Monsoon: ସକ୍ରିୟ ହେଲା ମୌସୁମୀ: ଦେଶରେ ବର୍ଷା ଅଭାବ ୪୫ରୁ ୨୮ ପ୍ରତିଶତକୁ ହ୍ରାସ ପାଇଲା

Jul 05, 2026 - 19:04
Monsoon: ସକ୍ରିୟ ହେଲା ମୌସୁମୀ: ଦେଶରେ ବର୍ଷା ଅଭାବ ୪୫ରୁ ୨୮ ପ୍ରତିଶତକୁ ହ୍ରାସ ପାଇଲା

"ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପୁଣିଥରେ ସକ୍ରିୟ ହୋଇଛି।

ଗତ କିଛି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଏଦେଶବ୍ୟାପୀ ମୌସୁମୀ ବର୍ଷାର ଅଭାବ କମିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସଦ୍ୟତମ ତଥ୍ୟ ଅନୁଯାୟୀ, ଜୁନ୍ ୪ରୁ ଜୁଲାଇ ୫ ମଧ୍ୟରେ ଦେଶର ସାମଗ୍ରିକ ବର୍ଷା ଅଭାବ ୪୫ ପ୍ରତିଶତରୁ କମି ୨୮ ପ୍ରତିଶତରେ ପହଞ୍ଚିଛି।

ଏହା ଦୁର୍ବଳ ମୌସୁମୀକୁ ନେଇ ବଢ଼ୁଥିବା ଆଶଙ୍କାକୁ ଅନେକାଂଶରେ ଦୂର କରିଛି।Advertisment ଆଇଏମ୍‌ଡି ତଥ୍ୟ ଅନୁସାରେ, ଏହି ସମୟ ମଧ୍ୟରେ ଦେଶରେ ସ୍ୱାଭାବିକ ଭାବେ ୧୯୬.୫ ମିଲିମିଟର ବର୍ଷା ହେବାର ଥିଲେ ମଧ୍ୟ ୧୪୦.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଜୁନ୍ ମାସରେ ଶତାବ୍ଦୀର ସବୁଠାରୁ ଦୁର୍ବଳ ଆରମ୍ଭ ପରେ ଏଭଳି ଉନ୍ନତିକୁ ପାଣିପାଗ ବିଶେଷଜ୍ଞମାନେ ସକାରାତ୍ମକ ସଙ୍କେତ ବୋଲି କହିଛନ୍ତି।

ପଶ୍ଚିମ ଉପକୂଳରେ ଶକ୍ତିଶାଳୀ ଅଫ୍‌ଶୋର ଟ୍ରଫ୍‌ (ଅପତଟୀୟ ଦ୍ରୋଣୀ ବା ଉପକୂଳଠାରୁ କିଛି ଦୂରରେ ସମୁଦ୍ର ଉପରେ ବିସ୍ତାରିତ ଲଘୁଚାପ ଅଞ୍ଚଳ) ଏବଂ ମଧ୍ୟ ଭାରତ ଉପରେ ସକ୍ରିୟ ମୌସୁମୀ ପ୍ରଣାଳୀ ଯୋଗୁଁ ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ତେଲେଙ୍ଗାନା ଓ କର୍ଣ୍ଣାଟକର କେତେକ ଅଞ୍ଚଳରେ ବ୍ୟାପକ ବର୍ଷା ହୋଇଛି।

ଉପଗ୍ରହ ଚିତ୍ରରେ ଆରବ ସାଗରରୁ ପଶ୍ଚିମ ଭାରତ ଏବଂ ବଙ୍ଗୋପସାଗରରୁ ପୂର୍ବ ଓ ମଧ୍ୟ ଭାରତ ପର୍ଯ୍ୟନ୍ତ ଘନ ବାଦଲ ଦେଖାଯାଇଛି।

ଏହା ଉଭୟ ସମୁଦ୍ରରୁ ପ୍ରଚୁର ଆର୍ଦ୍ରତା ଆସୁଥିବାର ସୂଚନା ଦେଉଛି, ଯାହା ପ୍ରବଳ ବର୍ଷାକୁ ସହାୟତା କରୁଛି।

ଆହୁରି ପଢନ୍ତୁ: Election: ଜୁଲାଇ ୩୦ରେ ବାଙ୍କିପୁର ଉପନିର୍ବାଚନ, ଅଗଷ୍ଟ ୩ରେ ଫଳାଫଳ ତେବେ ସାରା ଦେଶରେ ବର୍ଷାର ବଣ୍ଟନ ଏବେ ମଧ୍ୟ ସମାନ ନୁହେଁ।

ମହାରାଷ୍ଟ୍ରରେ ବର୍ଷା ସ୍ୱାଭାବିକଠାରୁ ୨୫ ପ୍ରତିଶତ କମ୍ ଥିବାବେଳେ ଗୁଜରାଟରେ ୪୫ ପ୍ରତିଶତ, ଉତ୍ତରପ୍ରଦେଶରେ ୪୮ ପ୍ରତିଶତ, ବିହାରରେ ୫୫ ପ୍ରତିଶତ, ଦିଲ୍ଲୀରେ ୫୦ ପ୍ରତିଶତ ଓ ପଞ୍ଜାବରେ ୨୭ ପ୍ରତିଶତ ବର୍ଷା ଅଭାବ ରହିଛି।

ସବୁଠାରୁ ଚିନ୍ତାଜନକ ପରିସ୍ଥିତି ଉତ୍ତର-ପୂର୍ବ ଭାରତରେ ରହିଛି।

ମେଘାଳୟରେ ପ୍ରାୟ ୬୬ ପ୍ରତିଶତ ବର୍ଷା ଅଭାବ ଥିବାବେଳେ ଆସାମ ଓ ଅରୁଣାଚଳ ପ୍ରଦେଶରେ ମଧ୍ୟ ସ୍ଥିତି ସନ୍ତୋଷଜନକ ନୁହେଁ।

ଆହୁରି ପଢନ୍ତୁ: Heavy Rain: ବର୍ଷା ଭାଙ୍ଗିଦେଲା ମାଟିଘର, ପଡ଼ୋଶୀ ଦେଲେ ଆଶ୍ରୟ ଅନ୍ୟପକ୍ଷରେ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ବର୍ଷା ପରିସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିଛି।

ଲଦାଖ, ଜମ୍ମୁ-କାଶ୍ମୀର, ତାମିଲନାଡୁ ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି।

ପାଣିପାଗ ବିଭାଗ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ପଶ୍ଚିମ ଭାରତ, କୋଙ୍କଣ ଉପକୂଳ, ମଧ୍ୟ ଭାରତ ଓ ହିମାଳୟ ପାଦଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି।

ବିଶେଷଜ୍ଞମାନଙ୍କ ମତରେ, ଖରିଫ ଫସଲ ବୁଣା ଓ କୃଷି କାର୍ଯ୍ୟ ପାଇଁ ଆଗାମୀ ସପ୍ତାହଗୁଡ଼ିକରେ ଏଭଳି ନିୟମିତ ବର୍ଷା ଜାରି ରହିବା ଅତ୍ୟନ୍ତ ଆବଶ୍ୟକ।"