Massive Migrant Influx Into Spain: ସୀମା ଭାଙ୍ଗି ୫୦ ହଜାର ପ୍ରବାସୀଙ୍କ ଅନୁପ୍ରବେଶ, ସେନା ମୁତୟନ କଲା ସ୍ପେନ୍‌

Jul 31, 2026 - 14:54
Massive Migrant Influx Into Spain: ସୀମା ଭାଙ୍ଗି ୫୦ ହଜାର ପ୍ରବାସୀଙ୍କ ଅନୁପ୍ରବେଶ, ସେନା ମୁତୟନ କଲା ସ୍ପେନ୍‌

ସ୍ପେନ୍‌ର ସ୍ୱୟଂଶାସିତ ସହର ସିଉଟାରେ ପୁଣି ଦେଖାଦେଇଛି ବଡ଼ ପ୍ରବାସୀ ସଙ୍କଟ। ହଜାର ହଜାର ପ୍ରବାସୀ ମରକ୍କୋ ସୀମା ଅତିକ୍ରମ କରି ସିଉଟାରେ ପ୍ରବେଶ କରିବା ପରେ ୟୁରୋପର ସୀମା ସୁରକ୍ଷାକୁ ନେଇ ବଢ଼ିଛି ଚିନ୍ତା। ଏହି ଘଟଣା ୨୦୧୫ର ୟୁରୋପୀୟ ପ୍ରବାସୀ ସଙ୍କଟର ସ୍ମୃତିକୁ ପୁଣି ଥରେ ତାଜା କରିଦେଇଛି।

ରିପୋର୍ଟ ଅନୁଯାୟୀ, ପ୍ରାୟ ୪୯ ହଜାର ପ୍ରବାସୀ ସିଉଟାରେ ପ୍ରବେଶ କରିଛନ୍ତି। କେହି ସମୁଦ୍ର ପାରି କୂଳରେ ପହଞ୍ଚିଥିବା ବେଳେ ଆଉ କେହି ସୀମା ବାଡ଼ ଭାଙ୍ଗି ଭିତରକୁ ପଶିଛନ୍ତି। ଏହି ବିପଦପୂର୍ଣ୍ଣ ଯାତ୍ରାରେ ଅତି କମରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସହରରେ ଆଶ୍ରୟକେନ୍ଦ୍ରଗୁଡ଼ିକ ଫୁଲ ହୋଇଯାଇଥିବା ବେଳେ ଅନେକ ପ୍ରବାସୀ ରାସ୍ତାକଡ଼ରେ ରାତି କାଟୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ପରିସ୍ଥିତିକୁ ସମ୍ଭାଳିବା ପାଇଁ ସ୍ପେନ୍ ସରକାର ସେନା, ନୌସେନା ଏବଂ ବାୟୁସେନାକୁ ମୁତୟନ କରିଛନ୍ତି। ସମୁଦ୍ରରେ ସତର୍କ ନଜର ରଖିବା ପାଇଁ ଡାଇଭିଂ ଟିମ୍‌କୁ ମଧ୍ୟ ନିୟୋଜିତ କରାଯାଇଛି।

ସିଉଟା ହେଉଛି ଆଫ୍ରିକା ମହାଦେଶରେ ଥିବା ସ୍ପେନ୍‌ର ଏକ ସ୍ୱୟଂଶାସିତ ସହର ଏବଂ ୟୁରୋପକୁ ପ୍ରବେଶ କରିବାର ଏକ ପ୍ରମୁଖ ଦ୍ୱାର। ଦାରିଦ୍ର୍ୟ, ବେକାରି ଓ ହିଂସାରୁ ମୁକ୍ତି ପାଇବା ଆଶାରେ ପ୍ରତିବର୍ଷ ହଜାର ହଜାର ଲୋକ ଜୀବନକୁ ବାଜି ଲଗାଇ ଏହି ବିପଦପୂର୍ଣ୍ଣ ରାସ୍ତା ବାଛିଥାନ୍ତି।

ଏହି ଘଟଣା ପରେ ୟୁରୋପର ଖୋଲା ସୀମା ନୀତିକୁ ନେଇ ତୀବ୍ର ବିତର୍କ ଆରମ୍ଭ ହୋଇଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କଠୋର ପଦକ୍ଷେପ ନେବାକୁ ଦାବି କରିବା ସହ ସ୍ପେନ୍‌କୁ ସେଙ୍ଗେନ୍ ମୁକ୍ତ ଭ୍ରମଣ ବ୍ୟବସ୍ଥାରୁ ସସ୍ପେଣ୍ଡ କରିବା ନେଇ ମଧ୍ୟ ମତ ରଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।