Welcome!

Unlock your personalized experience.
Sign Up

Maa Kalapata: ତିଗିରିଆର ଆରାଧ୍ୟ ଠାକୁରାଣୀ ମା’ କଳାପାଟ

Oct 20, 2026 - 19:42
Maa Kalapata: ତିଗିରିଆର ଆରାଧ୍ୟ ଠାକୁରାଣୀ ମା’ କଳାପାଟ
ାା ଚନ୍ଦ୍ରଶେଖର ମିଶ୍ର ାା
ତିଗିରିଆ: ତିଗିରିଆ ବ୍ଲକ୍‌ ନୂଆପାଟଣା ପଞ୍ଚାୟତର ଆରାଧ୍ୟ ଠାକୁରାଣୀ ମା’ କଳାପାଟ। ବିଶ୍ବାସ ରହିଛି, ଏଠାରେ ଭାବରେ ଥାଇ ମା’ଙ୍କୁ ଶ୍ରଦ୍ଧାର ସହ ଡାକିଲେ ମା’ ଡାକ ଶୁଣନ୍ତି। ମା’ଙ୍କ ପାଖରେ କେବଳ ତିଗିରିଆ ଅଞ୍ଚଳ ନୁହେଁ, ରାଜ୍ୟର ଅନ୍ୟ ଅଞ୍ଚଳ ସମେତ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ ମାନସିକ ପୂରଣ ପରେ ଦର୍ଶନ ପାଇଁ ଆସିଥା’ନ୍ତି। 
କିମ୍ବଦନ୍ତୀ ଅନୁସାରେ, ମା’ ଏହି ସ୍ଥାନରେ ପ୍ରାୟ ୪୦୦ ବର୍ଷ ହେଲା ଅବସ୍ଥାନ କରୁଛନ୍ତି। ଯେତେବେଳେ ପୁରୀ ଶ୍ରୀମନ୍ଦିର ଉପରେ ବାହ୍ୟ ଶତ୍ରୁ ଆକ୍ରମଣ କରି ମନ୍ଦିରରୁ ପ୍ରଭୁ ଜଗନ୍ନାଥଙ୍କୁ ନେଇଯିବାକୁ ଚକ୍ରାନ୍ତ କରିଥିଲେ ସେତେବେଳେ ତତ୍କାଳୀନ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଶ୍ରୀମନ୍ଦିରରେ ଚନ୍ଦନରେ ନିର୍ମିତ ବିଗ୍ରହ ପୂଜା କରାଯାଇ ପ୍ରକୃତ ବିଗ୍ରହଙ୍କୁ ତିଗିରିଆ ରାଜ୍ୟରେ ଗୁପ୍ତରେ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ତିଗିରିଆରେ ପ୍ରକୃତ ବିଗ୍ରହ ଲୁଚି ରହିଥିବା କଥା ଆକ୍ରମଣକାରୀ ଜାଣିଯିବାରୁ ଏଥିରେ ଚିନ୍ତିତ ହୋଇ ତତ୍କାଳୀନ ତିଗିରିଆ ରାଜା, ପ୍ରଭୁ ଶ୍ରୀଜନ୍ନାଥଙ୍କ ନିକଟରେ ଅଧିଆ ପଡ଼ିଥିଲେ। ମହାପ୍ରଭୁ ରାଜାଙ୍କୁ ସ୍ୱପ୍ନାଦେଶ କରି କେବଳ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ତିଗିରିଆ ରାଜ୍ୟ ପାଟଣାମୁଲକର ଘୋର ବନସ୍ତରେ ଲୁଚାଇ ରଖିବାକୁ କହିଥିଲେ। ସ୍ୱପ୍ନାଦେଶ ଅନୁଯାୟୀ ମହାପ୍ରଭୁଙ୍କ ବିଗ୍ରହକୁ ବନସ୍ତରେ ଲୁଚାଇ ରଖିବା ସହ ସୁରକ୍ଷା ପାଇଁ ରାଜ୍ୟବାହାରୁ କିଛି ପାଇକଙ୍କୁ ରଖାଯାଇଥିଲା। ଉକ୍ତ ଖବର ମଧ୍ୟ ଆକ୍ରଣକାରୀଙ୍କ ପାଖରେ ପହଞ୍ଚିଯିବାରୁ ସେମାନେ ଉକ୍ତ ସ୍ଥାନରେ ଅତର୍କିତ ଆକ୍ରମଣ କରିଥିଲେ। ଖବର ଶୁଣି ରାଜା ଉପାୟଶୂନ୍ୟ ହୋଇ ‘ମହାପ୍ରଭୁ ନିଜେ ନିଜର ରକ୍ଷା କର’ ବୋଲି ଡାକି ସଂଜ୍ଞାହୀନ ହୋଇଯାଇଥିଲେ। ଆକ୍ରମଣକାରୀ ମହାପ୍ରଭୁଙ୍କ ବିଗ୍ରହ ନେଇଯିବାକୁ ବସିଥିବା ବେଳେ ଅନତି ଦୂରରେ ବନସ୍ତରେ ଏକ ସାହାଡ଼ା ଗଛମୂଳରେ ଅବସ୍ଥାନ କରୁଥିବା ମା’ କଳାପାଟ ମହାପ୍ରଭୁଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ।
ସଂଜ୍ଞା ଫେରିବା ପରେ ମହାପ୍ରଭୁ ରାଜାଙ୍କୁ ସ୍ୱପ୍ନାଦେଶ ମାଧ୍ୟମରେ ମା’ କଳାପାଟଙ୍କ କଥା କହିଥିଲେ। ରାଜା ‌ସେଠାକୁ ଯାଇ ମା’ଙ୍କୁ ମୁଣ୍ଡିଆ ମାରି ପୂଜା ଆରମ୍ଭ କରିଥିଲେ। ବହୁବର୍ଷ ଧରି ଡାହାଳିଆ ସମ୍ପ୍ରଦାୟ ଦ୍ବାରା ମା’ଙ୍କ ପୂଜା କରାଯାଉଥିଲା। ଉକ୍ତ ସମ୍ପ୍ରଦାୟ ଏହି ସ୍ଥାନ ଛାଡି ଅନ୍ୟତ୍ର ଚାଲିଯିବାରୁ ଦୀର୍ଘବର୍ଷ ଧରି ମା’ ଅପୂଜା ରହିଥିଲେ। ପରେ ସ୍ଥାନୀୟ ଅଞ୍ଚଳର ସଙ୍ଗୀତଗୁରୁ କାଶୀନାଥ ମହାପାତ୍ରଙ୍କୁ ମା’ ପୂଜାର୍ଚ୍ଚନା ପାଇଁ ନିର୍ଦ୍ଦେଶ ଦେବାରୁ ସେହିଦିନ ଠାରୁ କାଶୀନାଥ ଓ ତାଙ୍କ ପରିବାର ପିଢ଼ି ପରେ ପିଢ଼ି ମା’ଙ୍କ ପୂଜା କରି ଆସୁଛନ୍ତି। 
ମା’ଙ୍କ ନିକଟରେ ପ୍ରତ୍ୟହ ଭୋଗ ଲାଗି କରାଯାଉଥିବା ବେଳେ ବୈଶାଖ ପୂର୍ଣ୍ଣିମା, ଷୋଳପୂଜା, ପଣା ସଂକ୍ରାନ୍ତି, କାର୍ତ୍ତିକ ପୂର୍ଣ୍ଣିମାରେ ମା’ଙ୍କ ନିକଟରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ବୈଶାଖ ପୂର୍ଣ୍ଣିମା ଦିନ ନୂଆପାଟଣାର ୯ମୌଜା ଓ ଆଖପାଖ ଅଞ୍ଚଳର ହଜାରହଜାର ଭକ୍ତ ମା’ଙ୍କ ମନ୍ଦିରକୁ ଆସି ହାତ ତିଆରି କ୍ଷୀରି, ଖେଚୁଡ଼ି ଭୋଗ ମାଡ଼ଙ୍କୁ ଲାଗି କରନ୍ତି। ଏବେ ନୂତନ ମନ୍ଦିର ନିର୍ମାଣ କରାଯାଇ ସେଠାରେ ମା’ ପୂଜା ପାଉଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)