Manasa Panchami 2026: ମନସା ପଞ୍ଚମୀ, ଜାଣନ୍ତୁ ପୌରାଣିକ ରହସ୍ୟ
ମନସା ପଞ୍ଚମୀ ହେଉଛି ହିନ୍ଦୁ ଧର୍ମର ଏକ ପ୍ରମୁଖ ଲୌକିକ ପର୍ବ। ଯାହା ମୁଖ୍ୟତଃ ପୂର୍ବ ଭାରତରେ ବିଶେଷକରି ବଙ୍ଗ, ଓଡ଼ିଶା, ଆସାମ, ବିହାର ଓ ଝାଡ଼ଖଣ୍ଡରେ ପାଳନ କରାଯାଏ । ଏହା ସର୍ପ ଦେବୀ ମନସାଙ୍କୁ ଉତ୍ସର୍ଗୀକୃତ। ଏହି ପର୍ବ ଶ୍ରାବଣ ମାସର ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ ଏବଂ ଏହା ନାଗ ପଞ୍ଚମୀ ସହିତ ଜଡ଼ିତ। ବର୍ଷା ଋତୁରେ ସାପ କାମୁଡ଼ା ପ୍ରକୋପ ବୃଦ୍ଧି ପାଉଥିବାରୁ ଏହି ପୂଜାର ବିଶେଷ ମହତ୍ତ୍ୱ ରହିଛି ।
ମନସା ଦେବୀଙ୍କ ଉତ୍ପତ୍ତି--
ପୁରାଣ ଓ ଲୌକିକ କାହାଣୀ ଅନୁସାରେ ‘ମନସା’ ହେଉଛନ୍ତି ସର୍ପଦେବୀ। ସେ କଶ୍ୟପ ପ୍ରଜାପତିଙ୍କ କନ୍ୟା ଏବଂ ଅନନ୍ତନାଗ (ବାସୁକୀ)ଙ୍କ ଭଉଣୀ।
ପ୍ରାଚୀନ କାଳରେ ପ୍ରଜାଗଣ ସର୍ବଦା ସାପଭୟରେ ଦିନ ବିତାଉଥିଲେ। ତେଣୁ ସେମାନଙ୍କୁ ସାପ ଭୟରୁ ମୁକ୍ତ କରିବା ପାଇଁ ସର୍ପ ମନ୍ତ୍ର ସୃଷ୍ଟି କରିବାକୁ ବ୍ରହ୍ମା କଶ୍ୟପଙ୍କୁ ପରାମର୍ଶ ଦେଇଥିଲେ। ଫଳରେ କଶ୍ୟପ ସର୍ପ ମନ୍ତ୍ରର ସୃଷ୍ଟି କଲେ। ସେହି ମନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ ଭାବରେ ଏହି ଦେବୀଙ୍କୁ ମଧ୍ୟ ତପ ବଳରେ ସେ ସୃଷ୍ଟି କରିଥିଲେ। କଶ୍ୟପଙ୍କ ମାନସ କନ୍ୟା ହୋଇଥିବାରୁ ତାଙ୍କର ନାମ ହୋଇଥିଲା ‘ମନସା’। କଶ୍ୟପଙ୍କ ପୁତ୍ରୀ ଭାବରେ ମଧ୍ୟ ତାଙ୍କର ନାମ ‘କାଶ୍ୟପୀ’।
ମୁନି କଶ୍ୟପଙ୍କର ମାନସକନ୍ୟା ଦେବୀ ମନସା ବହୁ ପ୍ରାଚୀନ କାଳରୁ ସର୍ପଦେବୀ ଭାବରେ ଭାରତର ବିଭିନ୍ନ ସଂପ୍ରଦାୟ ଦ୍ୱାରା ପୂଜିତା। ‘ବ୍ରହ୍ମବୈବର୍ତ୍ତ ପୁରାଣ’ ଓ ‘ଦେବୀ ଭାଗବତ’ରେ ସେ ଜରତ୍କାରୁ ନାମରେ ଶିବ ଓ କୃଷ୍ଣ ଉଭୟଙ୍କ ସହିତ ସଂଯୁକ୍ତ। ଏଥିରେ ତାଙ୍କର ଦ୍ୱାଦଶ ନାମର ଉଲ୍ଲେଖ ରହିଛି। ଯଥା- ମନସା, ଜରତ୍କାରୁ, ଜଗତ୍ଗୌରୀ, ସିଦ୍ଧଯୋଗିନୀ, ଶୈବୀ, ବୈଷ୍ଣବୀ, ନାଗଭଗିନୀ, ନାଗେଶ୍ୱରୀ, ଜରତ୍କାରୁପ୍ରିୟା, ଆସ୍ତିକ ମାତା, ବିଷହାରିଣୀ, ମହାଜ୍ଞାନଯୁକ୍ତା ଇତ୍ୟାଦି।
ଗୁଣ, କର୍ମ ଓ ଜନ୍ମ ଅନୁସାରେ ତାଙ୍କର ପ୍ରତ୍ୟେକ ନାମ ପଛରେ ଯୁକ୍ତିଯୁକ୍ତ କାରଣ ନିହିତ ଅଛି। ମାନସକନ୍ୟା ହେତୁ ସେ ମନସା। ସେହିପରି, ଈଶ୍ୱରଙ୍କଠାରୁ ଯୋଗଶିକ୍ଷା କରି ସେ ସିଦ୍ଧଯୋଗିନୀ। ତାଙ୍କ ଶରୀରର ରଙ୍ଗ ଅତ୍ୟନ୍ତ ଗୌରବର୍ଣ୍ଣ ଏବଂ ନାଗଲୋକରୁ ବ୍ରହ୍ମଲୋକ ପର୍ଯ୍ୟନ୍ତ ତାଙ୍କ ପରି କେହି ସୁନ୍ଦରୀ ନଥିବାରୁ ସେ ଜଗତ୍ଗୌରୀ। ଏହିପରି ଭାବରେ, ତାଙ୍କର ପ୍ରତ୍ୟେକ ନାମ ପଛରେ କୌଣସି ନା କୌଣସି ତଥ୍ୟ ରହିଛି।
କିମ୍ବଦନ୍ତୀରେ ଦେବୀ ମନସା---
ବଙ୍ଗଳାର ପ୍ରସିଦ୍ଧ ଲୋକକଥା ମନସା ମଙ୍ଗଳ କାବ୍ୟରେ ତାଙ୍କର କାହାଣୀ ବିସ୍ତୃତ ଭାବେ ବର୍ଣ୍ଣିତ । ମନସା ଶିବଙ୍କ ମାନସ କନ୍ୟା ବା ତାଙ୍କ ବୀର୍ଯ୍ୟରୁ ପଦ୍ମପତ୍ରରେ ଜନ୍ମିତା ଭାବରେ ବର୍ଣ୍ଣିତ। ସ୍ୱର୍ଗରେ ପୂର୍ଣ୍ଣ ସ୍ୱୀକୃତି ନ ପାଇ ସେ ମର୍ତ୍ତ୍ୟଲୋକରେ ନିଜ ପୂଜା ପ୍ରତିଷ୍ଠା କରିବାକୁ ସଙ୍କଳ୍ପ କରନ୍ତି। ଏଥିପାଇଁ ତାଙ୍କୁ ସାମ୍ନା କରିବାକୁ ପଡ଼େ ଧନୀ ବ୍ୟବସାୟୀ ଚାନ୍ଦ ସଉଦାଗରଙ୍କ। ଚାନ୍ଦ ଶିବଙ୍କ ପ୍ରବଳ ଭକ୍ତ ଥିଲେ ଏବଂ ମନସାଙ୍କୁ ଦେବୀ ଭାବରେ ସ୍ୱୀକାର କରିବାକୁ ମନା କରିଥିଲେ। ଏହି ଅସ୍ୱୀକାରରେ କ୍ରୋଧିତ ହୋଇ ମନସା ତାଙ୍କର ସାତଟି ଜାହାଜ ଡୁବାଇ ଦେଇଥିଲେ ଏବଂ ତାଙ୍କର ଛଅ ପୁତ୍ରଙ୍କୁ ସାପ ଦଂଶନରେ ମାରିଦେଇଥିଲେ।
ଚାନ୍ଦ ସୌଦାଗରଙ୍କ ସାନପୁଅ ଲଖିନ୍ଦରଙ୍କ ସହିତ ବେହୁଲାଙ୍କ ବିବାହ ହୁଏ। ବିବାହ ରାତିରେ ଲୌହ ନିର୍ମିତ ସୁରକ୍ଷିତ ଘରରେ ଥିବା ସତ୍ତ୍ୱେ ମନସାଙ୍କ ଆଦେଶରେ ସାପ ଲଖିନ୍ଦରଙ୍କୁ ଦଂଶନ କରି ମାରିଦିଏ। ଏହି ଦୁଃଖଦ ଘଟଣା ପରେ ବେହୁଲା ସ୍ୱାମୀଙ୍କ ପ୍ରତି ଅତୁଳନୀୟ ଭକ୍ତି, ସାହସ ଓ ତ୍ୟାଗର ପରିଚୟ ଦିଅନ୍ତି। ସେ ସ୍ୱାମୀଙ୍କ ମୃତ ଶରୀରକୁ ନେଇ ନଦୀରେ ଭେଳା ବାନ୍ଧି ଦୀର୍ଘ ଯାତ୍ରା କରନ୍ତି ଏବଂ ଦେବତାଙ୍କ ନିକଟରେ ପୁନର୍ଜୀବନର ପ୍ରାର୍ଥନା କରନ୍ତି। ବେହୁଲାଙ୍କ ଏହି ଅଦମ୍ୟ ଇଚ୍ଛାଶକ୍ତି ଓ ପତିଭକ୍ତି ମନସାଙ୍କୁ ପ୍ରସନ୍ନ କରେ। ଫଳରେ ଚାନ୍ଦ ସଉଦାଗର ଶେଷରେ ମନସାଙ୍କ ପୂଜା କରିବାକୁ ବାଧ୍ୟ ହୁଅନ୍ତି। ତା’ପରେ ସମସ୍ତ ପୁଅ ପୁନର୍ଜୀବିତ ହୁଅନ୍ତି, ହରାଇଥିବା ସମ୍ପତ୍ତି ଫେରି ଆସେ ଏବଂ ମନସାଙ୍କ ପୂଜା ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପକ ଭାବେ ପ୍ରତିଷ୍ଠିତ ହୁଏ।
ଶିବ ଓ ବିଷ୍ଣୁ ଉଭୟଙ୍କର ଭକ୍ତା ଦେବୀ ମନସା ---
ମନସା ଥିଲେ ଶିବ ଓ ବିଷ୍ଣୁ ଉଭୟଙ୍କର ଭକ୍ତା। ଶିବଙ୍କ ଶିଷ୍ୟା ଭାବରେ ସେ ‘ଶୈବୀ’ ଓ ବିଷ୍ଣୁଙ୍କ ଅନୁବ୍ରତୀ ଭାବରେ ସେ ‘ବୈଷ୍ଣବୀ’ ରୂପେ ପରିଚିତା। କୁମାରୀକନ୍ୟା ଥିବାବେଳେ, ସେ ଶିବଙ୍କ ନିକଟରୁ ସ୍ତବ, ପୂଜା, ମନ୍ତ୍ର ଆଦି ଶିକ୍ଷାକରି ସିଦ୍ଧସାଧିକା ହୋଇଥିଲେ। ତାଙ୍କର ନାମ ହୋଇଥିଲା ‘ସିଦ୍ଧଯୋଗିନୀ’। ଜନ୍ମେଜୟଙ୍କ ସର୍ପଯଜ୍ଞରେ ସେ ନାଗଙ୍କର ପ୍ରାଣରକ୍ଷା କରି ‘ନାଗେଶ୍ୱରୀ’ ନାମରେ ପ୍ରଖ୍ୟାତା ହୋଇଥିଲେ। ସର୍ପବିଷ ହରଣକାରିଣୀ ଭାବରେ ତାଙ୍କର ନାମ ମଧ୍ୟ ‘ବିଷହାରିଣୀ’।
ମନସା ଥିଲେ ଅତ୍ୟନ୍ତ ସୁନ୍ଦରୀ। ତେଣୁ ‘ଜଗଦ୍ଗୌରୀ’ ଭାବରେ ମଧ୍ୟ ସେ କଥିତା ହୁଅନ୍ତି। କଶ୍ୟପମୁନି ତାଙ୍କୁ ଜରତ୍କାରୁ ମୁନିଙ୍କ ସହିତ ବିବାହ କରାଇଥିଲେ। ପରେ, ଦେବତା, ମନୁ, ମୁନି, ନାଗ ଓ ମନୁଷ୍ୟ ସମସ୍ତେ ତାଙ୍କର ପୂଜା କଲେ। ଶ୍ରାବଣ କୃଷ୍ଣ ପଞ୍ଚମୀରେ ତାଙ୍କ ପାଇଁ ଯେଉଁ ବ୍ରତ କରାଯାଏ, ତାହାର ନାମ ‘ମନସା ପଞ୍ଚମୀ’ ବ୍ରତ।
ମନସା ପୂଜାର ପ୍ରଚଳନ ---
ଚମ୍ପକବରଣା ଏହି ଦେବୀ ବିଭିନ୍ନ ରତ୍ନ ଅଳଙ୍କାରରେ ଭୂଷିତା ହୋଇ, ଶରୀରରେ ଯଜ୍ଞାପବୀତ ଭାବରେ ଏକ ନାଗ ଧାରଣ କରିଥାନ୍ତି। ଅଶେଷ ସିଦ୍ଧିର ଅଧିକାରିଣୀ ହେତୁ ସେ ସମସ୍ତ ସିଦ୍ଧଗଣଙ୍କର ମୁଖ୍ୟା ଭାବରେ ସିଦ୍ଧି ନାମରେ ପରିଚିତା ହୋଇଥାନ୍ତି। ସେ କେବଳ ଉତ୍ତମ ସାଧକଙ୍କୁ ସିଦ୍ଧି ପ୍ରଦାନ କରନ୍ତି। ଯିଏ ମନସାଙ୍କଠାରୁ ସିଦ୍ଧି ପ୍ରାପ୍ତ ହୋଇଥାଏ ସେ ସମଗ୍ର ପୃଥିବୀରେ ସିଦ୍ଧ ଭାବରେ ସ୍ୱୀକୃତ ହୁଏ। ସେ ଦ୍ୱିତୀୟ ଧନ୍ୱନ୍ତରୀରେ ପରିଣତ ହୋଇଥାଏ।
କୁହାଯାଏ ଯେ, ଶ୍ରାବଣ ମାସର ପ୍ରଥମ ଦିନରେ ମନସା ଦେବୀଙ୍କୁ ପ୍ରାର୍ଥନା କଲେ ଅଶେଷ ପୁଣ୍ୟ ମିଳିଥାଏ। ସେହିପରି, ଶୁକ୍ଳପକ୍ଷର ପଞ୍ଚମ ଦିନରେ ଏହି ଦେବୀଙ୍କୁ ପାଦ୍ୟ, ଅର୍ଘ୍ୟ ପ୍ରଦାନ କଲେ, ଭକ୍ତ ତାଙ୍କ କୃପାରୁ ଧନ, ରତ୍ନ ଓ ଯଶ ଏବଂ ପୁତ୍ର, କନ୍ୟା ଲାଭ କରିଥାଏ।
ସମସ୍ତ ପ୍ରାଣୀଙ୍କ ମଧ୍ୟରେ ସର୍ପ ଅତ୍ୟନ୍ତ କ୍ରୋଧୀ ବୋଲି ପୁରାଣରେ ଉଲ୍ଲେଖ ଅଛି। ତେଣୁ ପ୍ରାଣୀମାନଙ୍କୁ ସର୍ବଦା ସର୍ପ ଦଂଶନର ଭୟ ରହିଥାଏ। ଦେବୀ ମନସାଙ୍କ ପୁତ୍ର ଆସ୍ତିକ ସର୍ପମାନଙ୍କୁ ଜନ୍ମେଜୟଙ୍କ ସର୍ପଯଜ୍ଞରୁ ଉଦ୍ଧାର କରିଥିଲେ। ତେଣୁ ସର୍ପମାନେ ସର୍ବଦା ମନସାଙ୍କ ପ୍ରତି କୃତଜ୍ଞ ରହିଥାନ୍ତି। ତେଣୁ ସର୍ପଦଂଶନରୁ ରକ୍ଷା ପାଇବା ପାଇଁ ମନସା ପୂଜାର ପ୍ରଚଳନ ବୋଲି କୁହାଯାଏ। ‘ମନସା ବିଜୟ’ ଗ୍ରନ୍ଥ ଅନୁଯାୟୀ, ଜଣେ ଗୋପାଳକ ପ୍ରଥମେ ମନସା ଦେବୀଙ୍କର ଆରାଧନା କରିଥିଲେ। ପରବର୍ତ୍ତୀ କାଳରେ ମନସା ପୂଜାର ପ୍ରଚାର ଓ ପ୍ରସାର ଘଟିଛି।
ପୂଜା ବିଧି --
ମନସା ପଞ୍ଚମୀ ଦିନ ଭକ୍ତମାନେ ଉପବାସ ରଖି ଦେବୀଙ୍କୁ ପୂଜା କରନ୍ତି। ମୂର୍ତ୍ତି ବା ଚିତ୍ର ସ୍ଥାପନ କରି ଦୁଗ୍ଧ, କଳା, ଫଳ, ଫୁଲ, ଧୂପ-ଦୀପ ଓ ନୈବେଦ୍ୟ ଅର୍ପଣ କରାଯାଏ। କେତେକ ସ୍ଥାନରେ ମାଟିର ସରା ବା ଘଟରେ ପୂଜା ହୁଏ। ସାପ କାମଡ଼ରୁ ରକ୍ଷା ପାଇବା ପାଇଁ ଓ ସନ୍ତାନ ଲାଭ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଏ।
ପୂଜା ସମୟରେ ରନ୍ଧନ ନକରିବା, ଚୁଲି ନଜଳାଇବା ପରି କଟକଣା ମଧ୍ୟ ରହିଥାଏ। ପରଦିନ ପ୍ରସାଦ ଗ୍ରହଣ କରାଯାଏ। ଓଡ଼ିଶାର କେତେକ ଅଞ୍ଚଳରେ ଏହା ନାଗ ପୂଜା ସହିତ ମିଶି ପାଳନ କରାଯାଏ ।
ମନସା ପଞ୍ଚମୀ କେବଳ ଧାର୍ମିକ ନୁହେଁ, ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ ବହନ କରେ। ବର୍ଷା ଋତୁରେ କୃଷି ନିର୍ଭର ଅଞ୍ଚଳରେ ସାପର ଭୟ ଅଧିକ ଥିବାରୁ ଏହି ପୂଜା ଲୋକଙ୍କୁ ଆଶ୍ୱାସ ଦେଇଥାଏ। ଏହା ପରିବାରର କଲ୍ୟାଣ, ସନ୍ତାନ ଲାଭ ଓ ରୋଗ-ବ୍ୟାଧିରୁ ରକ୍ଷା ପାଇଁ ପ୍ରାର୍ଥନାର ପ୍ରତୀକ। ଏହି ପର୍ବ ମଧ୍ୟରେ ମନସା ମଙ୍ଗଳ ଗାନ କରାଯାଏ, ଯାହା ଲୋକସଂସ୍କୃତିର ଏକ ଅମୂଲ୍ୟ ସମ୍ପଦ। ଏହା ନାରୀମାନଙ୍କ ଭକ୍ତି ଓ ଦୃଢ଼ତାର ପ୍ରତୀକ ମଧ୍ୟ। ଆଧୁନିକ ସମୟରେ ମଧ୍ୟ ଗ୍ରାମାଞ୍ଚଳରେ ଏହାର ପାରମ୍ପରିକ ରୂପ ବଜାୟ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।