Meeting: ଦଣ୍ଡ ସମୀକ୍ଷା ବୋର୍ଡ ବୈଠକରେ ବିଚାରକୁ ନିଆଯାଇଛି ୫୬ଜଣ ଆଜୀବନ ବନ୍ଦୀଙ୍କ ପ୍ରସଂଗ
"କଟକ: ଦଣ୍ଡ ଅବଧି ଶେଷ ହେବା ପୂର୍ବରୁ ଜେଲରୁ ମୁକ୍ତି ପାଇଁ ୫୬ ଜଣ ଆଜୀବନ ବନ୍ଦୀଙ୍କ ପ୍ରସଂଗ ବିଚାରକୁ ନିଆଯାଇଛି।
ଜୁଲାଇ ୬ରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ (ଏସଏସଆରବି)ର ୪୮ତମ ବୈଠକ ଅନୁଷ୍ଠିତ ହୋଇଥିଲା।
Advertisment ଏହି ବୈଠକରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ୫୬ଜଣ ବନ୍ଦୀଙ୍କ ପ୍ରସଂଗ ବିଚାରକୁ ନିଆଯାଇଥିଲା।
ଏହି ପ୍ରସଂଗରେ ଜେଲ ଡିଜି ଓ ଡିସିଏସଙ୍କ ଜୁଲାଇ ୭ର ଚିଠି ସରକାରଙ୍କ ତରଫରୁ ହାଇକୋର୍ଟରେ ଉପସ୍ଥାପନ କରାଯାଇଥିଲା।
ଏହି ଚିଠିର କପିକୁ ରେକର୍ଡଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ଏସଏସଆରବି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଜାଣିବାକୁ ହାଇକୋର୍ଟ ଚାହିଁଥିଲେ।
ଏସଏସଆରବି ବୈଠକରେ ଗୃହୀତ ପ୍ରସ୍ତାବର କପି ଦାଖଲ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଏକ ସପ୍ତାହ ସମୟ ଲୋଡ଼ା ଯାଇଥିଲା।
ହାଇକୋର୍ଟ ଏଥି ପାଇଁ ଅନୁମତି ଦେବା ସହିତ ଜୁଲାଇ ୨୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଦଣ୍ଡ ପ୍ରୟୋଗ ସ୍ଥଗିତ ବା ଛାଡ଼ ତଥା ଦଣ୍ଡ ଅବଧି ପୂର୍ବରୁ ବନ୍ଦୀଙ୍କ ମୁକ୍ତି ପ୍ରସଂଗ ତଦାରଖ କରିବାକୁ ହାଇକୋର୍ଟ ନିଜ ଆଡ଼ୁ ଏହି ମାମଲା ରୁଜୁ କରି ଶୁଣାଣି କରୁଛନ୍ତି।
ସୁପ୍ରିମକୋର୍ଟ ୨୦୨୫, ନଭେମ୍ବର ୪ରେ ଏହି ପ୍ରସଂଗରେ ଶୁଣାଣି କରି ଦେଶର ବିଭିନ୍ନ ହାଇକୋର୍ଟଙ୍କୁ ନିଜ ଆଡ଼ୁ ରିଟ ପିଟିସନ ରୁଜୁ କରିବାକୁ କହିଥିଲେ।
ଦଣ୍ଡ ମାଫ ବା କୋହଳ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ରହିଥିବା ନୀତି ଓ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁପାଳନ କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।
ଦଣ୍ଡ ଅବଧି ଶେଷ ହେବା ପୂର୍ବରୁ ଜେଲରୁ ବନ୍ଦୀଙ୍କ ମୁକ୍ତି ସଂକ୍ରାନ୍ତରେ ରହିଥିବା ନୀତି କାର୍ଯ୍ୟକାରୀ ପ୍ରସଂଗ ନିରୀକ୍ଷଣ ଓ ତଦାରଖ କରିବା ପାଇଁ ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ।
ଜାନୁଆରି ୯ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଏପରି ବନ୍ଦୀଙ୍କ ସଂକ୍ରାନ୍ତରେ ତଥ୍ୟ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଆଜୀବନ ବନ୍ଦୀ ୧୦ ବର୍ଷ ଜେଲ୍ରେ ଥିଲେ ମୁକୁଳାଯାଉ: ସୁପ୍ରିମ୍କୋର୍ଟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।