Indus Waters Treaty: ସୀମାପାର ଆତଙ୍କବାଦକୁ ନେଇ ଭାରତର କଡ଼ା ଆଭିମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରାୟୋଜିତ ସୀମାପାର ଆତଙ୍କବାଦକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ। ପାକିସ୍ତାନ ପକ୍ଷରୁ ସୀମାପାର ଆତଙ୍କବାଦକୁ ପ୍ରଶ୍ରୟ ଦେବା ସମ୍ପୂର୍ଣ୍ଣ ବନ୍ଦ ନହେବା ଏବଂ ଏ ଦିଗରେ କୌଣସି ବିଶ୍ୱାସଯୋଗ୍ୟ ତଥା ସ୍ଥାୟୀ ପଦକ୍ଷେପ ଗ୍ରହଣ କରାନଯିବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି) ସ୍ଥଗିତ ରହିବ ବୋଲି କେନ୍ଦ୍ର ସରକାର ଶୁକ୍ରବାର ସ୍ପଷ୍ଟ କରିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି ଯେ, ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ ଓ ସମାନ ରହିଛି। ପାକିସ୍ତାନ ଦ୍ୱାରା କ୍ରମାଗତ ଭାବେ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ହିଁ ଏହି ଚୁକ୍ତିକୁ ସ୍ଥଗିତ ରଖାଯାଇଛି। ପାକିସ୍ତାନକୁ ପ୍ରଥମେ ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ ବୋଲି ଜୈସୱାଲ କହିଛନ୍ତି।
ନିକଟରେ ପାକିସ୍ତାନର ମନ୍ତ୍ରୀ ମୁସାଦିକ ମଲିକଙ୍କ ଏକ ବିବାଦୀୟ ବୟାନ ପରେ ଭାରତ ପକ୍ଷରୁ ଏହି ପ୍ରତିକ୍ରିୟା ପ୍ରକାଶ ପାଇଛି। ମଲିକ କହିଥିଲେ ଯେ, ସିନ୍ଧୁ ଜଳ ଚୁକ୍ତି ଅଧୀନରେ ପାକିସ୍ତାନ ଭାଗର ପାଣିକୁ ଯଦି କେହି ଛଡ଼ାଇବାକୁ ଚେଷ୍ଟା କରେ, ତେବେ ଇସଲାମାବାଦ ସେହି ହାତକୁ କାଟିଦେବ। ଅନ୍ୟପକ୍ଷରେ ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲା ତରାର ଦାବି କରିଥିଲେ ଯେ, ୧୯୬୦ ମସିହାରେ ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ହୋଇଥିବା ଏହି ଚୁକ୍ତି ଆଇନଗତ ଭାବେ ବାଧ୍ୟତାମୂଳକ ଏବଂ ଏହାକୁ ଏକପାଖିଆ ଭାବେ ସ୍ଥଗିତ କିମ୍ବା ସଂଶୋଧନ କରାଯାଇପାରିବ ନାହିଁ। ସୂଚନାଯୋଗ୍ୟ, ପ୍ରାୟ ୯ ବର୍ଷର ଆଲୋଚନା ପରେ ୧୯୬୦ ସେପ୍ଟେମ୍ବର ୧୯ରେ ଦୁଇ ଦେଶ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନେଇ ଏହି ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ମାତ୍ର ୨୦୨୫ ଏପ୍ରିଲ ୨୨ରେ ପହଲଗାମଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଏହି ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।
India:ଆତଙ୍କବାଦୀ ମାନେ ଆତଙ୍କବାଦୀ’: ଜାତିସଂଘରେ ଆତଙ୍କବାଦ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ଆହ୍ୱାନ
ତିସ୍ତା ନଦୀ ପ୍ରକଳ୍ପ ଉପରେ ଭାରତର ନଜର
ବାଂଲାଦେଶର ତିସ୍ତା ନଦୀ ପ୍ରକଳ୍ପ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି ଯେ, ବାଂଲାଦେଶକୁ ଭାରତର ବିକାଶମୂଳକ ସହାୟତା ଏକ ପାରସ୍ପରିକ ସହମତି ଭିତ୍ତିକ ରୋଡମ୍ୟାପ୍ ଅନୁଯାୟୀ ପରିଚାଳିତ ହେଉଛି ଏବଂ ଏହାର ନିୟମିତ ସମୀକ୍ଷା କରାଯାଉଛି। ଭାରତ ଏହି ପ୍ରକଳ୍ପ ବାବଦରେ ବାଂଲାଦେଶ ସରକାରଙ୍କୁ ନିଜର ମତାମତ ଜଣାଇ ସାରିଛି ଏବଂ ଆଗାମୀ ଦିନରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗକୁ ବିଚାରକୁ ନେଇ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।