Major anti-Mao Operation Success: ମାଓ ଦମନ ଅଭିଯାନକୁ ବଡ଼ ସଫଳତା, ମାଓମୁକ୍ତ ହେବ ଓଡ଼ିଶା

ଦକ୍ଷିଣ ଓଡ଼ିଶାକୁ ସମ୍ପୂର୍ଣ୍ଣ ମାଓମୁକ୍ତ କରିବାକୁ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ସ୍ପେଶାଲ ଅପରେସନରେ ଜବତ ହୋଇଛି ବିପୁଳ ମାଓ ସାମଗ୍ରୀ। ମାଓବାଦୀମାନେ ଡମ୍ପ କରି ଏସବୁ ସାମଗ୍ରୀ ଲୁଚାଇ ରଖିଥିଲେ। ଗତ ଦୁଇ ମାସ ମଧ୍ୟରେ ରାୟଗଡ଼ା ପୋଲିସ ଦ୍ୱିତୀୟ ବଡ଼ ମାଓ ଡମ୍ପ ଠାବ କରିଛି। ଗତ ମାସରେ ଦେପାଗୁଡ଼ା ଜଙ୍ଗଲରୁ ଆଉ ଏବେ ରଘୁବାରୀ ସଂରକ୍ଷିତ ଜଙ୍ଗଲରୁ ଜିଲ୍ଲା ପୋଲିସ, ଡିଭିଏଫ୍ ଏବଂ ଏସଓଜିର ମିଳିତ ଟିମ୍ କମ୍ବିଂ ଅପରେସନ୍ ବେଳେ ଠାବ କରିଛି ବଡ଼ ମାଓ ଡମ୍ପ୍। ଏଠୁ ଗୋଟିଏ ୩୦୩ ରାଇଫଲ୍, ଦେଶୀ ବନ୍ଧୁକ, ଷ୍ଟେନ୍ ଗନ ଯନ୍ତ୍ରାଂଶ, ୩୭ ରାଉଣ୍ଡ ଗୁଳି, ୨୫ ରାଉଣ୍ଡ ୯ ଏମଏମ୍ ଗୁଳି, ୧୦ଟି ଆରବିଜିଏଲ୍ ଓ ଗନ୍ ପାଉଡର ଜବତ ହୋଇଛି। ଏଥିସହ ପ୍ରଚୁର ପରିମାଣର ଔଷଧ, ଚାଉଳ, ପୋଷାକ ଓ ଦୈନନ୍ଦିନ ସାମଗ୍ରୀ ବି ମିଳିଛି। ସବୁ ସାମଗ୍ରୀ ସିପିଆଇ ମାଓବାଦୀ ସଂଗଠନର ବଂଶଧାରା–ଘୁମୁସର–ନାଗାବଳୀ ଡିଭିଜନର ବୋଲି ରାୟଗଡ଼ା ଏସପି ସୂଚନା ଦେଇଛନ୍ତି।
କେବଳ ରାୟଗଡ଼ା ନୁହେଁ କୋରାପୁଟ ଓ ମାଲକାନଗିରିରୁ ମଧ୍ୟ ବିପୁଳ ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷା ବାହିନୀ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ପୋଲିସକୁ ଏହି ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲାରେ ମାଟି ତଳୁ ଜବତ ହୋଇଛି ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ। କାଲିମେଳା ଥାନା ଗୁଣ୍ଟାବେଡ଼ା ଓ କଦମଗୁଡ଼ା ଜଙ୍ଗଲରେ ସର୍ଚ ଅପରେସନ କରି ପ୍ରାୟ ୩୭ ପ୍ରକାରର ବିସ୍ପୋରକ ସାମଗ୍ରୀ ଉଦ୍ଧାର କରାଯାଇ ପାରିଛି। ଏଥିରେ ରହିଛି ଅତ୍ୟାଧୁନିକ ଏସଏଲଆର ସହ ଏକାଧିକ ବନ୍ଧୁକ, ଲ୍ୟାଣ୍ଡମାଇନ, କ୍ଲେମୋର ମାଇନ, ରକେଟ ଲଞ୍ଚର। ଏହା ପୂର୍ବରୁ ଗତ ଜୁଲାଇ ୩ ତାରିଖରେ କୋରାପୁରଟ ବୈପାରିଗୁଡ଼ା ତେନ୍ତୁଳିଗୁମ୍ମା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ବହୁ ମାଓ ମାମଗ୍ରୀ ଜବତ କରିଥିଲା ସୁରକ୍ଷା ବାହିନୀ।
ଏଠି ପ୍ରଶ୍ନ ଉଠୁଛି ଦକ୍ଷିଣ ଓଡ଼ିଶାରେ ଏବେବି ମାଓବାଦୀ ସକ୍ରିୟ ଅଛନ୍ତି କି ? ଜଙ୍ଗଲରୁ ଏତେ ପରିମାଣର ମାଓ ସାମଗ୍ରୀ କିପରି ଜବତ ହେଉଛି ? ପଡ଼ୋଶୀ ରାଜ୍ୟର ସୀମାନ୍ତ ଦେଇ ମାଓବାଦୀ ଓଡ଼ିଶାକୁ ପ୍ରବେଶ କରୁଛନ୍ତି କି ? ଏସବୁ ଭିତରେ ସମଗ୍ର ଦକ୍ଷିଣ ଓଡ଼ିଶାରେ ମାଓବାଦୀଙ୍କ ଚିହ୍ନ ଲିଭାଇବାକୁ ଅପରେସନ ଆହୁରି ଜୋରଦାର କରିବାକୁ ପୋଲିସ ଯୋଜନା କରିଛି। ଆଗାମୀ ଦିନରେ ପୋଲିସ, ଏସଓଜି, ଡିଭିଏଫ୍ ଏବଂ ସିଆରପିଏଫର ମିଳିତ କମ୍ବିଂ ଅପରେସନକୁ ବ୍ୟାପକ କରିବାକୁ ଅଣ୍ଟା ଭିଡିଛି ୩ ଜିଲ୍ଲାର ପୋଲିସ ପ୍ରଶାସନ।