ICC ODI Rankings: ଦିନିକିଆ ର‍୍ୟାଙ୍କିଂରେ ଭାରତର ଦବଦବା, ଶୀର୍ଷ ୪ରେ ତିନି ବ୍ୟାଟର

Jul 22, 2026 - 17:58
ICC ODI Rankings: ଦିନିକିଆ ର‍୍ୟାଙ୍କିଂରେ ଭାରତର ଦବଦବା, ଶୀର୍ଷ ୪ରେ ତିନି ବ୍ୟାଟର

ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଦିନିକିଆ ବ୍ୟାଟିଂ ର‍୍ୟାଙ୍କିଂରେ ଭାରତୀୟ ବ୍ୟାଟରଙ୍କ ଦବଦବା ଦେଖିବାକୁ ମିଳିଛି। ଶୀର୍ଷ ୪ ଜଣ ବ୍ୟାଟରଙ୍କ ମଧ୍ୟରେ ୩ ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରି ଶୁବମନ ଗିଲ୍ ଏକ ନମ୍ବର ସ୍ଥାନର ଅତି ନିକଟତର ହୋଇଥିବା ବେଳେ ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ନିଜର ସ୍ଥାନ ମଜବୁତ କରିଛନ୍ତି।

ଇଂଲଣ୍ଡ ବିପକ୍ଷ ୩ଟି ମ୍ୟାଚ୍‌ରେ ୧୮୮ ରନ୍ ସଂଗ୍ରହ କରି ଗିଲ୍ ଏବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ପ୍ରଥମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡର ଡାରିଲ୍ ମିଚେଲ୍ (୮୦୨ ରେଟିଂ ପଏଣ୍ଟ)ଙ୍କଠାରୁ ମାତ୍ର ୧ ପଏଣ୍ଟ ପଛରେ (୮୦୧ ପଏଣ୍ଟ) ଅଛନ୍ତି। ବିରାଟ କୋହଲି ୭୬୭ ରେଟିଂ ପଏଣ୍ଟ ସହ ତୃତୀୟ ଏବଂ ଅଧିନାୟକ ରୋହିତ ଶର୍ମା ୭୫୮ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ଭାରତ ବିପକ୍ଷ ୨-୧ ସିରିଜ୍ ବିଜୟରେ ଅପରାଜିତ ୨୪୯ ରନ୍ ସଂଗ୍ରହ କରି ଇଂଲଣ୍ଡର ଜୋ ରୁଟ୍ ୪ଟି ସ୍ଥାନ ଉପରକୁ ଉଠି ୮ମ ସ୍ଥାନରେ ପହଞ୍ଚିଛନ୍ତି।

ଆଫଗାନିସ୍ତାନର ଲେଗ୍-ସ୍ପିନର୍ ରଶିଦ୍ ଖାନ୍ ବୋଲିଂ ର‍୍ୟାଙ୍କିଂର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ଇଂଲଣ୍ଡର ଜୋଫ୍ରା ଆର୍ଚର ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନକୁ ଆସିଛନ୍ତି। ଭାରତର ସ୍ପିନର୍ ଅକ୍ଷର ପଟେଲ ୧୦ଟି ସ୍ଥାନ ଉପରକୁ ଉଠି ଯୁଗ୍ମ ୩୨ତମ ସ୍ଥାନ ହାସଲ କରିଛନ୍ତି।

ଅଲରାଉଣ୍ଡର ଭାବେ ଆଫଗାନିସ୍ତାନର ଅଜମତୁଲ୍ଲା ଓମାରଜାଇ ପ୍ରଥମ ଏବଂ ବାଂଲାଦେଶର ମେହିଦୀ ହାସନ୍ ମିରାଜ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର ମାଇକେଲ୍ ବ୍ରେସୱେଲ୍ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ସେହିପରି ବାଂଲାଦେଶ ଓ ଜିମ୍ବାୱେ ସିରିଜ୍ ପରେ ଟି-୨୦ ର‍୍ୟାଙ୍କିଂରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଛି। ଜିମ୍ବାୱେ ବ୍ୟାଟର ବ୍ରାଏନ୍ ବେନେଟ୍ ନିଜ କ୍ୟାରିୟରର ଶ୍ରେଷ୍ଠ ୯ମ ସ୍ଥାନ ହାସଲ କରିଛନ୍ତି।ବୋଲିଂରେ ଜିମ୍ବାୱେ ପେସର୍ ରିଚାର୍ଡ ଙ୍ଗାରାଭା ୩୭ଟି ସ୍ଥାନର ବଡ଼ ଡିଆଁ ମାରି ୩୨ତମ ସ୍ଥାନରେ ପହଞ୍ଚିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।