Hyderabad woman in Oman : ଦୈନିକ୧୫ ଘଣ୍ଟା କାମ ... ୪ ମାସ ହେବ ମିଳିନି ଦରମା, ଓମାନରେ ଫସି ରହିଥିବା ଭାରତୀୟ ମହିଳା କଲେ ନିବେଦନ
ନୂଆଦିଲ୍ଲୀ - ଘଟଣାଟି ହାଇଦ୍ରାବାଦର। ଜଣେ ମହିଳା ତାଙ୍କର ଚାରି ଜଣ ପିଲାଙ୍କୁ ଛାଡ଼ି ଏକ ଉନ୍ନତ ଜୀବନ ସନ୍ଧାନରେ ଯାଇଥିଲେ ଓମାନ, କିନ୍ତୁ ସେଠାରେ ସେ ପାଇଥିଲେ ନର୍କର ଯନ୍ତ୍ରଣା। ଦୈନିକ ୧୫ ଘଣ୍ଟାର ଶ୍ରମ, ଚାରି ମାସ ହେବ ଗୋଟିଏ ବି ପଇସା ଦରମା ନାହିଁ, ଖାଦ୍ୟ ଓ ଆଶ୍ରୟର କୌଣସି ବ୍ୟବସ୍ଥା ନାହିଁ। ଲଗାତାର ଶାରୀରିକ , ମାନସିକ ନିର୍ଯାତନା। ଶେଷରେ ନିର୍ଯାତନାର ତାଡ଼ନାରେ ହାଇଦ୍ରାବାଦର ଶବନମ୍ ବେଗମ ୧୫ ଦିନ ପୂର୍ବେ ନିଜ ମାଲିକଙ୍କ ଘରୁ ପଳାଇ ଆସି ଥିଲେ। ବର୍ତ୍ତମାନ ମସ୍କଟରେ ଥିବା ଭାରତୀୟ ଦୂତାବାସରେ ଆଶ୍ରୟ ନେଉଛନ୍ତି। ଏବେ ସେ ଭାରତ ଫେରିବାକୁ ନିବେଦନ କରୁଛନ୍ତି।
ସୂଚନା ଆଧାରରେ , ଶବନମ୍ ବେଗମ, ହାଇଦ୍ରାବାଦର ପାହାଡିଆ ସରିଫ୍ ଅଞ୍ଚଳର ବାସିନ୍ଦା। ତାଙ୍କ ପରିବାର ଅନୁସାରେ, ସେ ୨୬ ମାର୍ଚ୍ଚ, ୨୦୨୬ରେ ସେ ମସ୍କଟରେ ପହଞ୍ଚି ଥିଲେ। ଅରଶଦ ନାମକ ଜଣେ ସ୍ଥାନୀୟ ଏଜେଣ୍ଟ ତାଙ୍କୁ ହାଉସମେଡ୍ (ଗୃହ ପରିଚାରିକା)ର ଚାକିରି ଅଫର ଦେଇ ଥିଲେ। ପରିବାର ଲୋକକୁ ଆଶ୍ୱାସନା ଦିଆଯାଇ ଥିଲା ଯେ, ତାଙ୍କୁ ୨୦୦ ଓମାନ ରିଆଲ ଅର୍ଥାତ୍ ପ୍ରାୟ ୪୩,୦୦୦ ଟଙ୍କା ମାସିକ ଦରମା ମିଳିବ , ଖାଦ୍ୟ, ରହିବା ଏବଂ ଅନ୍ୟାନ୍ୟ ସୁବିଧା ସବୁ ପ୍ରଦାନ କରାଯିବ। ତାଙ୍କ କଥାରେ ଭରସା କରି ଶବନମ୍ ବିଦେଶ ଯିବାକୁ ନିଷ୍ପତ୍ତି ନେଇ ଥିଲେ।
ପରିବାର ଗୁରୁତର ଅଭିଯୋଗ କରି କହିଛନ୍ତତି ଯେ, ମସ୍କଟରେ ପହଞ୍ଚିବା କ୍ଷଣି ଶବନମଙ୍କୁ ଏକ କାର୍ଯ୍ୟାଳୟକୁ ନିଆଯାଇ ଥିଲା। ସେଠାରୁ ତାଙ୍କୁ ଅଲଗା ଅଲଗା ଘରକୁ କାମ କରିବାକୁ ପଠାଯାଇ ଥିଲା। ଆରମ୍ଭରୁ ସେ ଠକାମୀର ଶିକାର ହୋଇଥିଲେ। ତାଙ୍କୁ ଦିନକୁ ୧୨ରୁ ୧୫ ଘଣ୍ଟା କାମ କରିବାକୁ କୁହାଯାଉ ଥିଲା। ତାଙ୍କୁ ଖାଇବାକୁ ପର୍ଯ୍ୟାପ୍ତ ଖାଦ୍ୟ ଦିଆ ଯାଉ ନଥିଲା କି ରହିବାକୁ ଉପଯୁକ୍ତ ବ୍ୟବସ୍ଥା ଦିଆଯାଇ ନଥିଲା। ଗ୍ରୀଷ୍ମ ସମୟରେ ମଧ୍ୟ ତାଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଇ ଥିଲା।
ପରିବାରର କହିବାନୁସାରେ , ଚାରି ମାସ ବିତି ସାରିଛି, ହେଲେ ଗୋଟିଏ ବି ମାସର ଦରମା ତାଙ୍କୁ ଏଯାଏ ମିଳିନାହିଁ। ଶବନମ ତାଙ୍କ ପରିବାରକୁ ଫୋନ୍ କରି କହିଥିଲେ ଯେ, ତାଙ୍କ ଠାରୁ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନିଆ ଯାଇ ଥିଲା, ସେଥିପାଇଁ ସେ ତାଙ୍କ ପରିବାର ସହିତ ନିୟମିତ ଯୋଗାଯୋଗ କରିପାରୁ ନଥିଲେ। ଲଗାତାର ଶାରୀରିକ ଓ ମାନସିକ ନିର୍ଯାତନା ପରେ, ଶବନମ ପାଖାପାଖି ୧୫ ଦିନ ପୂର୍ବେ ତାଙ୍କ ମାଲିକଙ୍କ ଘରୁ ଖସି ପଳାଇବାରେ ସଫଳ ହୋଇଥିଲେ। ବର୍ତ୍ତମାନ ମସ୍କଟରେ ଥିବା ଭାରତୀୟ ଦୂତାବାସରେ ଆଶ୍ରୟ ନେଉଛନ୍ତି।
Urgent Help 📢‼️
— Firoz Naik Mirza (@MrFirozKhan) July 18, 2026
हैदराबाद की शबनम बेगम को नौकरी का झांसा देकर ओमान ले जाने का आरोप, विदेश मंत्रालय से मदद की अपील
हैदराबाद के पहाड़ी शरीफ की रहने वाली शबनम बेगम के परिवार ने दावा किया है कि एक स्थानीय एजेंट ने उन्हें मस्कट (ओमान) में हाउसमेड की नौकरी और 200 ओमानी रियाल महीना… pic.twitter.com/ZGTLbCspep
ମାମଲା ସେତେବେଳେ ସାମ୍ନାକୁ ଆସିଲା ,ଯେତେବେଳେ ଶବନମ ବେଗମଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଶବନମ ଭାବପ୍ରବଣର ସହ କହୁଥିଲେ –ମୁଁ ଚାରି ପିଲାର ମାଆ। ମୋତେ ଏଠାରେ ବହୁତ ନିର୍ଯାତନା ସହିବାକୁ ପଡ଼ୁ ଥିଲା। ଦିନରାତି କାମ କରାଯାଉଥିଲା। ଖାଇବାକୁ ବି ଠିକରେ ଦିଆଯାଉ ନଥିଲା। ମୋତେ ମୋବାଇଲ ଫୋନ୍ ଦିଆଯାଉ ନଥିଲା।ମୋ ପରିଶ୍ରମର ପଇସା ବି ମିଳିଲା ନାହିଁ। ଦୟାକରି ମୋତେ ଭାରତ ଫେରେଇ ନିଅନ୍ତୁ।
ଆହୁରି ମଧ୍ୟ ପଢନ୍ତୁ - ମୁଣ୍ଡ ଅଲଗା ହୋଇଗଲା , ତଥାପି ଲଢିବା ଛାଡ଼ି ନଥିଲା ରୋବୋଟ୍ ! ଫାଇଟ୍ ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ
ଅନ୍ୟପଟେ ଭିଡିଓ ଭାଇରାଲ ହେବା ପରେ ଶବନମଙ୍କ ପରିବାର ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସିଧାସଳଖ ହସ୍ତକ୍ଷେପର ଦାବି କରିଛନ୍ତି। ପରିବାରର କହିବାନୁସାରେ , ଶବନମଙ୍କୁ ତୁରନ୍ତ ଭାରତ ଫେରେଇ ଆଣିବା ସୁନିଶ୍ଚିତ କରାଯାଉ ଏବଂ ଠକେଇ କରିଥିବା ଏଜେଣ୍ଟ ଅର୍ଶଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।