସଟ୍ରୁଜନ୍ କୋଟିଂ ମେଶିନ୍, କମ୍ପ୍ରେସନ୍ ଇକ୍ୱିପ୍ମେଣ୍ଟ ଏବଂ ହାଇ ଭ୍ୟାକ୍ୟୁମ୍ ପମ୍ପ ଅର୍ଡର ଉପରେ ଟିକସ ଦେବାକୁ ପଡ଼ିବ ନାହିଁ । ଏହାବ୍ୟତୀତ ବାଇଡିଙ୍ଗ୍ ମେଶିନ୍, ଇଲେକ୍ଟ୍ରୋଡ୍ କଟିଙ୍ଗ୍ ଏବଂ ସ୍ଲିଟିଂ ମେଶିନ୍, ଟେଷ୍ଟିଂ ମେଶିନ୍, ଅଟୋ-ପ୍ୟାକିଂ ସିଷ୍ଟମ, ସେପରେଟର କୋଟିଙ୍ଗ୍ ମେଶିନ୍ ଏବଂ ଷ୍ଟାକିଙ୍ଗ୍ ମେଶିନ୍ ବି ଏହି ଛାଡ଼ ପରିସରକୁ ଆସିବ ।
ଅଧିକ ପଢ଼ନ୍ତୁ :- Microsoft layoffs : ଛଟେଇ ସତ୍ତ୍ୱେ ମାଇକ୍ରୋସଫ୍ଟର ଉଦାରତା , କର୍ମଚାରୀଙ୍କୁ ୯ ମାସ ଯାଏ ଦରମା ଦେବ କମ୍ପାନୀ
ଶିଳ୍ପ ବିଶେଷଜ୍ଞଙ୍କ ଅନୁସାରେ, ଡିସ୍ପ୍ଲେ ଆସେମ୍ବ୍ଲି ଏବଂ ଲିଥିୟମ-ଆୟନ ସେଲ୍ କୌଣସି ସ୍ମାର୍ଟଫୋନ୍, ଲାପ୍ଟପ ଏବଂ ସ୍ମାର୍ଟ ଟିଭିର ମୋଟ ଉତ୍ପାଦନ ଖର୍ଚ୍ଚର ଏକ ବଡ଼ ଅଂଶ । ଏହି ମୂଳ ସୀମା ଶୁଳ୍କ ଛାଡ଼ ଦ୍ୱାରା କମ୍ପାନିଗୁଡ଼ିକୁ ଉତ୍ପାଦନରେ ବଡ଼ ଆଶ୍ୱସ୍ତି ମିଳିବ । ଆଗାମୀ ସମୟରେ କମ୍ପାନିଗୁଡ଼ିକ ଏହାର ଫାଇଦା ଗ୍ରାହକଙ୍କୁ ସ୍ଥାନାନ୍ତର କରିପାରନ୍ତି । ଫଳରେ ଭାରତରେ ତିଆରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଶସ୍ତା ହୋଇପାରେ । ସରକାରଙ୍କ ଏ ନିଷ୍ପତ୍ତି ଇଲେକ୍ଟ୍ରୋନିକ୍ସ ବିନିର୍ମାଣ ପାଇଁ ଚାଲୁଥିବା ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ତଥା ପିଏଲ୍ଆଇ ସ୍କିମ୍ର ଉଦ୍ଦେଶ୍ୟ ଲାଗି ଠିକ୍ । ଏବେ ଭାରତକୁ ଡିସ୍ପ୍ଲେ ଆସେମ୍ବ୍ଲି ଏବଂ ଲିଥିୟମ-ଆୟନ ସେଲ୍ ଭଳି ପ୍ରମୁଖ ସାମଗ୍ରୀ ପାଇଁ ବଡ଼ ଆକାରରେ ଅନ୍ୟ ଦେଶ ବିଶେଷ କରି ଚୀନ୍ ଏବଂ ଭିଏତ୍ନାମ ଉପରେ ନିର୍ଭର କରିବାକୁ ପଡୁଛି । ଏହି ଶୁଳ୍କ ଛାଡ଼ ପରେ ସ୍ଥାନୀୟ ସ୍ତରରେ ଉତ୍ପାଦନ ବଢ଼ିବ, ଯାହାଦ୍ୱାରା ଅନ୍ୟ ରାଷ୍ଟ୍ରଗୁଡ଼ିକ ଉପରୁ ନିର୍ଭରତା କମିଯିବ ।
ପ୍ରକାଶଯୋଗ୍ୟ, ମୂଳ ସୀମା ଶୁଳ୍କ ବା ବିସିଡି ଉକ୍ତ ଟିକସ, ଯାହା ଦେଶ ବାହାରୁ ଆସୁଥିବା ସାମଗ୍ରୀଗୁଡ଼ିକର ଆମଦାନି ଉପରେ ଲାଗିଥାଏ । ଏହା ହଟିଯିବାର ଅର୍ଥ ହେଉଛି, ଏବେ କମ୍ପାନିଗୁଡ଼ିକ ବିନା କୌଣସି ଅତିରିକ୍ତ ଟିକସରେ ବିଦେଶରୁ କଞ୍ଚାମାଲ ଆମଦାନି କରିପାରିବେ ଏବଂ ଭାରତରେ ଶେଷ ଉତ୍ପାଦ ପ୍ରସ୍ତୁତ କରିବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।