Monsoon Crisis Deepens: ଦେଶବ୍ୟାପୀ ଗମ୍ଭୀର ମୌସୁମୀ ସଙ୍କଟ, ୪୦% ବର୍ଷା ଅଭାବ
ଦେଶରେ ଗମ୍ଭୀର ହେବାରେ ଲାଗିଛି ମୌସୁମୀ ସଙ୍କଟ। ଆକାଶରୁ ଗାୟବ ହୋଇଯାଇଛନ୍ତି ମେଘ, ଫଳରେ ସମଗ୍ର ଭାରତରେ ବର୍ଷାର ଅଭାବ ପ୍ରାୟ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।
ଜୁନ୍ ୧୭ ତାରିଖ ସକାଳେ INSAT-3DS ସାଟେଲାଇଟ୍ରୁ ମିଳିଥିବା ଚିତ୍ର ଅନୁଯାୟୀ, ମଧ୍ୟ ଓ ପଶ୍ଚିମ ଭାରତର ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ରହିଛି। ବିଶେଷ କରି ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ମୌସୁମୀ ବାୟୁ ଅତି ଦୁର୍ବଳ ହୋଇପଡ଼ିଛି। ସାଧାରଣତଃ ଏହି ସମୟରେ ଦେଶର ମୁଖ୍ୟ କୃଷି ଅଞ୍ଚଳରେ ଯେଉଁଭଳି ମେଘମାଳା ଦେଖାଯିବା କଥା, ତାହା ଏବେ କେବଳ ବଙ୍ଗୋପସାଗର, ଉତ୍ତର-ପୂର୍ବ ଭାରତ ଏବଂ ଭାରତ ମହାସାଗର ମଧ୍ୟରେ ସୀମିତ ହୋଇ ରହିଛି।
ଜୁନ୍ ୪ ରୁ ଜୁନ୍ ୧୭ ମଧ୍ୟରେ ସ୍ୱାଭାବିକ ବର୍ଷା ୬୫.୯ ମିଲିମିଟର ବଦଳରେ ମାତ୍ର ୩୯.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ୪୦% କମ୍। ରିପୋର୍ଟ ଅନୁଯାୟୀ ଗୁଜରାଟ ୯୮%, ମହାରାଷ୍ଟ୍ର ୭୯%, ମେଘାଳୟ ୮୫%, ଝାଡ଼ଖଣ୍ଡ ୬୬% ଏବଂ ଛତିଶଗଡ଼ରେ ୬୫% ଅଭାବୀ ବର୍ଷ ହୋଇଛି। ସେହିପରି ଓଡ଼ିଶା, କର୍ଣ୍ଣାଟକ, ତେଲେଙ୍ଗାନା, ବିହାର ଏବଂ ଆସାମରେ ମଧ୍ୟ ନିଅଣ୍ଟିଆ ବର୍ଷ ହୋଇଛି।
ଜୁନ୍ ମାସରେ ସାଧାରଣତଃ ଖରିଫ ଚାଷ ପାଇଁ ଜମି ପ୍ରସ୍ତୁତି ଓ ବୁଣାବୁଣି କାମ ଜୋରସୋରରେ ଚାଲିଥାଏ। ମାତ୍ର ଓଡ଼ିଶା ସମେତ ଏହି ପ୍ରମୁଖ କୃଷିପ୍ରଧାନ ରାଜ୍ୟଗୁଡ଼ିକରେ ବର୍ଷାର ଏଭଳି ସାଙ୍ଘାତିକ ଅଭାବ ଚାଷୀକୂଳକୁ ଘୋର ଚିନ୍ତାରେ ପକାଇ ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।