Maharashtra Power Cut: ଇଲେକ୍ଟ୍ରି ଅଫିସ ସାମ୍ନାରେ ବିଛଣା ପକାଇ ଶୋଇଲେ ଗ୍ରାମବାସୀ, ପହରା ଦେଲା ପୋଲିସ
ପ୍ରବଳ ଗରମ ଓ ଗୁଳୁଗୁଳି ମଧ୍ୟରେ ରାତିସାରା ବିଦ୍ୟୁତ କାଟ କରାଯାଉଛି। ଫଳରେ ଗାଁର ଲୋକମାନେ ରାତିରେ ଠିକ୍ ଭାବେ ଶୋଇପାରୁ ନାହାନ୍ତି। ଏହି କାରଣରୁ ସେମାନେ ପ୍ରତିବାଦ ସ୍ୱରୂପ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିଛଣା ପକାଇ ଶୋଇଛନ୍ତି। ଏପରି ଏକ ଘଟଣା ମହାରାଷ୍ଟ୍ରର ୱାଶିମ ଜିଲ୍ଲା ମନୋରା ତହସିଲରେ ଘଟିଛି। ବାରମ୍ବାର ବିଦ୍ୟୁତ କାଟରେ ଅତିଷ୍ଠ ଗ୍ରାମବାସୀମାନେ ଇଲେକ୍ଟ୍ରି ଅଫିସ ସମ୍ମୁଖରେ ହିଁ ବିଛଣା ପକାଇ ପ୍ରତିବାଦ କରିଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପହରା ଦେବା ଆରମ୍ଭ କରିଥିଲା।
କାରଖେଡା ଏବଂ ଆଖପାଖ ଗାଁଗୁଡ଼ିକରେ ଲଗାତାର ରାତିରେ ବିଦ୍ୟୁତ କାଟ ହେବାରୁ ଗ୍ରାମବାସୀଙ୍କ ଅସନ୍ତୋଷ ଏବେ ଖୋଲାଖୋଲି ସାମ୍ନାକୁ ଆସିଛି। ବିଦ୍ୟୁତ କାଟ ହେବା ମାତ୍ରେ ଶତାଧିକ ଲୋକ ନିଜ ନିଜ ବିଛଣା ଧରି ସିଧାସଳଖ ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ କାର୍ଯ୍ୟାଳୟ ପରିସରରେ ହିଁ ଶୋଇ ରହିଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ, ଯେତେବେଳେ ଗାଁରେ ସାରାରାତି କରେଣ୍ଟ ରହୁନାହିଁ, ସେତେବେଳେ ସେମାନେ ଇଲେକ୍ଟ୍ରି ଡିପାର୍ଟମେଣ୍ଟ ଅଫିସ ଆଗରେ ହିଁ ରାତି କାଟିବେ।
ଅନେକ ଥର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇନାହିଁ। ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଖୁବଶୀଘ୍ର ନିୟମିତ ବିଦ୍ୟୁତ ଯୋଗାଣ ଆରମ୍ଭ ନ ହୁଏ, ତେବେ ସେମାନଙ୍କ ଆନ୍ଦୋଳନ ଆହୁରି ତୀବ୍ର କରାଯିବ।
ପୋଲିସଙ୍କୁ ଚିଠି ଲେଖି ଜଣାଇଲେ ଅଭିଯୋଗ
କାରଖେଡା ଗ୍ରାମ ପଞ୍ଚାୟତ ପକ୍ଷରୁ ପୋଲିସଙ୍କୁ ଏକ ଲିଖିତ ଅଭିଯୋଗପତ୍ର ମଧ୍ୟ ଦିଆଯାଇଛି। ବିଦ୍ୟୁତ ନ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଥିବାବେଳେ ପ୍ରବଳ ଗରମ ଓ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ସାଧାରଣ ଲୋକ ମଧ୍ୟ ହଇରାଣ ହେଉଛନ୍ତି। ଅଭିଯୋଗପତ୍ରରେ ଚେତାବନୀ ଦିଆଯାଇଥିଲା ଯେ, ଯଦି ୧୮ ଜୁଲାଇ ୨୦୨୬ ରାତିରେ ପୁଣିଥରେ ବିଦ୍ୟୁତ କାଟ କରାଯାଏ, ତେବେ ଗ୍ରାମବାସୀମାନେ ବିଦ୍ୟୁତ ବିତରଣ କେନ୍ଦ୍ର ପରିସରରେ ଶୋଇ ରହି ପ୍ରତିବାଦ କରିବେ। ଫଳସ୍ୱରୂପ ପୁଣି ବିଦ୍ୟୁତ ବିଭ୍ରାଟ ହେବାରୁ ଇଲେକ୍ଟ୍ରି ଅଫିସ ସାମନାରେ ଶୋଇ ରହିଥିଲେ ଗ୍ରାମବାସୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।