Irregularities in BJD-Era Development Project: ନବୀନଙ୍କ ସ୍କିମରେ ବଡ଼ ଦୁର୍ନୀତି, ଖୋଳତାଡ କରୁଛି ଭିଜିଲାନ୍ସ
ନବୀନଙ୍କ ସ୍କିମରେ ହୋଇଛି କି ବଡ଼ ଦୁର୍ନୀତି? ତତ୍କାଳୀନ ବିଜେଡି ସରକାର ସମୟରେ 'ଆମ ଗାଁ ଆମ ବିକାଶ' ଯୋଜନାରେ କରାଯାଇଛି କି ବଡ଼ ଘୋଟାଲା? ନବୀନ ସରକାରରେ LED ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ନେଇ ଆରମ୍ଭ ହୋଇଛି ଭିଜିଲାନ୍ସ ଖୋଳତାଡ଼। ରାଜ୍ୟର ୫୦ଟି ସ୍ଥାନରେ ଏକାସାଙ୍ଗରେ ରେଡ୍ କରିଛି ଭିଜିଲାନ୍ସ।
କେନ୍ଦୁଝର, ନୟାଗଡ଼ ଓ ଯାଜପୁର ଜିଲ୍ଲାରେ ୮୧ ଅଧିକାରୀଙ୍କୁ ନେଇ ୨୪ଟି ଟିମ୍ ବଡ଼ ଧରଣର ଛାନଭିନ କରୁଛି। ୨୦୨୧-୨୨ ଓ ୨୦୨୨-୨୩ରେ ଆମ ଗାଁ ଆମ ବିକାଶ' ଯୋଜନା ଅଧୀନରେ ଏହି ଦୁର୍ନୀତି ହୋଇଥିବା ଗନ୍ଧ ବାରିଛି ଭିଜିଲାନ୍ସ। ତଦନ୍ତ ବେଳେ ଟେଣ୍ଡର ଗାଇଡ୍ ଲାଇନ୍ସରେ ନିୟମ ଉଲ୍ଲଙ୍ଘନ ହୋଇଥିବା ସାମ୍ନାକୁ ଆସିଛି।
ସରକାରୀ କର୍ମଚାରୀ ଓ ପ୍ରକଳ୍ପ ସଂସ୍ଥାର ସଂପୃକ୍ତି ନେଇ ତଥ୍ୟ ପାଇଛି ତଦନ୍ତକାରୀ ସଂସ୍ଥା। ଆମ ଗାଁ ଆମ ବିକାଶ ଯୋଜନା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ୍ରିମ ପ୍ରୋଜେକ୍ଟ ବୋଲି ବିଜେଡି ପ୍ରଚାର କରୁଥିଲା। ଗ୍ରାମାଞ୍ଚଳରେ LED ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଏହି ଯୋଜନାର ବଡ଼ ଅଂଶ ଥିଲା। ଏଥିରେ ବଡ଼ଧରଣର ଅର୍ଥ ହେରଫେର୍ ହୋଇଥିବା ଅଭିଯୋଗ ପରେ ଛାନଭିନ୍ ଆରମ୍ଭ କରିଛି ଭିଜିଲାନ୍ସ। ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।