Massive Mock Drill Ahead of Jagannath Rath Yatra: ୨ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା, ରଥଟଣାର ହେଲା ମକ୍ ଡ୍ରିଲ୍

Jul 13, 2026 - 20:39
Massive Mock Drill Ahead of Jagannath Rath Yatra: ୨ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା, ରଥଟଣାର ହେଲା ମକ୍ ଡ୍ରିଲ୍

ବଡ଼ଦାଣ୍ଡରେ ସବୁଠୁ ବଡ଼ ଭିଡ଼। ତାରି ଭିତରେ ଟଣାହେବ ଶ୍ରୀଜିଉଙ୍କ ତିନି ରଥ। କିଏ, କେମିତି ରଥ ଟାଣିବେ, କର୍ଡନ କେମିତି ହେବ, ରଥ ଅଟକିଲେ କରିବେ କଣ, ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଶ୍ରୀକ୍ଷେତ୍ରରେ ପୋଲିସ୍ କରିଛି ମକ୍ ଡ୍ରିଲ୍। ତିନିଟି ଜିପକୁ ପ୍ରତୀକାତ୍ମକ ଭାବେ ତିନି ରଥ କରି ଟଣା ଯାଇଛି। ରଥ ଟଣା ବେଳେ ଆଗରେ କ୍ଲିଅରାନ୍ସ ଟିମ୍, ପରେ ଡ୍ରାଗିଂ ଟିମ୍, ତାପରେ କର୍ଡନ୍ ଟିମ୍ ଏଭଳି ପର୍ଯ୍ୟାୟକ୍ରମେ ରଥ ଚାରିପାଖେ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯିବ। ରଥ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ, ଏଡିଜି ଏବଂ ମାଜିଷ୍ଟ୍ରେଟଙ୍କ ଦାୟିତ୍ୱରେ ହୋଇଛି ଅଭ୍ୟାସ। ରଥ ଉପରୁ ଦିଆଯାଉଥିବା କମାଣ୍ଡ କେମିତି ତଳେ ଥିବା ଅଧିକାରୀ ଶୁଣି ରଥକୁ ଠିକ୍ ଦିଗରେ ଟାଣିବେ ତା ଉପରେ ଦିଆଯାଇଛି ଗୁରୁତ୍ବ। ଏଥର ରଥଟଣାରେ ନିୟୋଜିତ ହେବେ ୧୮ ପ୍ଲାଟୁନ୍ ଫୋର୍ସ। ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷାକରି ପୋଲିସ ପକ୍ଷରୁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। 

ରଥଯାତ୍ରା ବେଳେ କୌଣସି ବିଲଡିଂରେ ନିଆଁ ଲାଗିଲେ କିମ୍ବା ବଡ଼ଦାଣ୍ଡରେ ପାଣି ଜମିବା ସ୍ଥିତି ଉପୁଜିଲେ, ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଫାୟାର ଟିମ୍।ବଡ଼ଦାଣ୍ଡରେ ପହଁଚିଛି ଅତ୍ୟାଧୁନିକ ହାଇଡ୍ରୋଲିକ୍ ମେସିନ। ପ୍ରସ୍ତୁତ ଲାଡାର, ଶକ୍ତିଶାଳୀ କଟର୍, ସ୍ପ୍ରେୟର ଏବଂ ରୋବଟ୍। ଭିଡ଼ ଭିତରେ କେମିତି ତୁରନ୍ତ ଜାଗାରେ ପହଁଚିହେବ ଏବଂ ଉଦ୍ଧାର କାର୍ଯ୍ୟ କେମିତି ଜୋରଦାର ହୋଇପାରିବ ସେ ନେଇ ମକଡ୍ରିଲ୍ କରିଛନ୍ତି ଅଗ୍ନିଶମ ଯୋଦ୍ଧା।

କେବଳ ବଡଦାଣ୍ଡ ନୁହେଁ, ବେଳାଭୂମିରେ ବି ଘନ ଘନ ଅଭ୍ୟାସ। ସମୁଦ୍ର ଢେଉରେ ପଶି ଲାଇଫ୍ ଗାର୍ଡଙ୍କ ପକ୍ଷରୁ କରାଯାଉଛି ଅଭ୍ୟାସ। ବୁଡିଯାଉଥିବା ପର୍ଯ୍ୟଟକଙ୍କ ପାଖରେ କିଭଳି ତୁରନ୍ତ ପହଁଚିହେବ, ପାଣି ଭିତରୁ ସଙ୍ଗେ ସଙ୍ଗେ ଉଦ୍ଧାର କରି କିଭଳି ପ୍ରାଥମିକ ଚିକିତ୍ସା ଦିଆଯିବ, ତାଉପରେ ବିଶେଷ ଧ୍ୟାନ ଦିଆଯାଉଛି। ରଥଯାତ୍ରା ଭିଡ଼କୁ ଦୃଷ୍ଟିରେ ରଖି ଲାଇଫ୍ ଗାର୍ଡ ମକଡ୍ରିଲ୍  କରିଥିବା ବେଳେ ପର୍ଯ୍ୟଟକଙ୍କୁ ସମୁଦ୍ର ରିପ କରେଣ୍ଟ ବିଷୟରେ ସଚେତନ କରାଯାଉଛି।

ଆସନ୍ତାକାଲି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ୧୩ ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ତେବେ ଚଳିତ ବର୍ଷ ଗୋଟିଏ ଦିନ କ୍ଷୟ ପଡ଼ିଥିବାରୁ କାଲି ହିଁ ଦର୍ଶନ ହେବ। ଆଜି ରାତିରେ ଖଡ଼ିପ୍ରସାଦ ବିଜେ କରାଯିବା ପରେ ଆସନ୍ତାକାଲି ସକାଳେ ବନକଲାଗି କରାଯିବ। ଏଥିପାଇଁ କମିବ ସର୍ବସାଧାରଣ ଦର୍ଶନ ସମୟ। ଅପରାହ୍ମ ୩ଟାରୁ ମାତ୍ର ଦୁଇ ଘଣ୍ଟାର ନବଯୌବନ ଦର୍ଶନ ପାଇଁ ସ୍ଥିର ହୋଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।