Low Water Levels Raise Energy Concerns: ଓଡ଼ିଶା ପାଇଁ ମାଡ଼ି ଆସୁଛି କି ଶକ୍ତି ସଙ୍କଟ ? ମୌସୁମୀ ୠତୁରେ ବି ଖାଲି ପଡ଼ିଛି ଜଳଭଣ୍ଡାର
ଜଳଭଣ୍ଡାରରେ ଭୟଙ୍କର ଜଳ ଅଭାବ। ରାଜ୍ୟ ପାଇଁ ଆଣିବ କି ବଡ଼ ଶକ୍ତି ସଙ୍କଟ ? ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ବଳକା ରାଜ୍ୟ ଥିବା ଓଡ଼ିଶା ଆଗକୁ ଭୋଗିବ କି ବଡ଼ ସମସ୍ୟା ? ବଢୁଛି ଆଶଙ୍କା, ଚିନ୍ତା ବଢ଼ାଉଛି ଜଳଭଣ୍ଡାରର ଜଳ ସ୍ଥିତି। କାରଣ ଗୋଟିଏ ପରେ ଗୋଟିଏ ଜଳଭଣ୍ଡାର ବିଦ୍ୟୁତ ଉତ୍ପାଦନ ଶୂନ୍ୟ ହୋଇଯାଉଛି। ଏଇ ଯେମିତି ମାଲକାନଗିରି ଜିଲ୍ଲାର ବାଲିମେଳା ଡ୍ୟାମ୍। ଯେଉଁଠି ଦିନକୁ ଉତ୍ପାଦନ ହେଉଥିଲା ୩୭୦ ମେଗାୱାଟ ବିଜୁଳି, ସେଇଠି ଗତ ଶନିବାର ଠାରୁ ଉତ୍ପାଦନ ଶୂନ। କାରଣ ଏବେ ଖରିଫ୍ ରୁତୁରେ ଚାଷୀଙ୍କ ଜମିକୁ ପାଣି ଛଡ଼ାଯାଉଛି। ଫଳରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନକୁ ଜଳ ଯୋଗାଣ ବନ୍ଦ ରହିଥିବାରୁ ଦିନକୁ ୫୦ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ ଏଯାଏଁ ସ୍ୱାଭାବିକଠାରୁ କମ୍ ବର୍ଷା ହେବାରୁ ଏବଂ ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପରୁ ଗତ ଦେଢ଼ ମାସ ହେଲା ଯାନ୍ତ୍ରିକ ସମସ୍ୟା ଯୋଗୁଁ ସେଠାରେ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଥିବେଳେ ବାଲିମେଳା ଡ୍ୟାମ୍ ବି ଶୁଖିଲା ପଡ଼ିଛି।
କୋରାପୁଟ ଜିଲ୍ଲାର ଅପର୍ କୋଲାବ ଜଳଭଣ୍ଡାର। ବର୍ଷା ଯୋଗୁଁ ଧୀରେ ଧୀରେ ଜଳସ୍ତର ବଢ଼ୁଛି ସତ, କିନ୍ତୁ ଅଦ୍ୟାବଧି କୌଣସି ଗେଟ୍ ଖୋଲାଯାଇନାହିଁ କି ପାଣି ଛଡ଼ାଯାଇନାହିଁ। ଗତବର୍ଷ ଆଜିର ଦିନରେ ଜଳଭଣ୍ଡାରର ଜଳସ୍ତର କ୍ଷମତା ୮୫୧ ଦଶମିକ ୨୭ ମିଟର ଓ ଲାଇଭ୍ ଷ୍ଟୋରେଜ୍ ୩୭୧ ଦଶମିକ ୭୭ ମିଲିୟନ କ୍ୟୁବିକ ମିଟର ଥିଲା। ହେଲେ ବର୍ତ୍ତମାନ ୨୦୮ ଦଶମିକ ୮୧ ମିଲିୟନ କ୍ୟୁବିକ ମିଟର, ଅର୍ଥାତ ୨୨.୩୩ % ଲାଇଭ୍ ଷ୍ଟୋରେଜ୍ ରହିଛି। ଏହାକୁ ତୁଳନା କଲେ ପୂର୍ବବର୍ଷ ଅପେକ୍ଷା ଏବର୍ଷ ଜଳଭଣ୍ଡାରରେ କମ୍ ରହିଛି ଜଳ ସଞ୍ଚୟ। ସେହିପରି ୬୪୨ ମିଟର କ୍ଷମତା ବିଶିଷ୍ଟ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗତବର୍ଷ ଆଜିର ଦିନରେ ୬୩୩ ଦଶମିକ ୭୦ ମିଟର ଜଳସ୍ତର ରହିଥିଲା। ଏବେ କିନ୍ତୁ ରହିଛି ମାତ୍ର ୬୩୦ ଦଶମିକ ୧୦ ମିଟର। ଅର୍ଥାତ ୩ ମିଟରରୁ ଅଧିକା ଜଳ କମ୍ ରହିଛି। ଆଗକୁ ଜଳସ୍ତର ଆଉ ୫ ମିଟର ଯଦି କମିଯାଏ, ତେବେ ବିଦ୍ୟୁତ ଉତ୍ପାଦନରେ ବାଧା ଉପୁଜିବା ସହ ଜଳସେଚନରେ ବ୍ୟାଘାତ ହେବାର ଆଶଙ୍କା କରାଯାଉଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସମ୍ବଲପୁର ବୁର୍ଲାରେ ବିଦ୍ୟୁତ ଉତ୍ପାଦନ କ୍ଷମତା ୨୭୯ ମେଗାୱାଟ୍ ରହିଥିବାବେଳେ ଏବେ ଏଇଠି ଉତ୍ପାଦନ ହେଉଛି ମାତ୍ର ୧୯୯ ମେଗାୱାଟ୍ ବିଦ୍ୟୁତ। କାରଣ ଏଠି ବି ଖସିଛି ଜଳସ୍ତର। ସରକାରୀ ତଥ୍ୟ କହୁଛି, ଓଡ଼ିଶାରେ ଜଳ ବିଦ୍ୟୁତ ଉତ୍ପାଦନ କ୍ଷମତା ରହିଛି ୨୦୯୯ ମେଗାୱାଟ୍। କିନ୍ତୁ ଚାରିଭାଗରୁ ଭାଗେ ତଥା ୫୨୮ ମେଗାୱାଟ୍ ଜଳବିଦ୍ୟୁତ ଉତ୍ପାଦନ ହେଉଛି। ମୌସୁମୀ ରୁତୁରେ ବି ଦୈନିକ ହାରାହାରି ୫ ହଜାରରୁ ୬ ହଜାର ମେଗାୱାଟ୍ ବିଜୁଳିର ଆବଶ୍ୟକତା ଭିତରେ ରାଜ୍ୟ ବାହାରୁ କିଣି ମେଣ୍ଟାଯାଉଛି। ବିଦ୍ୟୁତ ବଳକା ରାଜ୍ୟ ଭାବେ ପରିଚିତ ଓଡ଼ିଶାରେ ଏବେ ବିଜୁଳି ଉତ୍ପାଦନ ଏବଂ ଜଳଭଣ୍ଡାର ଗୁଡ଼ିକରେ ଜଳସ୍ତର ସ୍ଥିତି ଚିନ୍ତା ବଢ଼ାଉଛି। ଏଭଳି ସ୍ଥିତିରେ କେମିତି ହେବ ଏହାର ସୁପରିଚାଳନା, ଆଜି କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ରାଜସ୍ବ ଓ ବିପର୍ଯ୍ୟାୟ ମନ୍ତ୍ରୀ ସୁରେଶ ପୂଜାରୀ, ଜଳ ସମ୍ପଦ ଏବଂ ଶକ୍ତି ବିଭାଗ ସଚିବଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।