Mining Mafia: ବେଧଡ଼କ ମାଙ୍କଡ଼ା ପଥର ଚୋରି; ପ୍ରଶାସନ ନିଷ୍କ୍ରିୟ

Jul 03, 2026 - 23:57
Mining Mafia: ବେଧଡ଼କ ମାଙ୍କଡ଼ା ପଥର ଚୋରି; ପ୍ରଶାସନ ନିଷ୍କ୍ରିୟ

ରଣପୁର (ବିଶ୍ୱରଂଜନ ଆଚାର୍ଯ୍ୟ): ନୟାଗଡ଼ ଜିଲ୍ଲାରେ ଖଣି ଚୋରିକୁ ନେଇ ମୁଣ୍ଡ ଗଡୁଥିବା ବେଳେ ପ୍ରଶାସନ ଦିନେ ଦୁଇଦିନ ଟାକ୍ସଫୋର୍ସ ଗଠନ କରି ଲୋକ ଦେଖାଣିଆ ଚଢ଼ାଉ କରି ଚୁପ ବସିଥିବା ଅଭିଯୋଗ ହେଉଛି। ଦିନକୁ ଦିନ ଖଣି ଚୋରି ବଢ଼ିବାରେ ଲାଗିଛି। ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି।

ରଣପୁର ତହସିଲ ଚାନ୍ଦପୁର ଥାନା ଅଞ୍ଚଳ ମାଟି ତଳେ ରହିଛି ବ୍ୟାପକ ମାଙ୍କଡ଼ା ପଥର। ଖୋର୍ଦ୍ଧା ଜିଲ୍ଲା କମାଙ୍ଗୁର, ଟାଙ୍ଗୀ ଓ ଚଣ୍ଡେଶ୍ୱର ଅଂଚଳର ଖଣି ମାଫିଆମାନେ ଝାଡ଼ପଡା, ଚାନ୍ଦପୁର ଓ ରାଇପଡା ରାଜସ୍ବ ମଣ୍ଡଳର ବରବୋରଝର, ଡୁଙ୍ଗପାରି ଓ କୁଶପଲ୍ଲା ମୌଜା ଗୋଚର, ଗୋଦଣ୍ଡା ଏପରିକି ଜଙ୍ଗଲ ଜମି ରେ ଚୋରା ଖଣି କରି ଦିନକୁ ଶହ ଶହ ଗାଡ଼ିରେ ହଜାର ହଜାର ମାଙ୍କଡା ପଥର ଚୋରି କରି ବେଧଡକ ଚାଲାଣ କରୁଛନ୍ତି। 

WhatsApp Image 2026-07-03 at 15.55.45

ରାଜସ୍ବ କର୍ମଚାରୀ ମାଫିଆଙ୍କ ଭୟରେ ଚୋରା ମାଙ୍କଡା ଖଣି ଅଞ୍ଚଳକୁ ଯାଉ ନଥିବା ବେଳେ ନୟାଗଡ ଖଣି ଅଧିକାରୀ ଚୁପ ହୋଇ ବସିଛନ୍ତି। ଥାନା ଅଧିକାରୀଙ୍କ ଖଣି ମାଫିଆଙ୍କ ସାଙ୍ଗରେ ମାସିକିଆ ହିସାବ ଥିବାବେଳେ ଜଙ୍ଗଲ ବିଭାଗ ମଧ୍ୟ ଚୁପ। ଫଳରେ ବିରାଟ ବିରାଟ ଖଣି ଖାଲରେ ପଡ଼ି ଗୃହପାଳିତ ଗାଈ, ବଳଦ, ଛେଳି ଓ ମେଣ୍ଢା ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଖଣିରେ ପଡି ମୃତ୍ୟୁ ବରଣ କରୁଛନ୍ତି। ମାଫିଆମାନେ ପ୍ରତି ଖଣି ରାସ୍ତା ଛକମାନଙ୍କରେ ଜଗୁଆଳି ନିଯୁକ୍ତି କରିଥିବା ଜଣାପଡିଛି। ଜଗୁଆଳି ପିଛା ଦିନକୁ ଏକ ହଜାର ଟଙ୍କା ଦରମା ଦେଉଥିବା ଆଲୋଚନା ହେଉଛି। ଫଳରେ ଖଣି ଅଞ୍ଚଳ କୁ ସରକାରୀ କି ବେସରକାରୀ ଗାଡି ଗଲା ତୁରନ୍ତ ଖଣି ମାଫିଆ ଙ୍କ ହ୍ଵାଟ୍ସଆପ ଗ୍ରୁପରେ ପଡି ଯାଉଛି। ଫଳରେ ପ୍ରଶାସନିକ ଚଢ଼ାଉ ଫେଲ ମାରୁଛି। ଆଲୋଚନା ହେଉଛି ବାବୁ ଜାଣି ମାଙ୍କଡ଼ା ଖଣି ଚୋରି। 

ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଜବତ

ଖଣି ବିଭାଗ ଫୁଲବାଣୀ ଡେପୁଟି ନିର୍ଦ୍ଦେଶକ ପ୍ରିୟଦର୍ଶୀ ସନ୍ଦୀପ ବଳ କୁହନ୍ତି ନୟାଗଡ଼ ଜିଲ୍ଲାରେ ଥିବା ଖଣି ଅଧିକାରୀ ଜୁନ ୩୦ ତାରିଖରେ ସେବା ନିବୃତ ହେଲେ। ଦୁଇଦିନ ହେଲା ନୂଆ ଖଣି ଅଧିକାରୀ ହାଁସଡା କାର୍ଯ୍ୟଭାର ନେଇଛନ୍ତି। ତାଙ୍କୁ ସୂଚନା ଅନୁଯାଇ ଚୋରା ମାଙ୍କଡା ଖଣିରେ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦିଆଯିବ। ସମୟ କହିବ ଚୋରା ମାଙ୍କଡା ଖଣି ଚାଲିବ ନା ବନ୍ଦ ହେବ।