IMD Rain Forecasts: ଆଶା ଦେଲେ ଆଇଏମଡି ଡିଜି; ଜୁଲାଇରେ ଭଲ ବର୍ଷା, ଉପକୂଳ-ପଶ୍ଚିମରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୩୧/୦୭: ଜୁଲାଇ ମାସରେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ବହୁ ସ୍ଥାନରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ । କିନ୍ତୁ ଉପକୂଳ ଓ ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ଭଲ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜୁଲାଇ ମାସରେ ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଜୁନ୍ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ପ୍ରାୟ ୪୭% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ବର୍ଷା ଅଭାବ ଯୋଗୁ ଚାଷ କାମ ପ୍ରଭାବିତ ହୋଇପାରେ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି । କିନ୍ତୁ ଆଗକୁ ଏହି ସ୍ଥିତିରେ ସୁଧାର ଆସିପାରେ । ଆସନ୍ତା ଦୁଇ ସପ୍ତାହ ଭଲ ବର୍ଷା ହେବ । ଜୁଲାଇ ୫ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗତକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଟ୍ୱିନ୍ ସିଟି କଟକ ଏବଂ ଭୁବନେଶ୍ୱରରେ ବର୍ଷା ଜାରି ରହିଛି ।
ଜୁଲାଇ ମାସରେ ଉପକୂଳରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା, କେନ୍ଦ୍ରୀୟ ଅଞ୍ଚଳ (ମଧ୍ୟ ଓଡ଼ିଶା)ରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ଅଛି । ରାଜ୍ୟର ଉଚ୍ଚଭୂମି ଓ ପୂର୍ବଘାଟ ପର୍ବତମାଳା ଭଳି ଭୌଗାଳିକ ସ୍ଥିତି ମୌସୁମୀ ବାୟୁ ସହ ପ୍ରତିକ୍ରିୟା କରୁଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶା ତୁଳନାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଜୁଲାଇ ମାସର ପ୍ରଥମ ଦୁଇ ସପ୍ତାହର ବର୍ଷା ରାଜ୍ୟରେ ଧାନ ଚାଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଜୁନ୍ ମାସର ନିଅଣ୍ଟିଆ ବର୍ଷାକୁ ଭରଣା କରିବାରେ ଲଘୁଚାପ ସହାୟକ ହେବ । ବର୍ଷା ଯୋଗୁ ଧାନ ତଳି ରୋଇବା ଓ ବୁଣା କାମ ସୁବିଧାଜନକ ହେବ । ସେପଟେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଜୁଲାଇ ୩ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଯାଇପାରେ । କିନ୍ତୁ ଏହା କୌଣସି ଅବପାତ ବା ଗଭୀର ଅବପାତରେ ପରିଣତ ହେବାର ଆଶଙ୍କା ନାହିଁ ।
ଲଘୁଚାପ ଘନୀଭୂତ ହୋଇ ଧୀରେ ଧୀରେ ଆଗକୁ ବଢ଼ିଲେ ଅଧିକ ବର୍ଷା ହୋଇପାରେ । ଆଇଏମଡି ଡିଜି ପୁଣି କହିଛନ୍ତି, ଗ୍ଲୋବାଲ୍ ପାଣିପାଗ ସ୍ଥିତି ଅନୁସାରେ, ଗତ ୧୦ ତାରିଖରେ ଏକ ଦୁର୍ବଳ ଏଲ୍ନିନା ସ୍ଥିତି ସୃଷ୍ଟି ହେବା ନେଇ ଘୋଷଣା କରାଯାଇଥିଲା । ଏବେ ଏହାର ତୀବ୍ରତା ଧୀରେ ଧୀରେ ବଢୁଛି । ଜୁଲାଇ ଏବଂ ଅଗଷ୍ଟରେ ଏହା ‘ମଧ୍ୟମ' ସ୍ଥିତିରେ ରହିପାରେ । ସେପ୍ଟେମ୍ବର ବେଳକୁ ଏହା ଏକ ‘ଶକ୍ତିଶାଳୀ' ଏଲ୍ନିନୋରେ ପରିଣତ ହେବ । ଏହା ପାଣିପାଗ ଉପରେ ପ୍ରଭାବ ପକାଇପାରେ । ଭାରତ ମହାସାଗରରେ ଇଣ୍ଡିଆନ୍ ଓସେନ୍ ଡାଇପୋଲ୍(ଆଇଓଡି) ସେପ୍ଟେମ୍ବର ମାସ ଆଡ଼କୁ ପଜିଟିଭ୍ ସ୍ଥିତିକୁ ଗତି କରିପାରେ । ପଜିଟିଭ୍ ଆଇଓଡି ପ୍ରଭାବରେ ସୋମାଲିଆ ଓ ଆରବ ସାଗର ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ପାଏ । ଏହା ମୌସୁମୀ ବାୟୁକୁ ଦକ୍ଷିଣ ଗୋଲାର୍ଦ୍ଧରୁ ଭାରତ ଆଡ଼କୁ ଅଧିକ ସକ୍ରିୟ ଭାବେ ପ୍ରବାହିତ କରାଏ । ଏଭଳି ହେଲେ ଏଲ୍ନିନୋର ପ୍ରଭାବ ରୋକିହେବ । ଏହା ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଚାଷ କାମ ପାଇଁ ଆଶ୍ୱସ୍ତି ଆଣିବ । ବର୍ଷା ଯୋଗୁ ଜୁଲାଇ ପ୍ରଥମ ସପ୍ତାହରେ ତାପମାତ୍ରା କମ୍ ରହିବ । ମୌସୁମୀ ପ୍ରବାହ ଯୋଗୁ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିପାରେ । ଯେଉଁ ସମୟରେ ବର୍ଷା ନହେବ, ସେଦିନ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ଯେଉଁ ସମୟରେ ବର୍ଷା ନହେବ, ସେଦିନ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ବୁଧବାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ସୁନ୍ଦରଗଡ଼, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତଥ୍ୟ ଦେଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି ।