Khelo India Gets Historic Funding: ଅଲିମ୍ପିକ୍ ସ୍ୱପ୍ନ ପାଇଁ ଭାରତ ସରକାରଙ୍କ ବଡ଼ ପଦକ୍ଷେପ
ଦେଶର କ୍ରୀଡ଼ା କ୍ଷେତ୍ରକୁ ମିଳିଲା ବଡ଼ ପ୍ରୋତ୍ସାହନ। ଖେଲୋ ଇଣ୍ଡିଆ ଯୋଜନା ଓ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ୩୬ ହଜାର ୪୪୧ କୋଟି ଟଙ୍କାର ବ୍ୟୟବରାଦକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି।
କେନ୍ଦ୍ର ସରକାର ଆଗାମୀ ୫ ବର୍ଷ ପାଇଁ ଖେଲୋ ଇଣ୍ଡିଆ ଯୋଜନାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ୨୯ ହଜାର ୫୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେହିପରି ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ୭ ହଜାର ୩୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୋଟ ୩୬ ହଜାର ୪୪୧ କୋଟି ଟଙ୍କାର ଏହି ପ୍ୟାକେଜ୍ ସ୍ୱାଧୀନତା ପରବର୍ତ୍ତୀ ସମୟର ସବୁଠାରୁ ବଡ଼ କ୍ରୀଡ଼ା ବିକାଶ ପଦକ୍ଷେପ ବୋଲି ସରକାର କହିଛନ୍ତି।
ଏହି ଯୋଜନାରେ ଯୁବ କ୍ରୀଡ଼ାବିତଙ୍କ ପ୍ରଶିକ୍ଷଣ, ସ୍ପୋର୍ଟ୍ସ ସାଇନ୍ସ, ଆଧୁନିକ କ୍ରୀଡ଼ା ଉପକରଣ, ବିଦେଶୀ ବିଶେଷଜ୍ଞଙ୍କ ସହଯୋଗ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶଗ୍ରହଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ସ୍କୁଲ ସ୍ତରରୁ ପ୍ରତିଭା ଚିହ୍ନଟ, ମହିଳା ଓ ପାରା କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ସହ ଡିଜିଟାଲ୍ ସ୍ପୋର୍ଟ୍ସ ପ୍ଲାଟଫର୍ମ ମଧ୍ୟ ବିକଶିତ କରାଯିବ। ସରକାରଙ୍କ ଆଶା, ଏହି ପଦକ୍ଷେପ ୨୦୩୬ ଅଲିମ୍ପିକ୍ ଆୟୋଜନ ପାଇଁ ଭାରତର ଦାବିକୁ ଆହୁରି ସୁଦୃଢ଼ କରିବା ସହ ଦେଶକୁ ବିଶ୍ୱ କ୍ରୀଡ଼ା ଶକ୍ତିରେ ପରିଣତ କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।