Modi cabinet: ମୋଦୀ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଚର୍ଚ୍ଚା: କେବେ ହେବ ଓ କାହା ଉପରେ ରହିବ ଗୁରୁତ୍ୱ?
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ଓ ସମ୍ପ୍ରସାରଣକୁ ନେଇ ଦିଲ୍ଲୀର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ସରକାରୀ ସୂତ୍ର ଅନୁସାରେ, ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଏହା ହେବାର ସମ୍ଭାବନା କମ୍। ଜୁଲାଇ ୨୦ ପାଖାପାଖି ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନରେ ସରକାରର ପ୍ରାଥମିକତା ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବା ଉପରେ ରହିଛି। ଏହି କାରଣରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ସେପ୍ଟେମ୍ବର-ଅକ୍ଟୋବରରେ ହୋଇପାରେ ବୋଲି କୁହାଯାଉଛି।
ସରକାରଙ୍କ ସାମ୍ନାରେ ପରିସୀମନ (ସୀମା ପୁନଃନିର୍ଦ୍ଧାରଣ) ଏବଂ ‘ଏକ ଦେଶ, ଏକ ନିର୍ବାଚନ’ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହୀତ କରାଇବାର ଚ୍ୟାଲେଞ୍ଜ ରହିଛି। ସଂସଦର ଉଭୟ ସଦନରେ ସରକାରଙ୍କ ପାଖରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ନ ଥିବାରୁ ଅଧିବେଶନ ପୂର୍ବରୁ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କଲେ କିଛି ନେତା ଅସନ୍ତୁଷ୍ଟ ହୋଇପାରନ୍ତି। ଏହାର ପ୍ରଭାବ ବିଲ୍ ଆଗତ ପ୍ରକ୍ରିୟା ଉପରେ ପଡ଼ିପାରେ। ସେଥିପାଇଁ ସରକାର ଅଧିବେଶନ ପରେ ଅଦଳବଦଳ କରିବାକୁ ଅଧିକ ଉପଯୁକ୍ତ ମନେ କରୁଥିବା କୁହାଯାଉଛି।
ପ୍ରଧାନମନ୍ତ୍ରୀଙ୍କ ବ୍ୟସ୍ତ କାର୍ଯ୍ୟସୂଚୀ ମଧ୍ୟ ତୁରନ୍ତ ଅଦଳବଦଳ ସମ୍ଭାବନାକୁ କମାଇ ଦେଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଅଛନ୍ତି ଓ ଜୁଲାଇ ପହିଲାକୁ ଫେରିବେ। ଜୁଲାଇ ୧ରୁ ୩ ମଧ୍ୟରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟସ୍ତ ରହିବେ। ଏହାପରେ ଜୁଲାଇ ୪ରେ ତାଙ୍କର ରାଜସ୍ଥାନ ଗସ୍ତ କାର୍ଯ୍ୟକ୍ରମ ଅଛି। ଜୁଲାଇ ୬ରୁ ୧୧ ପର୍ଯ୍ୟନ୍ତ ସେ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ନୂଆ ମନ୍ତ୍ରୀମାନଙ୍କୁ ଅଧିବେଶନ ପୂର୍ବରୁ କାମ ବୁଝିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ସମୟ ମିଳିବ ନାହିଁ। ତେବେ ୨୦୨୧ରେ ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହୋଇଥିବାରୁ ଶେଷ ମୁହୂର୍ତ୍ତରେ ମଧ୍ୟ ଏପରି ନିଷ୍ପତ୍ତି ଅସମ୍ଭବ ନୁହେଁ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି।
Prime Minister: ଇନ୍ଧନ ସଙ୍କଟର ମୁକାବିଲା ନିଜଠାରୁ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସମ୍ଭାବ୍ୟ ଅଦଳବଦଳରେ ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା, ଯୁବ ନେତାଙ୍କୁ ସୁଯୋଗ, ମହିଳା ପ୍ରତିନିଧିତ୍ୱ, ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ଗୁରୁତ୍ୱ ଏବଂ ଆସନ୍ତା ବର୍ଷ ସାତଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ବିଚାରକୁ ନିଆଯାଇପାରେ। ପୂର୍ବତନ ଅମଲାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ପୂର୍ବତନ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି, ଯଦିଓ ଏନେଇ କୌଣସି ସରକାରୀ ପୁଷ୍ଟି ହୋଇନାହିଁ। ଶକ୍ତିକାନ୍ତ ନ ହେଲେ ଓଡ଼ିଶାରୁ ଜଣେ ମହିଳା ସାଂସଦଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି।
ବର୍ତ୍ତମାନ କିଛି ମନ୍ତ୍ରିପଦ ଖାଲି ହୋଇଛି କିମ୍ବା ପରିବର୍ତ୍ତନର ସମ୍ଭାବନା ରହିଛି। ଜର୍ଜ କୁରିଏନ୍ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ମନ୍ତ୍ରିପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ପଙ୍କଜ ଚୌଧୁରୀ ଓ ହର୍ଷ ମାଲହୋତ୍ରାଙ୍କୁ ଯଥାକ୍ରମେ ଉତ୍ତରପ୍ରଦେଶ ଓ ଦିଲ୍ଲୀ ବିଜେପିର ସଭାପତି କରାଯାଇଥିବାରୁ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ନୀତି ଅନୁଯାୟୀ ସେମାନଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ।