Keralam Floods: ଭୟଙ୍କର ରୂପ ନେଲା କେରଳ ବନ୍ୟା; ୧୫ ମୃତ, ଆଲର୍ଟରେ NDRF ଓ ସୁରକ୍ଷା ବାହିନୀ
କେରଳ, ୩।୮: କେରଳରେ ପ୍ରବଳ ବର୍ଷା ଓ ବନ୍ୟାର ତାଣ୍ଡବ ଜାରି ରହିଛି । ବର୍ଷା ଓ ବନ୍ୟା ଜନିତ ବିଭିନ୍ନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଏବେ ବି ନିଖୋଜ ଅଛନ୍ତି । ସୋମବାର ଦିନ ଏ ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ତୁରନ୍ତ ୧୦,୦୦୦ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି । ଏହା ସହିତ କୃଷିଜମି ଓ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷତିପୂରଣ ରାଶିର ସଂଶୋଧନ ନେଇ କୃଷି ବିଭାଗକୁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଟାୟମରେ ଜଣେ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ମଲପ୍ପୁରମ୍ରେ ୪ ମୃତ, ଜଣେ ନିଖୋଜ, ଏର୍ଣ୍ଣାକୁଲମ୍ରେ ୨ ମୃତ, କୋଲ୍ଲମ୍ରେ ୨ ମୃତ, ୨ ନିଖୋଜ ଅଛନ୍ତି । ଇଡୁକ୍କି ଓ ମୁଭାଟ୍ଟୁପୁଝାରେ ଜଣେ ଲେଖାଏଁ ମୃତ ଓ ଜଣେ ଲେଖାଏଁ ନିଖୋଜ । କନ୍ନୁରରେ ଜଣଙ୍କ ମୃତ୍ୟୁ, ୨ ନିଖୋଜ ଓ କୋଝିକୋଡ୍ରେ ଜଣଙ୍କ ମୃତ୍ୟୁ ହୋଇଛି । ସୋମବାର ସକାଳ ୯ଟା ସୁଦ୍ଧା ରାଜ୍ୟସାରା ୩୧୬ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ହୋଇଛି, ଯେଉଁଥିରେ ୧୧,୦୧୮ ରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି ।
ଏହା ବି ପଢ଼ନ୍ତୁ... ଭାରତର ତୃତୀୟ ନୟନ ! ସରକାର ଦେଲେ ଗ୍ରୀନ ସିଗନାଲ, ଲଞ୍ଚ ହେବ NVS-03 ଓ Gisat-1A ସାଟେଲାଇଟ୍
ପ୍ରାଥମିକ ଆକଳନ ଅନୁଯାୟୀ ପ୍ରାୟ ୧୬୫ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି, ଯାହାଦ୍ୱାରା ୩,୫୯୬ ଜଣ ଚାଷୀ ପ୍ରଭାବିତ ହୋଇଛନ୍ତି । ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ପଥନମଥାଟ୍ଟା, କୋଟାୟମ୍ ସମେତ ଅନ୍ୟାନ୍ୟ ଜିଲ୍ଲାରେ NDRF, ସେନା ଓ ସୁରକ୍ଷା ବାହିନୀ ମୁତାୟନ ହୋଇଛନ୍ତି । ପଥନମଥାଟ୍ଟାରେ ୧ଟି ଏବଂ କୋଟାୟମରେ ୨ଟି NDRF ଟିମ୍ କାର୍ଯ୍ୟରତ ଅଛନ୍ତି । ଆରାକ୍କୋଣମରୁ ଆଉ ୨ଟି NDRF ଟିମ୍ ଅଣାଯାଉଛି । ଆବଶ୍ୟକ ସ୍ଥଳେ ଆଲାପ୍ପୁଝାରେ ITBP ଏବଂ କନ୍ନୁର-ୱାୟନାଡରେ ଡିଫେନ୍ସ ସିକ୍ୟୁରିଟି କୋର୍ ଯବାନଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ ପରିସ୍ଥିତି ପାଇଁ ହେଲିକପ୍ଟର ସେବା ମଧ୍ୟ ପ୍ରସ୍ତୁତ ରଖାଯାଇଛି । ପାଣିପାଗ ବିଭାଗର ଚେତାବନୀ ପ୍ରବଳ ବର୍ଷା ଓ ପବନ ନେଇ ଚେତାବନୀ ଦେଇଛି । ଅଗଷ୍ଟ ୩ ଓ ୬ ତାରିଖ ମଧ୍ୟରେ ରାଜ୍ୟରେ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଅଗଷ୍ଟ ୨ ଓ ୩ ତାରିଖରେ କେରଳ, କର୍ଣ୍ଣାଟକ ଓ ଲକ୍ଷଦ୍ୱୀପ ଉପକୂଳକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।