'Jana Nayagan' to Release Soon: 'ଜନ ନାୟଗାନ' ଟିଜର ରିଲିଜ୍, ଶେଷ ଥର ପାଇଁ ପରଦାରେ ନଜର ଆସିବେ ବିଜୟ
ତାମିଲ ସୁପରଷ୍ଟାର ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଯୋସେଫ ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଜନ ନାୟଗାନ'ର ଆକ୍ସନ୍-ପ୍ୟାକ ଟିଜର ରିଲିଜ୍ ହୋଇଛି। ମାତ୍ର ୧୮ ସେକେଣ୍ଡର ଏହି ଟିଜର ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଛି। ବିଜୟଙ୍କ ଅଭିନୟ ଜୀବନର ଏହା ଶେଷ ଚଳଚ୍ଚିତ୍ର ବୋଲି କୁହାଯାଉଥିବାରୁ ଫିଲ୍ମକୁ ନେଇ ଆଗ୍ରହ ଆହୁରି ବଢ଼ିଛି।
କେଭିଏନ୍ ପ୍ରଡକ୍ସନ୍ସ ପକ୍ଷରୁ ଜାରି ହୋଇଥିବା ଟିଜରରେ ବିଜୟଙ୍କୁ ଦମଦାର ଆକ୍ସନ୍ କରୁଥିବା ଦେଖିବାକୁ ମିଳିଛି। ବନ୍ଧୁକ ଚଳାଇବା ଠାରୁ ଆରମ୍ଭ କରି ଫାଇଟିଙ୍ଗ ସିନ୍ ପର୍ଯ୍ୟନ୍ତ ଅନେକ ରୋମାଞ୍ଚକର ଦୃଶ୍ୟ ଟିଜରରେ ସ୍ଥାନ ପାଇଛି। ଏଥିସହ ବିଜୟଙ୍କୁ ପୋଲିସ୍ ଓ ଜେଲର ୟୁନିଫର୍ମରେ ମଧ୍ୟ ଦେଖାଯାଇଛି, ଯାହା ଫିଲ୍ମର କାହାଣୀକୁ ନେଇ ସସପେନ୍ସ ବଢ଼ାଇଛି।
ଟିଜରର ଶେଷରେ ବିଜୟ ଧଳା ସାର୍ଟ ଓ ଗାଢ଼ ଜ୍ୟାକେଟ୍ ପିନ୍ଧିଥିବା ଅବତାରରେ ନଜର ଆସୁଛନ୍ତି। ଏହି ଲୁକକୁ ତାଙ୍କ ବର୍ତ୍ତମାନର ରାଜନୈତିକ ଜୀବନର ଚିତ୍ର ସହ ଯୋଡ଼ି ଦେଖାଯାଉଛି। ଟିଜର ମୁକ୍ତି ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହାର ସ୍କ୍ରିନସଟ୍ ଓ ଭିଡିଓ କ୍ଲିପ୍ ବ୍ୟାପକ ଭାବେ ସେୟାର କରୁଛନ୍ତି।
ଏଚ୍. ବିନୋଥଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଜନ ନାୟଗାନ'ରେ ବିଜୟଙ୍କ ସହ ପୂଜା ହେଗଡେ, ବବି ଦେଓଲ ଓ ମାମିତା ବାଇଜୁ ପ୍ରମୁଖ ଭୂମିକାରେ ଅଛନ୍ତି। ଏହାଛଡ଼ା ପ୍ରକାଶ ରାଜ, ଗୌତମ ବାସୁଦେବ ମେନନ, ପ୍ରିୟାମଣି ଓ ନାରାୟଣଙ୍କ ଭଳି ଅଭିନେତାମାନେ ମଧ୍ୟ ଫିଲ୍ମର ଅଂଶ ଅଛନ୍ତି।
ରାଜନୀତିରେ ସକ୍ରିୟ ହେବା ପରେ ବିଜୟଙ୍କର ଏହା ପ୍ରଥମ ଥିଏଟର ରିଲିଜ୍। ସେ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ସାର୍ବଜନୀନ ଜୀବନ ଉପରେ ଧ୍ୟାନ ଦେବା ପାଇଁ ସେ ଅଭିନୟରୁ ଦୂରେଇ ଯିବେ। ତେଣୁ 'ଜନ ନାୟଗାନ'କୁ ତାଙ୍କ ସିନେମା କ୍ୟାରିୟରର ଶେଷ ଫିଲ୍ମ ବୋଲି ଦେଖାଯାଉଛି।
ଆସନ୍ତା ଜୁଲାଇ ୨୩ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ଏବେ ଠାରୁ ବଢିଛି। ଟ୍ରେଡ୍ ରିପୋର୍ଟ ଅନୁସାରେ, ଭାରତରେ ଫିଲ୍ମର ଆଡଭାନ୍ସ ବୁକିଂ ୭ କୋଟି ଟଙ୍କା ଅତିକ୍ରମ କରିଥିବା ବେଳେ ୨.୮ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି। ଦେଶ ବାହାରେ ମଧ୍ୟ ଫିଲ୍ମକୁ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।