Lower Suktel Protest Escalates: ପୁଣି ତେଜିଲା ଲୋୟର ସୁକତେଲ୍ ଆନ୍ଦୋଳନ, ପାରମ୍ପରିକ ଅସ୍ତ୍ର ସହ ଆଦିବାସୀ-ପ୍ରଶାସନ ମୁହାଁମୁହିଁ

Jul 21, 2026 - 20:11
Lower Suktel Protest Escalates: ପୁଣି ତେଜିଲା ଲୋୟର ସୁକତେଲ୍ ଆନ୍ଦୋଳନ, ପାରମ୍ପରିକ ଅସ୍ତ୍ର ସହ ଆଦିବାସୀ-ପ୍ରଶାସନ ମୁହାଁମୁହିଁ

ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ଫଟୋରେ ଫୁଲମାଳ, ପାଖରେ ପାରମ୍ପରିକ ଧନୁତୀର। ହାତରେ ପ୍ଲାକାର୍ଡ... ଆଖିରେ ପ୍ରତିବାଦର ନିଆଁ। ମହିଳାଠାରୁ ବୃଦ୍ଧ... ସମସ୍ତଙ୍କର ଗୋଟିଏ ସ୍ୱର। ଉଚିତ୍ କ୍ଷତିପୂରଣ ନାହିଁ ତ ବିସ୍ଥାପନ ନାହିଁ। ଏପଟେ ଗାଁ ବାହାରେ ୯ ପ୍ଲାଟୁନ୍ ପୋଲିସ୍ ଫୋର୍ସ, ସାଙ୍ଗରେ ବୁଲଡୋଜର। ଲୋୟର ସୁକତେଲ ପ୍ରକଳ୍ପ ପାଇଁ କ୍ଷତିପୂରଣ ପାଇଥିବା ପରିବାରଙ୍କ ଘର ଚିହ୍ନଟ ସହ ଉଛେଦ ବେଳେ ଆଜି ଏମିତି କିଛି ସ୍ଥିତି ଦେଖିବାକୁ ମିଳିଥିଲା। ପ୍ରଶାସନ ଟିମ୍ ସହ ପହଞ୍ଚିଲା ବେଳକୁ ଲୋଇସିଂହା ବ୍ଲକ୍ କୁମିଆଁପାଲିରେ ଗାଁ ମଣ୍ଡପରେ ଆଦିବାସୀ କଲ୍ୟାଣ ସଂଘ ଆହ୍ବାନରେ ଏକାଠି ହୋଇଥିଲେ ଗାଁ ଲୋକ। ଦୀର୍ଘ ସମୟ ଧରି ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଚାଲିଥିଲା ଯୁକ୍ତିତର୍କ। ଆଜି କ୍ଷତିପୂରଣ ପାଇଥିବା ପରିବାରର ଘରକୁ ଜେସିବି ଲଗାଇ ଭାଙ୍ଗିଛି ପ୍ରଶାସନ। ଗାଁ ଲୋକ ଅଭିଯୋଗ କରିଛନ୍ତି, ସେମାନଙ୍କ ଅନୁପସ୍ଥିତିରେ ଗୁପ୍ତରେ ସର୍ଭେ କରାଯାଇଛି। ଆଜି ବି ଜମିର ପୂର୍ଣ୍ଣ ମୂଲ୍ୟାଙ୍କନ ହୋଇନି। ଜମି ବଦଳରେ ଜମି ନମିଳିବା ପର୍ଯ୍ୟନ୍ତ ଇଞ୍ଚେ ବି ମାଟି ଛାଡ଼ିବୁ ନାହିଁ ବୋଲି ଚେତେଇ ଦେଇଛନ୍ତି। 

ଦୀର୍ଘ ଆଲୋଚନା, ଘଣ୍ଟା ଘଣ୍ଟା ଧରି ବୁଝାସୁଝା ପରେ ବି କୌଣସି ସମାଧାନ ବାହାରିଲା ନାହିଁ। ଗ୍ରାମବାସୀଙ୍କ ଜିଦ ଆଗରୁ ପଛକୁ ହଟିଥିଲା ପ୍ରଶାସନ। ବାକି ଥିବା ୮୪ ପରିବାରଙ୍କୁ ଆଜି ବିସ୍ଥାପିତ କରା ଯିବନି ବୋଲି ସ୍ପଷ୍ଟ କରାଯାଇଥିଲା। କିନ୍ତୁ ସମସ୍ୟା ଏଇଠି ସରିନି। କାରଣ ଲୋୟର ସୁକତେଲ ଡ୍ୟାମର ବଢ଼ୁଥିବା ଜଳସ୍ତର ଏହାରି ଭିତରେ ୧୦ ପରିବାରକୁ ଘେରି ସାରିଛି। ଘର ଚାରିପଟେ ପାଣି, ବିପଦରେ ଜୀବନ। ତଥାପି ନିଜ ଅଧିକାର ପାଇଁ ଭିଟାମାଟି ପାଇଁ ସଂଗ୍ରାମ କରୁଛନ୍ତି ଗାଁ ଲୋକ। ଅନ୍ୟପଟେ ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କହିଛନ୍ତି, ଜଳସ୍ତର ବଢ଼ୁଥିବାରୁ ଯେକୌଣସି ସମୟରେ ସ୍ଥାନାନ୍ତରଣ ଜରୁରୀ। 

ଗୋଟିଏ ପଟେ ମାଡ଼ିଆସୁଛି ଲୋୟର ସୁକତେଲ ଡ୍ୟାମର ପାଣି, ଆଉ ଅନ୍ୟପଟେ ନିଜ ହକ୍ ପାଇଁ ଜିଦ୍ ରେ ଅଟଳ ଆଦିବାସୀ। ପ୍ରଶାସନ ଓ ଗ୍ରାମବାସୀଙ୍କ ମୁହାଁମୁହିଁ ସ୍ଥିତି ଭିତରେ କୁମିଆଁପାଲି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।