Local Viral Video: ‘ମୁଁ ଦେଶ ସମ୍ଭାଳିବି ନା ପରିବାର?’ ଯବାନଙ୍କ କୋହଭରା ଭିଡିଓ ଭାଇରାଲ୍
"ନୂଆଦିଲ୍ଲୀ: ସୀମାରେ ଶତ୍ରୁଙ୍କ ମୁକାବିଲା କରୁଛନ୍ତି ।
ହାତରେ ବନ୍ଧୁକ, ଛାତିରେ ତ୍ରିରଙ୍ଗା ପ୍ରତି ଅଗାଧ ଭଲପାଇବା।
କିନ୍ତୁ ଦେଶକୁ ସୁରକ୍ଷା ଦେଉଥିବା ଏହି ଯବାନ ଆଜି ନିଜ ପରିବାରର ସୁରକ୍ଷା ପାଇଁ ଅସହାୟ।
ଜମ୍ମୁ-କଶ୍ମୀର LOCରେ ମୁତୟନ ଜଣେ ସେନା ଯବାନଙ୍କ ଆଖିର ଲୁହ ଓ କୋହଭରା ଆବେଦନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। “ମୁଁ ଦେଶ ସେବା କରିବି ନା ମୋ ପରିବାରକୁ ବଞ୍ଚାଇବି?” ଏହି ପ୍ରଶ୍ନ ସହ ତାଙ୍କର ଭିଡିଓ ଅନେକଙ୍କ ହୃଦୟକୁ ଛୁଇଁଯାଇଛି।
ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାର ବାସିନ୍ଦା ବୀର ବାହାଦୂର ସିଂହ।
ଦେଶର ସୁରକ୍ଷା ପାଇଁ ସେ ବର୍ତ୍ତମାନ LOCରେ ମୁତୟନ ଅଛନ୍ତି।
ଦିନରାତି ଦେଶ ସୀମାକୁ ଜଗୁଥିବା ଏହି ଯବାନ ହଠାତ୍ ଏକ ଭିଡିଓ ଜାରି କରି ନିଜ ମନର ବେଦନା ବଖାଣିଛନ୍ତି।Advertisment ଭିଡିଓରେ ବୀର ବାହାଦୂର କହିଛନ୍ତି, ତାଙ୍କ ବାପା-ମାଆ, ସାନ ଭଉଣୀ ଓ ଗର୍ଭବତୀ ଭଉଣୀଙ୍କୁ ତାଙ୍କର ଦାଦା ଏବଂ କିଛି ପ୍ରଭାବଶାଳୀ ଲୋକ ହଇରାଣ କରୁଛନ୍ତି।
ମାଡ଼ ମରାଯାଉଛି, ଧମକ ଦିଆଯାଉଛି।
ଆଉ ଏସବୁ ଶୁଣି ସୀମାରେ ଥିବା ଜଣେ ପୁଅ ଓ ଭାଇ ଭାବେ ସେ ଭାଙ୍ଗିପଡ଼ିଛନ୍ତି।
ତାଙ୍କ କଥାରେ ଥିଲା ଅସହାୟତା, କ୍ଷୋଭ ଓ ଯନ୍ତ୍ରଣା।
ସେ କହିଛନ୍ତି, “ମୁଁ ଏଠାରେ ଦେଶ ସେବା କରିବି ନା ସବୁବେଳେ ଘର କଥା ଭାବି ଚିନ୍ତିତ ରହିବି?
ଯଦି ମୋ ପରିବାରକୁ ନ୍ୟାୟ ନମିଳେ, ତେବେ ମୁଁ ସେମାନଙ୍କୁ ଗୁଳି କରିଦେବି କିମ୍ବା ନିଜକୁ ଗୁଳି କରିଦେବି।” ଏହି କଥା ଶୁଣିବା ପରେ ଅନେକେ ଭାବପ୍ରବଣ ହୋଇପଡ଼ିଛନ୍ତି ।
ତେବେ ଏହି ବିବାଦର ମୂଳ କାରଣ ହେଉଛି ପୈତୃକ ସମ୍ପତ୍ତି ଓ ଜମି ବଣ୍ଟନ।
ପୋଲିସ ଅନୁସାରେ, ବୀର ବାହାଦୂରଙ୍କ ବାପା ରାଜା ସିଂହ ଏବଂ ତାଙ୍କ ଭାଇମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସମ୍ପତ୍ତିକୁ ନେଇ ବିବାଦ ଚାଲିଛି ।
ଅଧିକ ପଢନ୍ତୁ: America: ଆମେରିକା ଛାତିରେ ବିପଦ: ୩୩ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଲଟକିଛି ନିଷ୍କ୍ରିୟ ଜ୍ୱାଳାମୁଖୀ ମାଉଣ୍ଟ ରେନିୟରର ସଙ୍କଟ ପଞ୍ଚାୟତ ସାମ୍ନାରେ ହୋଇଥିବା ଏକ ବୁଝାମଣା ଅନୁଯାୟୀ ଜମି ବିକ୍ରି ନେଇ ନିଷ୍ପତ୍ତି ହୋଇଥିଲା।
କିଛି ଟଙ୍କା ମଧ୍ୟ ପ୍ରଦାନ କରାଯାଇଥିଲା।
କିନ୍ତୁ ପରବର୍ତ୍ତୀ ସମୟରେ ବିବାଦ ଆହୁରି ବଢ଼ିଥିଲା ।
ଘର ଭାଙ୍ଗି ନୂଆ ନିର୍ମାଣ କାମ ଆରମ୍ଭ ହେବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା।
୨୦୨୬ ଫେବୃଆରୀରେ ଉଭୟଙ୍କ ମ୍ଧ୍ୟରେ ମାରପିଟ ଘଟଣା ମଧ୍ୟ ଘଟିଥିଲା ।
ଏହାକୁ ନେଇ ପୋଲିସ ମାମଲା ରୁଜୁ କରିଥିଲା ଏବଂ ମାମଲାଟି ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି ।
ଯେଉଁ ସମୟରେ ଜଣେ ଯବାନଙ୍କ ମନ ସୀମାର ସୁରକ୍ଷାରେ ଏକାଗ୍ର ରହିବା କଥା, ସେହି ସମୟରେ ବୀର ବାହାଦୂରଙ୍କ ମନ ଘରର ଅଶାନ୍ତିରେ ଭାରାକ୍ରାନ୍ତ।
ଦେଶ ପାଇଁ ଜୀବନ ବାଜି ଲଗାଇଥିବା ଜଣେ ସୈନିକ ଯେତେବେଳେ ନିଜ ପରିବାରର ସୁରକ୍ଷା ପାଇଁ ଚିତ୍କାର କରନ୍ତି, ସେତେବେଳେ ତାହା କେବଳ ଗୋଟିଏ ପରିବାରର କାହାଣୀ ରହିନଥାଏ, ବରଂ ସମାଜ ପାଇଁ ଏକ ବଡ଼ ପ୍ରଶ୍ନ ପାଲଟିଯାଏ ।
ସୀମାରେ ଦେଶକୁ ଜଗୁଥିବା ଜଣେ ଯବାନ ଆଜି ନିଜ ଘରର ଶାନ୍ତି ପାଇଁ ନ୍ୟାୟ ମାଗୁଛନ୍ତି।
ତାଙ୍କ ଆବେଦନ କେବଳ ପୋଲିସ କିମ୍ବା ପ୍ରଶାସନ ପାଇଁ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ ସନ୍ଦେଶ ।
ଦେଶର ରକ୍ଷକଙ୍କ ପରିବାର ଯଦି ଅସୁରକ୍ଷିତ ରହେ, ତେବେ ସେହି ଯନ୍ତ୍ରଣା କେବଳ ଗୋଟିଏ ପରିବାରର ନୁହେଁ, ସମଗ୍ର ଦେଶର।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
