Lion attacks 12-year-old boy: ୫୦ ସିଢ଼ି ପରେ ଛକି ଥିଲା ମୃତ୍ୟୁ! ସିଂହ ଆକ୍ରମଣରେ ୧୨ ବର୍ଷୀୟ ନାବାଳକର ମୃତ୍ୟୁ
ଗୁଜରାଟର ପ୍ରସିଦ୍ଧ ତୀର୍ଥସ୍ଥଳ ଗିରନାର ପାହାଡ଼ରେ ଶନିବାର ସକାଳେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାହାଡ଼ରେ ସିଢ଼ି ଚଢ଼ୁଥିବା ବେଳେ ସିଂହ ଆକ୍ରମଣରେ ଜଣେ ୧୨ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ଗତ ୪୬ ଦିନ ମଧ୍ୟରେ ଗୁଜରାଟରେ ମଣିଷଙ୍କ ଉପରେ ସିଂହ ଆକ୍ରମଣର ଏହା ନବମ ଘଟଣା ବୋଲି ଅଧିକାରୀମାନେ କହିଛନ୍ତି।
ମୃତ ବାଳକଙ୍କ ନାମ ମୟୂର ସିଂହ। ସେ ଗୁଜରାଟର ଖେଡା ଜିଲ୍ଲାର ମୋଦାଜ ଗାଁର ବାସିନ୍ଦା। ପରିବାର ସହ ତୀର୍ଥଯାତ୍ରାରେ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା।
ଅଧିକାରୀଙ୍କ ସୂଚନା ଅନୁସାରେ, ପରିବାର ଲୋକମାନେ ତୀର୍ଥସ୍ଥଳ ନିକଟରେ ରାତି ବିତାଇବା ପରେ ସକାଳ ପ୍ରାୟ ୫ଟା ୪୫ ମିନିଟରେ ପାହାଡ଼ ଚଢ଼ିବା ଆରମ୍ଭ କରିଥିଲେ। ପ୍ରାୟ ୫୦ଟି ସିଢ଼ି ଅତିକ୍ରମ କରିବା ପରେ ନିକଟସ୍ଥ ଜଙ୍ଗଲରୁ ହଠାତ୍ ଏକ ସିଂହ ବାହାରି ଆସି ମୟୁରଙ୍କ ଉପରେ ଆକ୍ରମଣ କରିଥିଲା।
ସେତେବେଳେ ମୟୂର ତାଙ୍କ ଦାଦାଙ୍କ ହାତ ଧରି ଚାଲୁଥିଲେ। କେହି କିଛି ବୁଝିବା ପୂର୍ବରୁ ସିଂହଟି ତାଙ୍କୁ ଟାଣି ଜଙ୍ଗଲ ଭିତରକୁ ନେଇଯାଇଥିଲା। ଘଟଣା ପରେ ବନ ବିଭାଗ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲେ। ପରେ ଜଙ୍ଗଲରୁ ମୟୁରଙ୍କ ଜୋତା, ପୋଷାକ ଓ ମୃତଦେହର କିଛି ଅଂଶ ଉଦ୍ଧାର କରାଯାଇଥିଲା। ଘଟଣା ପରେ ବନ ବିଭାଗ ତିନୋଟି ସିଂହକୁ କାବୁ କରିଛି। ଆକ୍ରମଣରେ କେଉଁ ସିଂହ ସମ୍ପୃକ୍ତ ଥିଲା, ଏନେଇ ତଦନ୍ତ ଚାଲିଛି।
ଜୁନାଗଡ଼ର ଉପବନ ସଂରକ୍ଷକ ଅକ୍ଷୟ ଜୋଶୀ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସିଂହମାନେ ଜଙ୍ଗଲରୁ ବାହାରକୁ ଆସୁଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ସିଂହ ମୟୁରଙ୍କ ଉପରେ ଆକ୍ରମଣ କରିଥିଲା।
ଜୁନାଗଡ଼ ବନ ବିଭାଗ, ସାମାଜିକ ବନୀକରଣ ବିଭାଗ ଏବଂ ସାସନ ରେସ୍କ୍ୟୁ ଟିମର ପ୍ରାୟ ୬୦ରୁ ୭୦ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ।
ଆକ୍ରମଣରେ ସମ୍ପୃକ୍ତ ଥିବା ସନ୍ଦେହରେ ତିନୋଟି ସିଂହକୁ ଅଚେତ କରି ଜୁନାଗଡ଼ର ସକ୍କରବାଗ ଚିଡ଼ିଆଖାନାକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ବନ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, ପ୍ରାଥମିକ ପଶୁ ଚିକିତ୍ସା ପରୀକ୍ଷାରେ ଜଣେ ସିଂହର ବାନ୍ତିରେ ମଣିଷ ଶରୀରର ଅବଶେଷ ଥିବା ଜଣାପଡ଼ିଛି। ଏହା ସହ ଜଙ୍ଗଲର ବିଭିନ୍ନ ସ୍ଥାନରୁ ମୃତ ମୟୁରଙ୍କ ଶରୀରର ଅନ୍ୟାନ୍ୟ ଅଂଶ ମଧ୍ୟ ଉଦ୍ଧାର କରାଯାଇଛି।
ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ଘଟିଥିବାରୁ ରାଜ୍ୟ ସରକାରଙ୍କ ଆଇନ ଅନୁଯାୟୀ ମୃତ ବାଳକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନ ବିଭାଗ କହିଛି।
ଏହି ଘଟଣା ପରେ ସ୍ଥାନୀୟ ଲୋକ ଏବଂ ମୃତ ନାବାଳକଙ୍କ ପରିବାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ସେମାନଙ୍କ ଅଭିଯୋଗ, ଗତ କିଛି ଦିନ ଧରି ଗିରନାର ପାହାଡ଼ର ସିଢ଼ି ନିକଟରେ ସିଂହ ଦେଖାଯାଉଥିଲେ ମଧ୍ୟ ପର୍ଯ୍ୟାପ୍ତ ସତର୍କତା ବ୍ୟବସ୍ଥା କରାଯାଇ ନଥିଲା। ସେହିପରି ସକାଳ ସମୟରେ ପର୍ଯ୍ୟାପ୍ତ ଲାଇଟ୍ ଓ ସୁରକ୍ଷା ବ୍ୟବସ୍ଥା ନଥିବାରୁ ତୀର୍ଥଯାତ୍ରୀମାନେ ବନ୍ୟଜନ୍ତୁଙ୍କୁ ଚିହ୍ନଟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ କହିଛନ୍ତି।
ଘଟଣା ପରେ ପ୍ରଶାସନ ଗିରନାର ପାହାଡ଼ର ସିଢ଼ି ଦେଇ ଯାତାୟାତକୁ ସାମୟିକ ଭାବେ ବନ୍ଦ କରିଛି। ବନ ବିଭାଗର ବିସ୍ତୃତ ଯାଞ୍ଚ ପରେ ପୁଣିଥରେ ତୀର୍ଥପଥ ଖୋଲାଯିବ ବୋଲି ସୂଚନା ମିଳିଛି। ବନ ବିଭାଗ କହିଛି, ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ଯୋଜନା ପ୍ରସ୍ତୁତ କରାଯିବ।
ଏଥିରେ ଅଧିକ କର୍ମଚାରୀ ମୁତୟନ କରିବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଗିରନାର ପାହାଡ଼ର ପ୍ରାୟ ୨,୦୦୦ଟି ସିଢ଼ି ପାର୍ଶ୍ୱରେ ଫେନ୍ସିଂ ଲଗାଇବା ପ୍ରସ୍ତାବକୁ ମଧ୍ୟ ବିଚାର କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।