Excessive Screen Time Impacting Children's Mental Health: ଡିଜିଟାଲ୍ ଜମାନାରେ ହାତଛଡ଼ା ହେଉଛି ଶୈଶବ, ଡିଜିଟାଲ୍ ନିଶାରେ ଡୁବୁଛି ନୂଆ ପିଢ଼ି
ସ୍କ୍ରିନ୍ ଜିତୁଛି...ଶୈଶବ ହାରୁଛି। ମୋବାଇଲ୍, ସୋସିଆଲ୍ ମିଡିଆ, ଅନଲାଇନ୍ ଗେମିଂ ଓ ଜେନେରେଟିଭ୍ AIର ମୋହରେ ଫସିଯାଉଛନ୍ତି କିଶୋରକିଶୋରୀ। ବାହାରେ ଖେଳିବାକୁ ଭଲ ଲାଗୁନି, ବହି ପଢିବାକୁ ମନ ହେଉନି। ପରିବାର ସହ ସମୟ ବିତେଇବାକୁ ଇଚ୍ଛା ବି ହେଉଛି। ଘଣ୍ଟା ଘଣ୍ଟା ଫୋନ୍ ଧରି ସ୍କ୍ରିନ୍ ରେ ବ୍ୟସ୍ତ ରହୁଛନ୍ତି ପିଲାମାନେ। ଯାହା ସିଧା ଓ ସାଂଘାତିକ ପ୍ରଭାବ ପଡ଼ୁଛି ମାନସିକ ସ୍ୱାସ୍ଥ୍ୟ ଓ ବ୍ୟବହାର ଉପରେ। ଖୋଦ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ତଥ୍ୟକୁ ନେଇ ବଢିଯାଛି ଚିନ୍ତା ।
WHOର ରିପୋର୍ଟ କହୁଛି, ୭୪ ପ୍ରତିଶତ ଛାତ୍ରଛାତ୍ରୀ ପ୍ରତିଦିନ ପଢ଼ା ବ୍ୟତୀତ ଦୁଇ ଘଣ୍ଟାରୁ ଅଧିକ ସମୟ ସ୍କ୍ରିନ୍ ସାମ୍ନାରେ କାଟୁଛନ୍ତି। ସେଥିମଧ୍ୟରୁ ୨୧ ପ୍ରତିଶତ ପିଲା ଚାରି ଘଣ୍ଟାରୁ ଅଧିକ ସମୟ ମୋବାଇଲ୍, ଗେମିଂ ଓ ସୋସିଆଲ୍ ମିଡିଆରେ ବିତାଉଛନ୍ତି। କେବଳ ସେତିକି ନୁହେଁ, ୬୯ ପ୍ରତିଶତ ଶିକ୍ଷକଙ୍କ ମତରେ ପିଲାଙ୍କ ଧ୍ୟାନକେନ୍ଦ୍ରୀକରଣ କ୍ଷମତା କମିଯାଉଛି। ଆଉ ୬୬ ପ୍ରତିଶତ କହୁଛନ୍ତି, ପିଲାଙ୍କ ବାହାରେ ଖେଳିବା ଅଭ୍ୟାସ ପ୍ରାୟ ହଜିଯାଇଛି। ୨୦୨୨ରେ ୪୪ଟି ଦେଶର ପ୍ରାୟ ୨ ଲକ୍ଷ ୮୦ ହଜାର ପିଲାଙ୍କୁ ନେଇ ହୋଇଥିବା ଏହି ଅଧ୍ୟୟନ ଚିନ୍ତା ବଢ଼ାଇଛି।
୪୪ଟି ଦେଶରେ ଅଢେଇ ଲକ୍ଷରୁ ଅଧିକ ପିଲାଙ୍କୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ, ୨୦୧୮ରେ ୭ ପ୍ରତିଶତ କିଶୋର ସୋସିଆଲ୍ ମିଡିଆର ବ୍ୟବହାର କରୁଥିଲେ। ୨୦୨୨ରେ ଏହା ବଢ଼ି ୧୧ ପ୍ରତିଶତରେ ପହଞ୍ଚିଛି। ସୋସିଆଲ ମିଡିଆ ବ୍ୟବହାରରେ ପୁଅଙ୍କଠୁ ଆଗରେ ଝିଅ। ଝିଅମାନଙ୍କ କ୍ଷେତ୍ରରେ ଏହା ୧୩ ପ୍ରତିଶତ ଥିବାବେଳେ ପୁଅମାନଙ୍କ ସଂଖ୍ୟା ୯ ପ୍ରତିଶତ। ତେବେ ଅତ୍ୟଧିକ ସ୍କ୍ରିନ୍ ଟାଇମ୍ ଯୋଗୁଁ ପିଲାଙ୍କ ମାନସିକ ସ୍ବାସ୍ଥ୍ୟ ଦିନକୁ ଦିନ ସଂଗୀନ ହୋଇପଡ଼ୁଛି। ଅବସାଦ, ଚିନ୍ତା, ଏକାକୀପଣ, ନିଦ ସମସ୍ୟା ଓ ପାଠପଢ଼ାରେ ଅବନତି ଦେଖାଦେଉଛି। ସାମାଜିକ ସମ୍ପର୍କ ଦୁର୍ବଳ ହେଉଥିବାବେଳେ AIର ଅପବ୍ୟବହାର ଯୋଗୁଁ ଅପରାଧ ପ୍ରବୃତ୍ତି ବଢ଼ିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି। ପିଲାଙ୍କ ସ୍କ୍ରିନ୍ ନିଶାକୁ ନେଇ ଅଭିଭାବକ ମଧ୍ୟ ଚିନ୍ତାରେ।
ଆଧୁନିକ ଜୀବନରେ ଡିଜିଟାଲ୍ ଦୁନିଆରୁ ଦୂରେଇ ରହିବା ସମ୍ଭବ ନୁହେଁ। କିନ୍ତୁ ତା'ର ସନ୍ତୁଳିତ ବ୍ୟବହାର ହିଁ ଉଭୟ ମାନସିକ ଓ ଶାରୀରିକ ହିତରେ। ନଚେତ୍ ସ୍ମାର୍ଟଫୋନର ସ୍ମାର୍ଟନେସ୍ ଭିତରେ ହଜିଯାଇପାରେ ପିଲାଙ୍କ ଶୈଶବ, ସ୍ୱାସ୍ଥ୍ୟ ଓ ଭବିଷ୍ୟତ। ପିଲାଙ୍କ ସ୍କ୍ରିନ୍ ଟାଇମ୍ ଉପରେ ନଜର ରଖିବା ସହ ବାହାରେ ଖେଳିବା, ବହି ପଢ଼ିବା ଓ ପରିବାର ସହ ସମୟ ବିତାଇବାକୁ ପ୍ରୋତ୍ସାହନ ଦେବାକୁ ଅଭିଭାବକ ଗୁରୁତର ସହ ନେବାର ଆବଶ୍ୟକତା ରହିଥିବା ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।