Monsoon Diet Tips: ବର୍ଷା ଋତୁରେ ସୁସ୍ଥ ରହିବା ପାଇଁ ଜାଣନ୍ତୁ ସଠିକ୍ ଖାଦ୍ୟାଭ୍ୟାସ

Jul 15, 2026 - 14:40
Monsoon Diet Tips: ବର୍ଷା ଋତୁରେ ସୁସ୍ଥ ରହିବା ପାଇଁ ଜାଣନ୍ତୁ ସଠିକ୍ ଖାଦ୍ୟାଭ୍ୟାସ

ବର୍ଷା ଋତୁର ଥଣ୍ଡା ପରିବେଶ ସମସ୍ତଙ୍କୁ ବେଶ ଭଲ ଲାଗିଥାଏ। କିନ୍ତୁ ଏହି ଋତୁରେ ବ୍ୟାକ୍ଟେରିଆ, ଭାଇରସ ଓ ଫଙ୍ଗଲ୍ ସଂକ୍ରମଣର ଆଶଙ୍କା ମଧ୍ୟ ବଢ଼ିଯାଏ। ବର୍ଷା ସମୟରେ ପାଚନଶକ୍ତି ଦୁର୍ବଳ ହୋଇପଡ଼ିବାରୁ ଫୁଡ୍ ପଏଜନିଂ, ଡାଇରିଆ, ପେଟବ୍ୟଥା ଓ ହଜମ ସମସ୍ୟା ଅଧିକ ଦେଖାଯାଏ। ତେଣୁ ସୁସ୍ଥ ରହିବା ପାଇଁ ଖାଦ୍ୟାଭ୍ୟାସ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ।

ବର୍ଷା ଦିନରେ ଚଟପଟା ଓ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଇଚ୍ଛା ହେବା ସ୍ୱାଭାବିକ। ହେଲେ କିଛି ଖାଦ୍ୟ ଏହି ସମୟରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଆସନ୍ତୁ ଜାଣିବା ବର୍ଷା ଋତୁରେ କେଉଁ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ।

ବର୍ଷା ଋତୁରେ ଏହି ୪ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ -

୧. ରାସ୍ତାକଡ଼ର ଷ୍ଟ୍ରିଟ୍ ଫୁଡ୍

ବର୍ଷା ଦିନରେ ଗୁପଚୁପ, ଚାଟ୍, ପକୋଡ଼ା ଭଳି ଖାଦ୍ୟ ଖାଇବାକୁ ସମସ୍ତଙ୍କର ଇଚ୍ଛା ହୁଏ। କିନ୍ତୁ ଖୋଲାରେ ବିକ୍ରି ହେଉଥିବା ଏହି ଖାଦ୍ୟରେ ବ୍ୟାକ୍ଟେରିଆ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ବ୍ୟବହୃତ ପାଣି ଓ ତେଲ ଦୂଷିତ ହୋଇଥିଲେ ଟାଇଫଏଡ୍, ଡାଏରିଆ ଓ ଫୁଡ୍ ପଏଜନିଂ ଭଳି ସମସ୍ୟା ହୋଇପାରେ।

୨. ପତ୍ରଯୁକ୍ତ ପନିପରିବା

ପାଳଙ୍ଗ ଶାଗ, ମେଥି ଓ ବନ୍ଧାକୋବି ଭଳି ପତ୍ରଯୁକ୍ତ ପନିପରିବା ପୁଷ୍ଟିକର ହୋଇଥିଲେ ମଧ୍ୟ ବର୍ଷା ଋତୁରେ ଏଥିରେ ପୋକ ଓ ବ୍ୟାକ୍ଟେରିଆ ବଢ଼ିବାର ଆଶଙ୍କା ରହିଥାଏ। ତେଣୁ ଏଗୁଡ଼ିକୁ ଭଲ ଭାବରେ ଧୋଇବା ଏବଂ ଭଲରେ ରାନ୍ଧି ଖାଇବା ଉଚିତ।

୩. ସାମୁଦ୍ରିକ ଖାଦ୍ୟ (ସି-ଫୁଡ୍)

ବର୍ଷା ଋତୁ ମାଛ ଓ ଅନ୍ୟାନ୍ୟ ସାମୁଦ୍ରିକ ଜୀବଙ୍କ ପ୍ରଜନନ ସମୟ ହୋଇଥାଏ। ଏହି ସମୟରେ ସି-ଫୁଡ୍ ଖାଇଲେ ଫୁଡ୍ ପଏଜନିଂ ଓ ପେଟରେ ସଂକ୍ରମଣର ବଢ଼ିପାରେ।

୪. ପୂର୍ବରୁ କଟା ହୋଇଥିବା ଫଳ ଓ ପନିପରିବା 

ବଜାରରେ ପୂର୍ବରୁ କଟା ହୋଇ ରଖାଯାଇଥିବା ଫ୍ରୁଟ୍ ସାଲାଡ, ଫଳରୁ ପ୍ରସ୍ତୁତ ଜୁସ୍ ପିଇବାରୁ ଦୂରେଇ ରୁହନ୍ତୁ। ବର୍ଷା ଦିନେ ଏଥିରେ ବ୍ୟାକ୍ଟେରିଆ ଜଲଦି ବଢ଼ିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ବର୍ଷା ଋତୁରେ କିପରି ରଖିବେ ସ୍ୱାସ୍ଥ୍ୟର ଯତ୍ନ?

ଗରମ କିମ୍ବା ବିଶୁଦ୍ଧ ପାଣି ପିଅନ୍ତୁ - 

ବର୍ଷା ଦିନେ ପାଣି ଦ୍ୱାରା ଅନେକ ରୋଗର ଆଶଙ୍କା ଦେଖା ଦେଇଥାଏ। ଏହି ଦିନରେ ସବୁବେଳେ ଫୁଟା ହୋଇଥିବା କିମ୍ବା ଫିଲ୍ଟର କରାଯାଇଥିବା ପାଣି ପିଇବାକୁ ପ୍ରାଥମିକତା ଦିଅନ୍ତୁ।

ହର୍ବାଲ୍ ଚା' ଓ କାଢ଼ା ପିଅନ୍ତୁ -

ଅଦା, ତୁଳସୀ, ଗୋଲମରିଚ ଓ ଲବଙ୍ଗରେ ପ୍ରସ୍ତୁତ ହର୍ବାଲ୍ ଚା' କିମ୍ବା କାଢ଼ା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ, ସେଥିପାଇଁ ନିୟମିତ ଭାବରେ ଏହାର ସେବନ କରନ୍ତୁ।

ହାଲୁକା ଓ ଫ୍ରେସ୍ ଖାଦ୍ୟ ଖାଆନ୍ତୁ -

ଘରେ ପ୍ରସ୍ତୁତ ଗରମା ଗରମ ଖାଇବା ଖାଆନ୍ତୁ। ଯାହା ସହଜରେ ହଜମ ହେଇପାରୁଥିବ। ଖେଚୁଡ଼ି, ସୁପ୍ ଓ ସିଝା ପନିପରିବା ବର୍ଷା ଦିନରେ ଦେହ ପାଇଁ ଲାଭଦାୟକ।

ପନିପରିବାକୁ ଭଲଭାବେ ଧୋଇ ବ୍ୟବହାର କରନ୍ତୁ - 

ପନିପରିବା ରାନ୍ଧିବା ପୂର୍ବରୁ ଉଷୁମ ପାଣିରେ ଅଳ୍ପ ଲୁଣ ମିଶାଇ ଭଲ ଭାବରେ ଧୋଇ ନିଅନ୍ତୁ। ଏହା ମଇଳା ଓ ଜୀବାଣୁ ଦୂର କରିବାରେ ସହାୟକ ହୋଇଥାଏ।

ବର୍ଷା ଋତୁରେ ସଠିକ୍ ଖାଦ୍ୟାଭ୍ୟାସ, ପରିଷ୍କାର-ପରିଚ୍ଛନ୍ନତା ଓ ବିଶୁଦ୍ଧ ପାଣି ପିଇବା ଦ୍ୱାରା ଅନେକ ଋତୁଜନିତ ରୋଗରୁ ନିଜକୁ ସୁରକ୍ଷିତ ରଖିହେବ। ଯଦି ଲଗାତାର ଜ୍ୱର, ବାନ୍ତି, ଡାଏରିଆ କିମ୍ବା ପେଟ ବ୍ୟଥା ଭଳି ସମସ୍ୟା ଦେଖାଯାଏ, ତେବେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
 
 
 
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।