ISKCON Controversy: ବନ୍ଦ ହେବ କି ଇସ୍କନ ମନମାନୀ?  ପ୍ରେସିଡେଣ୍ଟ ଓ ପିଏମଙ୍କୁ ପୁଣି ଗଜପତିଙ୍କ ଚିଠି

Jul 07, 2026 - 20:03
ISKCON Controversy: ବନ୍ଦ ହେବ କି ଇସ୍କନ ମନମାନୀ?  ପ୍ରେସିଡେଣ୍ଟ ଓ ପିଏମଙ୍କୁ ପୁଣି ଗଜପତିଙ୍କ ଚିଠି

ବିଦେଶରେ ଅଦିନିଆ ରଥରେ ପଡ଼ିବ କି ଯବନିକା?
ଦିଲ୍ଲୀ ଦରବାରରେ ପହଞ୍ଚିଲା ଶ୍ରୀକ୍ଷେତ୍ର ଦାବି     
ରଥଯାତ୍ରାକୁ ଆଉ ମାତ୍ର କେଇଟା ଦିନ। ହେଲେ ତା ପୂର୍ବରୁ ତେଜିଛି ଇସ୍କନର ଅଦିନିଆ ରଥଯାତ୍ରା ବିବାଦ। ବିଦେଶରେ ଇସ୍କନ ପକ୍ଷରୁ ଶାସ୍ତ୍ର ନିର୍ଦ୍ଧାରିତ ତିଥି ବାହାରେ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନକୁ ନେଇ ପୁଣି ଥରେ ସ୍ୱର ଉଠାଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆଉ ଇସ୍କନକୁ ନୁହେଁ, ଏଥର ସିଧା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି। ଇସ୍କନ ବିରୋଧରେ କ୍ଷୋଭ ପ୍ରକାଶ କରି ଗଜପତି ଲେଖିଛନ୍ତି, ପରମ୍ପରାକୁ ଭାଙ୍ଗି ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରୁଛି ଇସ୍କନ୍।

ବିରୋଧ ସତ୍ତ୍ବେ ବର୍ଷ ସାରା ଯେ କୌଣସି ଦିନରେ ବି ରଥଯାତ୍ରା କରୁଛି । ଯାହାକି ଜଗନ୍ନାଥପ୍ରେମୀଙ୍କ ଧର୍ମୀୟ ଭାବାବେଗକୁ କଠୋର ଆଘାତ। ମହାପ୍ରଭୁଙ୍କ ପବିତ୍ରତା ବଜାୟ ରଖିବା ପାଇଁ ତୁରନ୍ତ ଏହାକୁ ବନ୍ଦ କରିବାକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଜପତି ମହାରାଜା। ଏଥିସହିତ ରାଷ୍ଟ୍ରପତିଙ୍କୁ ସାକ୍ଷାତ ପାଇଁ ସମୟ ମାଗିବା ସହ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ମଧ୍ୟ ଚାହିଁଛନ୍ତି। 

କଥା ଆଜି- କାଲିର ନୁହେଁ, ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଗଲା ୨୦ ବର୍ଷ ଧରି ଇସ୍କନର ବିଧର୍ମୀ ଆଚରଣ ବିରୋଧରେ ଲଢେଇ କରିଆସୁଛି ଶ୍ରୀମନ୍ଦିର ପ୍ରଶାସନ। ବାରମ୍ବାର ଚିଠି ଲେଖି ତିଥି ମାନିବାକୁ ପରାମର୍ଶ ସତ୍ତ୍ବେ ଇସ୍କନ ନଛୋଡ଼ବନ୍ଧା । ସଂଗୀନ କଥା ହେଲା, ନିଜ କଥାକୁ ନିଜେ ଗିଳିଦେଉଛି ଇସ୍କନ । ଗଜପତିଙ୍କ କହିବା ଅନୁସାରେ, ୨୦୨୪ ଡିସେମ୍ବରରେ ତତ୍କାଳୀନ ଇସ୍କନ ଚେୟାରମ୍ୟାନଙ୍କ ଅନୁରୋଧରେ ମାର୍ଚ୍ଚ ୨୦୨୫ରେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଅନୁମୋଦିକ ବିଦ୍ବାନମଣ୍ଡଳୀ ଓ ଇସ୍କନର ଇଣ୍ଟରନ୍ୟାସନାଲ୍ ବିଦ୍ବାନ ଆସି ଚର୍ଚ୍ଚା କରିଥିଲେ।

ଦେଶ-କାଳ-ପାତ୍ରର ଯୁକ୍ତି ଦର୍ଶାଇଥିଲେ। ହେଲେ ସବୁକୁ ଖଣ୍ଡନ କରି ତିଥି ପରିବର୍ତ୍ତନ ହେବନାହିଁ ବୋଲି ସଫା ସଫା ଶୁଣାଇଦେଇଥିଲେ ବିଦ୍ବାନମଣ୍ଡଳୀ। ୧୯ ଅକ୍ଟୋବର ୨୦୨୫ରେ ତିଥିରେ ରଥଯାତ୍ରା କରିବାକୁ ଏବଂ ଦେଶ ଭିତରେ ଅଦିନିଆ ରଥ ନ ଗଡ଼ାଇବାକୁ ଇସ୍କନ ନିଷ୍ପତ୍ତି ନେଇଥିଲା । ହେଲେ ତା ବି ପାଳନ କଲାନି। ଅନ୍ୟପଟେ କୋଭିଡ୍ କାଳରେ କିଭଳି ତିଥି ନ ବଦଳାଇ ଭିନ୍ନ ପନ୍ଥାରେ ରଥଯାତ୍ରା ଆୟୋଜନ କରାଗଲା ତାର ବି ଉଦାହରଣ ଦେଇଛନ୍ତି ଗଜପତି। 

ଗୁରୁତ୍ବପୂର୍ଣ୍ଣ କଥା ହେଲା, ପଶ୍ଚିମବଙ୍ଗର ମାୟାପୁରରେ ଇସ୍କନର ମୁଖ୍ୟାଳୟ ରହିଛି । ଯେଉଁଠାରୁ ଇସ୍କନର ବିଶ୍ବବ୍ୟାପୀ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥାଏ । ଏବେ ମାୟାପୁରରେ ଇସ୍କନର ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଥିବାବେଳେ ପଶ୍ଚିମବଙ୍ଗରେ ମଧ୍ୟ ସରକାର ବଦଳିଛି। ଏଣୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କଲେ ସମସ୍ୟାର ସମାଧାନ ହେବା ଆଶା କରିଛନ୍ତି ଗଜପତି। ଶ୍ରଦ୍ଧାଳୁ ଓ ସେବାୟତ ବି ଏଥିରେ ସହମତ।

କେବଳ ଧାର୍ଯ୍ୟ ତାରିଖରେ ନୁହେଁ, ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଅର୍ଥାତ ୯ ଦିନ ବ୍ୟାପୀ ଯେକୌଣସି ଦିବସରେ ରଥଯାତ୍ରା ଆୟୋଜନ କରାଯାଇପାରିବ। ଏହା ବାଦ୍ ରଥଯାତ୍ରା ଆୟୋଜନ ମଧ୍ୟ ବିଧି ସଙ୍ଗତ ନୁହେଁ । ସେପଟେ ଦୀଘାରୁ ଧାମ ଶବ୍ଦ ହଟିବା ପରେ ପଶ୍ଚିମବଙ୍ଗ ବିଜେପି ସରକାର ସହଯୋଗରେ ମାୟାପୁର ଉପରେ ଚାପ ପକାଇ ଅଦିନିଆ ରଥଯାତ୍ରାରେ ମଧ୍ୟ ଲଗାମ ଲଗାଇହେବ ବୋଲି ଭକ୍ତମହଲରେ ଆଶା କରାଯାଉଛି। ଏନେଇ ଯାହା ଆବଶ୍ୟକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।