Literature: ଗଳ୍ପ ଝଗଡ଼ା କରୁଥିବା ଲୋକ: ପ୍ରଦୀପ ନାୟକଙ୍କ କଲମରୁ ନିଃସୃତ...
"ଝଗଡ଼ା କରୁଥିବା ଲୋକ ପ୍ରଦୀପ ନାୟକ ଶୋକ ସାର୍ ଦେଖାହେଲେ।
ବଜାର ଗହଳି ଭିତରେ ସେ ରାସ୍ତା ପାର କରିବାକୁ କେତେ ସମୟରୁ ନିଜ ସାଇକେଲ୍ ଖଣ୍ଡକ ଧରି ଛିଡ଼ା ହୋଇଛନ୍ତି।
ଦେଖିଲେ ଲାଗୁଛି ନିଜ ପାଦ ଉପରେ କମ୍ ସାଇକେଲ୍ ଉପରେ ହିଁ ଭରସା କରି ଛିଡ଼ା ହୋଇଛନ୍ତି।
Advertisment ମୁଁ ନମସ୍କାର କଲି।
ପାଟିରେ ନୁହେଁ ସେ ଆଖିରେ ହିଁ ପ୍ରତିନମସ୍କାର ଦେବା ପରି ଲାଗିଲା।
ଏଇ କେତେଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ପରପାରିକୁ ଚାଲିଯିବାର ଖବର ଶୁଣିଥିଲି।
ପୁଅର ବିଦେଶୀ ପଇସା ଆଉ ସାର୍ଙ୍କ ଚାକିରି ଜୀବନର ସଞ୍ଚିତ ଅର୍ଥରେ ସୁଦୃଶ୍ୟ ଆଉ ବିଶାଳ ଘରଟିଏ କରିଥିଲେ।
ପୁଅବୋହୂ ବିଦେଶରେ ରହୁଥିବାରୁ ଘରେ ରହୁଥିଲେ ବୁଢ଼ାବୁଢ଼ୀ ଦି"ଜଣ।
ଆହୁରି ମଧ୍ୟ ଶୁଣିଥିଲି ତାଙ୍କ ସ୍ତ୍ରୀ ମରିବା ଦିନ କୁଆଡ଼େ ପାଖରେ କେହି ନ ଥିଲେ।
ଏମିତିକି ଗୋଟିଏ ବିଛଣାରେ ଶୋଇଥିବା ସାର୍ ମଧ୍ୟ ଦିନ ଆଠଟା ଯାଏ ଜାଣିପାରିଲେ ନାହିଁ ସ୍ତ୍ରୀ କେତେବେଳେ ଆଖିବୁଜିଲା।
ସକାଳଠୁ ସଞ୍ଜଯାଏ ପାଖରେ କେହି ନ ଥିଲେ, ପଡ଼ି ରହିଥିଲା ସ୍ତ୍ରୀର ଶବ।
ନିଜ ଧନ୍ଦାରେ ବ୍ୟସ୍ତ ଆଖପାଖ ଲୋକ କେହି ସାହାଯ୍ୟ କରିବାକୁ ଆସିଲେ ନାହିଁ କିନ୍ତୁ ସେଇ ଘଟଣାକୁ ନେଇ ଚର୍ଚ୍ଚାରେ ମାତିଥିଲେ।
ତାଙ୍କ ବଡ଼ଝିଅ ବିବାହିତ, ସେ ମଧ୍ୟ ଦୂରରେ।
ପୁଅ କେଉଁ ଗୋଟେ ବିଦେଶୀ କମ୍ପାନିରେ ଚାକିରି କରେ।
ସେ ତା"ର ପିଲାପିଲି ନେଇ ସାଉଦି ଆରବରେ।
ମୁଁ ଦେଖୁଥିଲି ଦିନ କେଇଟାରେ ସାର୍ଙ୍କ ସ୍ବାସ୍ଥ୍ୟ କେମିତି ବିଗିଡ଼ିଯାଇଛି।
ବିଶ୍ୱାସ ବି କରି ହେଉନି।
ସେଥିରେ ସେ ନିଜେ ଆସିଛନ୍ତି ବଜାରକୁ ସାଇକେଲ୍ ଧରି।
କହିଲି - ସାର୍ ମୁଁ ଆପଣଙ୍କ ସ୍ତ୍ରୀଙ୍କ ଅକାଳ ବିୟୋଗ ଖବର ଶୁଣିଥିଲି।
ଭାରି ଦୁଃଖ ଲାଗିଲା।
ଏ କଥା କହିବା ବେଳେ ମୋ ସ୍ୱର ଆପେଆପେ ଭାରୀ ହୋଇଗଲା।
ଆହୁରି ପଢ଼ନ୍ତୁ- Mohanlal : ମୋହନଲାଲଙ୍କ ପାଖରେ ୧୦ ହାତୀଦାନ୍ତ ଏବଂ ୧୩ ହାତୀଦାନ୍ତ ମୂର୍ତ୍ତି: ଡିଏନଏ ପରୀକ୍ଷାରୁ ପ୍ରକାଶ ପାଇବ ସତ୍ୟତା ଅଶୋକ ସାର୍ କହିଲେ- ଶୁଣିଛ ତା"ହେଲେ।
କ"ଣ କରିବି, ସେ ଏମିତି ଚାଲିଯିବ ବୋଲି ଜାଣି ନଥିଲି।ମୁଁ ତାଙ୍କ ମୁହଁକୁ ଚାହିଁଥିଲି।
ସେ କିନ୍ତୁ ମୋ ଆଡ଼କୁ ନ ଚାହିଁ କଥା ହେଉଥିଲେ।
ତାଙ୍କ ଉଦାସ ମୁହଁ ଏମିତିକି ସମୁଦାୟ ଶରୀରରେ ସେ ଥିଲେ ଅନ୍ୟମନସ୍କ।
ଲାଗୁଥିଲା ସେ ଏଇଠି ଠିଆହୋଇ କଥା ହେଇଛନ୍ତି ସିନା ଆଉ କେଉଁ ଗୋଟେ ଉଦାସ ଭାବନାର ଡେଣାରେ ଉଡ଼ି ବୁଲୁଛନ୍ତି।
ନା ସେ ନିଜେ ଓହ୍ଲାଇ ପାରୁଛନ୍ତି, ନା ତାଙ୍କ ଚେତନା।
ବୟସଜନିତ ପ୍ରଭାବ ଦୃଷ୍ଟିରୁ ଦେଖିଲେ ସାର୍ଙ୍କୁ ଅକାଳ ବାର୍ଦ୍ଧକ୍ୟ ଯେମିତି ଘୋଟି ଯାଇଛି।
ପତ୍ରଝଡ଼ା ଗଛ ପରି ଦିଶୁଛନ୍ତି।
ସେ ଜଣେ ଉତ୍ତମ ଶିକ୍ଷକ, ପରେ ପ୍ରଧାନ ଶିକ୍ଷକ ହୋଇଥିଲେ।
ଇଂରାଜୀ ଭାଷାରେ ଖୁବ୍ ଦକ୍ଷତା ଥିବାରୁ ଶ୍ରେଣୀରେ ପିଲା ଓ ବାହାରେ ଅଭିଭାବକଙ୍କ ଠାରୁ ଖୁବ୍ ସମ୍ମାନ, ଆଦର ପାଉଥିଲେ।
ଏସବୁ ପରେ ସେ ଜଣେ ବହୁଭାଷୀ ମଣିଷ ଥିଲେ।
ଯୁକ୍ତିପ୍ରବଣ ବି।
ବିଶ୍ୱ ପଟଳରେ ଘଟୁଥିବା ସମସ୍ତ ଘଟଣା ଉପରେ ସେ ନିଜ ମତାମତ ରଖିପାରୁଥିଲେ।
ଚାକିରିରୁ ଅବସର ପରେ ପ୍ରାୟ ଘରେ ରହୁଥିଲେ।
କିଛି ଆବଶ୍ୟକ ପଡ଼ିଲେ ବେଳେବେଳେ ବଜାର ଆସୁଥିଲେ।
ଏକାନ୍ତ ସମୟ, ଘରେ ବସି ବସି ଖବରକାଗଜକୁ ଆମୂଳଚୂଳ ପଢ଼ିବା, ଟିଭି ଦେଖିବାରେ ବିତୁଥିଲା।
ଅନେକ ସମୟରେ ସେ ଆଞ୍ଚଳିକ ଖବରକାଗଜ, ଟିଭି ଆଦି ଦେଖୁଥିବା ମଣିଷମାନଙ୍କଠାରୁ ଟିକେ ଅଧିକ ଜାଣୁଥିଲେ, ଯାହାର କାରଣ ଥିଲା ତାଙ୍କର ଦୈନିକ ଇଂରାଜୀ ଖବରକାଗଜ ଓ ଇଂରାଜୀ ଚ୍ୟାନେଲ୍ ଦେଖିବା ଅଭ୍ୟାସ।
ଆଜି କିନ୍ତୁ ସେସବୁର ଲେଶମାତ୍ର ସୂଚନା ତାଙ୍କଠାରେ ନଥିଲା।
ଏମିତି କହିଲେ ହେବ ଯେ ସେ ନିଜେ ସଚେତନ ନୁହଁନ୍ତି ଯେ ଏକଦା ପ୍ରଧାନ ଶିକ୍ଷକ ଥିଲେ, ଜଣେ ଭଲ ବକ୍ତା, ଜଣେ ବୁଦ୍ଧିଜୀବୀ ଥିଲେ।
ସମାଜରେ ତାଙ୍କର କିଛି ଖ୍ୟାତି ଥିଲା।
ମୋର କାହିଁକି ସନ୍ଦେହ ହେଲା ସାର୍ ମୋତେ ଚିହ୍ନି ପାରୁଛନ୍ତି କି ନାହିଁ!
ସାର୍ଙ୍କ ସହିତ ମୋର ଶିକ୍ଷକ ଛାତ୍ରର ସମ୍ପର୍କ ନଥିଲା ଯଦିଓ ତାଙ୍କ ସହ ଅନେକ ସମୟରେ ଦେଖାହୁଏ, ଅନେକ ବିଷୟରେ ଆଲୋଚନା ହୁଏ।
ପଚାରିଲି- ସାର୍ ମୋତେ ଚିହ୍ନି ପାରୁଛନ୍ତି?
ଟିକେ ରହିଗଲେ ସାର୍।
ବୋଧେ ମୁଁ କିଏ ବୋଲି ମନେପକାଇବା ପାଇଁ ଚେଷ୍ଟା କରୁଥିଲେ।
ଥରେ ମୋ ମୁହଁକୁ ବି ଚାହିଁଲେ, ପୁଣି ନିଜ ସ୍ମୃତିର ଗଭୀରତା ଭିତରେ ହଜିଗଲେ।
ମୁଁ ତାଙ୍କଠୁ ଉତ୍ତର ଆଶା ନକରି କହିଲି- ସାର୍ ମୁଁ ପ୍ରଦୀପ ନାୟକ।ହଁ ଚିହ୍ନି ପାରିଲି ବୋଲି କହିବାକୁ ତାଙ୍କୁ ଆଉ କିଛି ସମୟ ଲାଗିଗଲା।
ସେସବୁ ଉପରେ ଗୁରୁତ୍ବ ନଦେଇ ମୁଁ ପଚାରିଲି- ସାର୍ ବଜାର କ"ଣ ପାଇଁ ଆସିଛନ୍ତି?
ସେ କହିଲେ- କିଛି ପରିବା ନେବି।
ଆହୁରି ପଢ଼ନ୍ତୁ- Kalyansinghpur mob violence କଲ୍ୟାଣସିଂହପୁର ଭିଡ଼ ହିଂସା ମାମଲା: ବିଷମକଟକ ଉପକାରାଗାରରେ ଟିଆଇ ପରେଡ୍ ମୁଁ ତାଙ୍କ ପରିବା କିଣା କଥା ସେଇଠି ରଖି ପଚାରିଲି- ସାର୍ ସ୍ତ୍ରୀ ଚାଲିଯିବା ଆଜିକି ବୋଧେ ଆଠଦିନ ହେଲା?
ପିଲାମାନେ କ"ଣ ଆସିଲେଣି ଘରକୁ?ଭାବହୀନ ସ୍ୱରରେ କହିଲେ- ହଁ, ଆସିଲେଣି।
ପୁଅ ଝିଅ, ନାତି ନାତୁଣୀ, ସମସ୍ତେ।ମୁଁ କହିଲି- ଯାହା ଘଟିବାର ଥିଲା ଘଟିଗଲା।
ସାର୍ ଆଉ ଦୁଃଖ କଲେ କ"ଣ ହେବ।
ଏବେ ତାଙ୍କ କ୍ରିୟାକର୍ମ, ଭୋଜି କେମିତି ଠିକଠାକ୍ ହେବ...ଠିକ୍ଠାକ୍।
ପିଲାମାନେ ଆସିଛନ୍ତି ସେମାନେ ଯାହା ଚାହିବେ, କରିବେ।
ସାର୍ ଆପଣ ଏମିତି ଭାଙ୍ଗିପଡ଼ିଲେ ଚଳିବ!
ପିଲାପିଲି, ନାତି ନାତୁଣୀଙ୍କୁ ଦେଖି ଆପଣଙ୍କୁ ଏବେ ସ୍ତ୍ରୀଙ୍କ କଥା ଭୁଲିଯିବାକୁ ପଡ଼ିବ।
ସାର୍ କେମିତି ଗୋଟେ ଅବସୋସଭରା ସ୍ୱରରେ କହିଲେ- ସେ ଗୋଟିଏ ମାତ୍ର ମଣିଷ ଯିଏ ଚାଲିଯାଇ ମୋତେ ନିଃସ୍ବ କରିଦେଲେ।
ଏବେ ତ ମଣିଷରେ ଘର ଭର୍ତ୍ତି।
କିଛି ନହେଲେ ଘରେ ଝଗଡ଼ା କଲାପରି ଲୋକଟିଏ ତ ଲୋଡ଼ା ନା, ସେମିତି ମଣିଷଟି ମିଳିବ କି?
ଏତିକି କହିଦେଇ ଉତ୍ତରକୁ ଅପେକ୍ଷା ନକରି ସାଇକେଲ୍ ଗଡ଼ାଇଲେ।
ରାସ୍ତାକଡ଼ରେ ଗୋଟେ ଉଠା ପରିବାଦୋକାନୀ ଆଡ଼କୁ ଯାଉଥିବା ଦେଖି ମୁଁ ତାଙ୍କୁ ବାରଣ କରି କହିଲି- ଏମାନଙ୍କ ପାଖରେ ସଜ ପରିବା ମିଳିବ ନାହିଁ ସାର୍?
ଟିକେ ଆଗକୁ ଯାଆନ୍ତୁ ସେଠି ସବୁଜ, ତଟକା ପରିବା ମିଳିବ।
ଆଜି ହାଟବାରି।
ସାର୍ ପଛକୁ ନଚାହିଁ ସେଇ ପରିବା ଦୋକାନ ଆଡ଼କୁ ହିଁ ଯିବାକୁ ବାହାରିଲେ।
ରାସ୍ତାକୁ ଦେଖିଚାହିଁ କହିକହି ଯାଉଥିଲେ- ନା"ରେ ବାବୁ, ଜୀବନରେ ତ ଆଉ ରଙ୍ଗ ନାହିଁ, ପରିବାରେ ଆଉ କି ସବୁଜ ଖୋଜିବି?
ଘରକୁ ଫେରିବା ଯାଏ ସାର୍ଙ୍କ ସେଇ ପଦେକଥା ମୋ ହୃଦୟକୁ ବାରମ୍ୱାର ଆଘାତ ଦେଉଥିଲା - ଘରେ ଝଗଡ଼ା କରିବାକୁ ତା" ହେଲେ ଲୋକଟିଏ ଲୋଡ଼ାହୁଏ!
ମୋ: ୮୯୧୭୩୭୦୨୨୭ ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।